ବିଏମ୍‌ସି ନିର୍ବାଚନରେ ଭୋଟ୍‌ ଦେଲେ ହେଭିୱେଟ୍‌

ଭୁବନେଶ୍ବର: ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ହେଭିୱେଟ୍‌ମାନେ ଭୁବନେଶ୍ବରର ବିଭିନ୍ନ ୱାର୍ଡରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୩ ନମ୍ବର ୱାର୍ଡର ଏରୋଡ୍ରମ୍ ୟୁପି ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ଭୋଟ୍‌ ଦେଇଥିଲେ। ଉକ୍ତ କେନ୍ଦ୍ରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଭୋଟ ଦେଇଛନ୍ତି। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ୩୯ ନମ୍ବର ୱାର୍ଡର ନୂଆପଲ୍ଲୀ ନୂଆସାହି ଉତ୍କଳମଣି ସରକାରୀ ୟୁପି ସ୍କୁଲ ବୁଥ୍‌ରେ ଭୋଟ ଦେଇଥିବା ବେଳେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ୪୭ ନମ୍ବର ୱାର୍ଡର ୟୁନିଟ୍‌-୮ ଉଚ୍ଚ ବିଦ୍ୟାଳୟର ୪୯୭ ନମ୍ବର ବୁଥ୍‌ରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି।

ପ୍ରଶାସକମାନେ ମଧ୍ୟ ନିଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସପତ୍ନୀକ ୪୦ ନମ୍ବର ୱାର୍ଡ ଅନ୍ତର୍ଗତ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ଭୋଟ ଦେଇଛନ୍ତି। ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ସପତ୍ନୀକ ୪୬ ନମ୍ବର ୱାର୍ଡ ଅନ୍ତର୍ଗତ ୟୁନିଟ୍‌-୬ ହାଇସ୍କୁଲ୍‌ ବୁଥ୍‌ରେ ଭୋଟ୍‌ ଦେଇଥିଲେ। ୫-ଟି ସଚିବ ଭି କେ ପାଣ୍ଡିୟାନ ଓ ପତ୍ନୀ ସୁଜାତା କାର୍ତିକେୟନ ମଧ୍ୟ ୟୁନିଟ୍ ୬ ହାଇସ୍କୁଲ୍‌ର ମତଦାନ କେନ୍ଦ୍ରକୁ ଯାଇ ମତାଧିକାର ସାବ୍ୟସ୍ତ କରିଥିଲେ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ୬୦ ନମ୍ବର ୱାର୍ଡର ୬୨୦ ନମ୍ବର ବୁଥରେ ନିଜ ଧର୍ମପତ୍ନୀଙ୍କ ସହ ଭୋଟ୍ ଦେଇଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳର ମେୟର ପ୍ରାର୍ଥୀ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୂଆପଲ୍ଲୀ ନୂଆସାହିର ୪୦୭ ନମ୍ବର ବୁଥ୍‌ରେ ଭୋଟ ଦେଇଛନ୍ତି। ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ୍‌ ୩୨ ନମ୍ବର ୱାର୍ଡର ୩୩୬ ନମ୍ବର ବୁଥ୍‌ରେ ଓ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୨୫ ନମ୍ବର ୱାର୍ଡ ଅଧୀନ ଆଇଆରସି ଭିଲେଜ୍‌ ସେକ୍ଟର ୧ରେ ଥିବା ସରକାରୀ ୟୁପି ସ୍କୁଲରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ବ୍ୟତୀତ ବହୁ ନେତା, ଅଭିନେତା, ଅଭିନେତ୍ରୀ ଆଜି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ ଦେଇଛନ୍ତି।

ସମ୍ବନ୍ଧିତ ଖବର