ଭୁବନେଶ୍ବର: ସର୍ବାଧିକ ଭୋଟ୍ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇଥିବା ବିଜେଡି କର୍ପୋରେଟର ହେଉଛନ୍ତି ୫୪ ନମ୍ବର ୱାର୍ଡର ଶିବ ପ୍ରସାଦ ବେହେରା। ସେ ବିଜେପିର ସ୍ବାଗତ ମହାପାତ୍ରଙ୍କୁ ୩୪୦୬ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ତାଲିକାର ୨ ନମ୍ବରରେ ରହିଛନ୍ତି ୪୭ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ସମିତା ମହାନ୍ତି। ସେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ସ୍ମିତା ମହାନ୍ତିଙ୍କୁ ୨୯୬୫ ଖଣ୍ଡ ଭୋଟ୍ରେ ହରାଇଛନ୍ତି। ୩ ନମ୍ବରରେ ରହିଛନ୍ତି ୪୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଅମରେଶ ଜେନା। ସେ ବିଜେପି ପ୍ରାର୍ଥୀ ତଥା ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ଜ୍ୟୋତିରେଖା ନାୟକଙ୍କୁ ୨୬୩୧ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ତେବେ ଭୋଟ୍ ପ୍ରତିଶତ ହିସାବ କଲେ ଅମରେଶ ସର୍ବାଧିକ ୮୦.୨୩ ପ୍ରତିଶତ ଭୋଟ୍ ପାଇଥିଲା ବେଳେ ୭୬.୨୭% ଭୋଟ୍ ପାଇ ଦ୍ବିତୀୟରେ ସମିତା ଓ ୭୪.୭୯% ଭୋଟ୍ ପାଇ ଶିବ ପ୍ରସାଦ ତୃତୀୟ ସ୍ଥାନରେ ଅଛନ୍ତି।
ସୂତାଏରେ ବର୍ତ୍ତିଗଲେ!
ସେହିଭଳି ତିନୋଟି ୱାର୍ଡରେ ଅତି କମ୍ଭୋଟ ବ୍ୟବଧାନରେ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି। ୪୨ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଆଶିଷ ପଟ୍ଟନାୟକ ମାତ୍ର ୧୫ ଖଣ୍ଡ ଭୋଟ୍ରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ସେହିଭଳି ୩୯ ନମ୍ବର ୱାର୍ଡ ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ସାହୁ ବିଜେଡିର ସୁନିତା ପାଇକରାୟଙ୍କୁ ୩୫ ଖଣ୍ଡ ଭୋଟ୍ରେ ହରାଇଛନ୍ତି। ୨୩ ନମ୍ବରରେ ବିଜେଡିର କିରଣବାଳା ମାଝୀ ବିଜେପିର ଆରତି ଭୂୟାଁଙ୍କୁ ୩୬ ଖଣ୍ଡ ଭୋଟ୍ରେ ହରାଇଛନ୍ତି।
ଗଡ଼ ବଞ୍ଚାଇ ପାରିଲେନି ମେୟର ପ୍ରାର୍ଥିନୀ
ତିନି ପ୍ରମୁଖ ରାଜନୈତିକ ଦଳର ମେୟର ପ୍ରାର୍ଥୀ ନିଜ ୱାର୍ଡରେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇପାରି ନାହାନ୍ତି। ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସଙ୍କ ୩୯ ନମ୍ବର ୱାର୍ଡରେ ବିଜେଡି ଚିତ୍ ପଟାଙ୍ଗ ମାରିଛି। ଏଠାରେ ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ସାହୁ ୩୫ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ସୁନିତା ପାଇକରାୟଙ୍କୁ ହରାଇଛନ୍ତି। ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ୍ଙ୍କର ୩୨ ନମ୍ବର ୱାର୍ଡରେ ବିଜେପି ହାରିଥିବା ବେଳେ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ନିଜ ୱାର୍ଡ ୨୫ରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇପାରି ନାହାନ୍ତି।
ରେକର୍ଡ କଲା ନୋଟା
/sambad/media/post_attachments/wp-content/uploads/2022/03/32-17-300x169.jpg)
ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ଇଭିଏମ୍ରେ ସ୍ଥାନ ପାଇଥିଲା ନୋଟା। ପ୍ରାର୍ଥୀ ପସନ୍ଦ ନ ହେଲେ ଭୋଟରମାନେ ଏଥିରେ ଭୋଟ୍ ଦେବାକୁ ସୁଯୋଗ ରହିଥିଲା। ଭୋଟର ବି ଏହାର ବେଶ୍ ଉପଯୋଗ କଲେ। ଏଠାରେ କେବଳ ମେୟରଙ୍କ ପାଇଁ ୨୩୫୧ ନୋଟା ଭୋଟ୍ ଯାଇଥିବା ବେଳେ କର୍ପୋରେଟର ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରି ହଜାରରୁ ଊର୍ଦ୍ଧ୍ବ ଭୋଟର ନୋଟାକୁ ଦେଇଛନ୍ତି। ଫଳରେ ୩ ହଜାରରୁ ବେଶି ଭୋଟ୍ ନୋଟାକୁ ଯାଇଛି। ପୌର ନିର୍ବାଚନରେ ଏହା ରାଜ୍ୟରେ ସର୍ବାଧିକ ବୋଲି କୁହାଯାଉଛି।
ଇଭିଏମ୍ ନମ୍ବର ନମିଶିବାରୁ ଉତ୍ତେଜନା, ଟାମ୍ପରିଂ ଅଭିଯୋଗ, ପୁନଃ ମତଦାନ ଦାବି
ଇଭିଏମ୍ ମେସିନ୍ ଟାମ୍ପରିଂ କରାଯାଇଛି। ମତଦାନ କେନ୍ଦ୍ରରେ ଭୋଟିଂ ମେସିନ ସିଲ୍ କଲା ବେଳେ ଯାହା ନମ୍ବର ଥିଲା, ତାହା ଏବେ ମିଶୁ ନାହିଁ। ଭୋଟିଂ ମେସିନ୍ ଟାମ୍ପରିଂ କରି ଶାସକ ଦଳର ପ୍ରାର୍ଥୀକୁ ଜିତାଇ ଦିଆଯାଇଛି। ଆଜି ବିଜେବି କଲେଜରେ ୨୧ନମ୍ବର ଵାର୍ଡର ଭୋଟ୍ ଗଣତି କରାଯାଉଥିବା ବେଳେ ବିଜେପି କର୍ପୋରେଟର୍ ପ୍ରାର୍ଥୀ ସୁଚିତ୍ରା ବେହେରା, ବିଜେପିର ଭୁବେନଶ୍ବର ଜିଲ୍ଲା ସଭାପତି ବାବୁ ସିଂହ, ସିପିଆଇଏମ୍ ପ୍ରାର୍ଥୀ ଗଙ୍ଗାଧର ନାୟକ ଏପରି ଅଭିଯୋଗ ଆଣିଥିଲେ।
ପରେ ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସେମାନେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ୨୧ ନମ୍ବର ଵାର୍ଡର ୨୦୯ ନମ୍ବର ବୁଥ୍ର ମତଦାନ କେନ୍ଦ୍ର ଏକାମ୍ର ଭିଲେଜ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ଉପସ୍ଥିତ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କ ସାମ୍ନାରେ ଇଭିଏମ୍ ସିଲ୍ କରାଯାଇଥିଲା। ତେବେ ଆଜି ଗଣତି ସମୟରେ ୨୦୩ ବୁଥ୍ରୁ ଗଣତି ଆରମ୍ଭ ହୋଇଥିଲା। ଏହି କ୍ରମରେ ୨୦୯ ନମ୍ବର ବୁଥ୍ର ଗଣତି ଆରମ୍ଭ ହେବା ବେଳକୁ ଇଭିଏମ୍ ମେସିନ୍ର ନମ୍ବର ଡିସ୍ପ୍ଲେରେ ‘୦୫୪୧୭’ ଦେଖାଇଥିଲା।
ମାତ୍ର ମତଦାନ କେନ୍ଦ୍ରରେ ଇଭିଏମ୍ ସିଲ୍ ବେଳେ ‘ଜେ୧୩୪୭୬’ ରହିଥିଲା। ତେବେ କେଉଁ ପରିସ୍ଥିତିରେ ଓ କାହିଁକି ଇଭିଏମ୍ର ସିଲ୍ ନମ୍ବର ବଦଳିଲା କହି ବିଜେପି ଓ ସିପିଆଇଏମ୍ ପ୍ରାର୍ଥୀ ଗଣତି କେନ୍ଦ୍ରରୁ ବାହାରି ହୋ ହଲ୍ଲା କରିଥିଲେ। ଏହା ସହିତ ନିର୍ବାଚନକୁ ଅସିଦ୍ଧ ବୋଲି ଘୋଷଣା କରିବା ସହିତ ପୁନଃ ନିର୍ବାଚନ କରିବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ଏହି ଵାର୍ଡରୁ ବିଜେଡି ପ୍ରାର୍ଥୀ ପୂଜା ବେହେରା ସର୍ବାଧିକ ୩୦୪୬ ଭୋଟ୍ ପାଇ ଜିତିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେପିରୁ ସୁଚିତ୍ରା ବେହେରା ୨୦୮୩ଖଣ୍ଡ ଭୋଟ୍ ପାଇଛନ୍ତି। ସିପିଆଇଏମ୍ରୁ ସୁଚିତ୍ରା ବେହେରା ୪୯୦ଖଣ୍ଡ ଭୋଟ ପାଇଛନ୍ତି।