ଆଗକୁ ବିଏମ୍‌ସି ନିର୍ବାଚନ : ବିଏମ୍‌ସି ପାଇଁ ଭାଣ୍ଡିଆ ହେବ ନଗର ଉନ୍ନୟନ ବିଭାଗ!

୧୨ରେ ବସିପାରେ ସ୍ୱତନ୍ତ୍ର କାଉନସିଲ୍‌ ବୈଠକ
ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଓ୍ଵାର୍ଡ ବଣ୍ଟା ହେବ
୪ଟି ଓ୍ଵାର୍ଡରେ ସୀମିତ ରହିବ ୧୨ରେ ଟାଉନ ଡିଷ୍ଟ୍ରିକ୍ଟ ଅଞ୍ଚଳ

ଭୁବନେଶ୍ୱର : ପୌର ନିର୍ବାଚନ ନେଇ ଆଗୁଆ ପ୍ରସ୍ତୁତି କରିବାକୁ ଏବଂ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩ଟି ଯାକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏପରିକି ଏନେଇ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହା ଅନୁଯାୟୀ, କଟକ ଓ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ତଥ୍ୟ ନଗର ଉନ୍ନୟନ ବିଭାଗକୁ ଦେଇସାରିଲେଣି। କିନ୍ତୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କର୍ତ୍ତୃପକ୍ଷ ତଥ୍ୟ ଦେଇପାରୁନାହାନ୍ତି। ଯାହାକୁ ନେଇ ଏବେ ନଗର ଉନ୍ନୟନ ବିଭାଗ ଅଡ଼ୁଆରେ ପଡ଼ିଛି। ତିନିଟି ଯାକ ମହାନଗର ନିଗମର ସଂପୂର୍ଣ୍ଣ ତଥ୍ୟ ମିଳିନଥିବାରୁ ନଗର ଉନ୍ନୟନ ପ୍ରକ୍ରିୟା ଆରମ୍ଭ କରିପାରୁନି। ଏପରିକି ବିଏମ୍‌ସି ଯୋଗୁଁ ନଗର ଉନ୍ନୟନ ବିଭାଗ ରାଜ୍ୟ ନିର୍ବାଚନ କମିସନରଙ୍କ ଆଗରେ ଭାଣ୍ଡିଆ ହେବାର ଆଶଙ୍କା ସୃଷ୍ଟି ହେଲାଣି।

ମାର୍ଚ୍ଚ ୧୨ତାରିଖରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ ସିଟ୍‌ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୧ସୁଦ୍ଧା ଲୋକଙ୍କ ଅଭିଯୋଗ/ପ୍ରସ୍ତାବ ଗ୍ରହଣ କରାଯିବ। ଏପ୍ରିଲ୍‌ ୩୦ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ପୌର ପ୍ରଶାସନ ନିର୍ଦ୍ଦେଶକ ରାଜ୍ୟ ନିର୍ବାଚନ କମିସନରଙ୍କୁ କହିଛନ୍ତି। ଏଥିପାଇଁ ଫେବ୍ରୁଆରି ୨୦ତାରିଖ ସୁଦ୍ଧା ତିନିଟି ଯାକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଚୂଡ଼ାନ୍ତ ପ୍ରସ୍ତାବ ଦେବାକୁ କୁହାଯାଇଥିଲା। କିଛି ଦିନ ବିଳମ୍ବ ହେଲେ ବି କଟକ ଓ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ତଥ୍ୟ ଦେଇଥିଲେ। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ନିଜର ଅବହେଳାରୁ ଏବଂ ବିଳମ୍ବ ପ୍ରସ୍ତୁତି ଯୋଗୁଁ ତଥ୍ୟ ଦେଇପାରିଲେନି। ଯାହା ନଗର ଉନ୍ନୟନ ବିଭାଗକୁ ଅଡ଼ୁଆରେ ପକାଇବାକୁ ଯାଉଛି।

ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ନିର୍ବାଚନ ମଣ୍ଡଳୀ ଅନୁଯାୟୀ କରିବାକୁ ଯୋଜନା ହେଉଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଓ୍ଵାର୍ଡ ସୀମା ଧାର୍ଯ୍ୟ ହେବ। ଗୋଟିଏ ନିର୍ବାଚନ ମଣ୍ଡଳୀର ଓ୍ଵାର୍ଡ ଅନ୍ୟ ନିର୍ବାଚନ ମଣ୍ଡଳୀରେ ରହିବନି। ଏଥିପାଇଁ ବିଏମ୍‌ସିର ନିର୍ବାଚନ ହେଉଥିଲେ ହେଁ ବିଡିଏରେ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଚାଲିଛି। ନିର୍ବାଚନ ମଣ୍ଡଳୀ ମ୍ୟାପ୍‌ ଦେଖି ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହେଉଛି। ଏହାପରେ ଆସନ ସଂରକ୍ଷଣ ଲାଗୁ ହେବ। ଯେଉଁଥିପାଇଁ ବିଏମ୍‌ସି ଅଧିକାରୀଙ୍କ ନିକଟରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ନେଇ କୌଣସି ସୂଚନା ନାହିଁ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଏଥର ସୀମା ପୁନଃନିର୍ଦ୍ଧାରଣ ହେଉନି। ସ୍ମାର୍ଟ ସିଟିର ଭୁବନେଶ୍ୱର ଟାଉନ ଡିଷ୍ଟ୍ରିକ୍ଟ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏବେ ୯୮୫ଏକର ତଥା ୩.୯ ବର୍ଗକିମି ଅଞ୍ଚଳରେ ଥିବା ଭୁବନେଶ୍ୱର ଟାଉନ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ତିନିଟି ଓ୍ଵାର୍ଡ ୩୦, ୩୪ ଓ ୪୧ ଥିବାବେଳେ ଓ୍ଵାର୍ଡ ନଂ ୨୯, ୩୫, ୪୧ ଓ ୫୩ ଆଂଶିକ ଭାବେ ରହିଛି। ଏହାଦ୍ୱାରା ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସମସ୍ୟା ଥିବାରୁ ସୀମା ପୁନଃ ନିର୍ଦ୍ଧାରଣରେ ସ୍ମାର୍ଟ ସିଟି ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ପ୍ରାୟ ୪ଟି ଓ୍ଵାର୍ଡରେ ସୀମିତ ରଖାଯିବ। ଏହି ୪ଟି ଓ୍ଵାର୍ଡରେ କେବଳ ଭୁବନେଶ୍ୱର ଟାଉନ ଡିଷ୍ଟ୍ରିକ୍ଟ ଅଞ୍ଚଳ ରହିବ।

ସେହିପରି ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୨ତାରିଖରେ ନଗର ଉନ୍ନୟନ ବିଭାଗ ଚିଠା ବିଜ୍ଞପ୍ତି ଜାରି କରିବାକୁ ଯାଉଥିବାବେଳେ ଏହି ଦିନ ବିଏମ୍‌ସି ସ୍ୱତନ୍ତ୍ର କାଉନସିଲ୍‌ ବୈଠକ ଡାକିବାକୁ ଯୋଜନା କରୁଛି। କାଉନସିଲ୍‌ ବୈଠକରେ ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ପ୍ରସ୍ତାବ ଆସିବ। ଏହା ଉପରେ ଆଲୋଚନା କରି ପାରିତ କରିବାକୁ ଯୋଜନା ହୋଇଛି। ଏହିଦିନ ହିଁ ନଗର ଉନ୍ନୟନ ବିଭାଗକୁ ପଠାଇବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

ଏନେଇ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମର ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ କାର୍ଯ୍ୟ ଚାଲିଛି। ଏନେଇ ସମୟ ଲାଗିବ। ନଗର ଉନ୍ନୟନ ବିଭାଗ ଦ୍ୱାରା ଧାର୍ଯ୍ୟ ହୋଇଥିବା ସମୟରେ କାର୍ଯ୍ୟ ନସରିଲେ ଅଧିକ ସମୟ ମଗାଯିବ। ବିଏମ୍‌ସି ନିର୍ବାଚନକୁ ପ୍ରାୟ ୧୦ମାସ ସମୟ ଥିବାରୁ ଏବେଠୁ ତରବରିଆ ଭାବେ କିଛି କରାଯାଉନି। କାଉନସିଲ୍‌ ବୈଠକ ମୁଁ ଡାକିବି। ତେଣୁ ତରବର ହୋଇ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଯେପରି ପ୍ରସ୍ତୁତ ନହୁଏ ସେନେଇ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର