ବିଏମ୍‌ସି ନିର୍ବାଚନ : ବିଜେପିରେ ଅନ୍ତଃକନ୍ଦଳ, ବିଜେଡିର ଅଧିକ ଆଶାୟୀ

ବିଏମ୍‌ସି ନିର୍ବାଚନ ପୂର୍ବରୁ ଏବେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତଥର ୪୯ଟି ଆସନ ଜିତିଥିବା ବିଜେଡିରେ ଏବେ ସବୁଠୁ ଅଧିକ ଆଶାୟୀ। କେବଳ ଏହି ୪୯ ନୁହେଁ, ଦଳରେ ମିଶିଥିବା ୧୨ଜଣ ସ୍ବାଧୀନ ପ୍ରାର୍ଥୀ, ୨ଜଣ କଂଗ୍ରେସ ଓ ୨ଜଣ ବିଜେପି ପ୍ରାର୍ଥୀ ବି ଏଥର ବିଜେଡିରୁ ଟିକେଟ୍ ନେବାକୁ ଆଶାୟୀ। ଏମାନଙ୍କ ବାଦ୍‌ ବିଜେଡି ଟିକେଟ୍ ପାଇ ହାରିଥିବା, ବିଜେଡି ବିଧାୟକଙ୍କ ନିକଟତର ହୋଇଥିବା ନେତା, ବିଜେପି ଓ କଂଗ୍ରେସ ଛାଡ଼ିଥିବା ନେତା ବି କେମିତି ବିଜେଡିରୁ କର୍ପୋରେଟର୍‌ ଟିକେଟ୍ ହାତେଇବେ, ସେଥିପାଇଁ ଲବି ଆରମ୍ଭ କରିଦେଇଛନ୍ତି। ବିଜେଡିରେ ପ୍ରାର୍ଥୀ ଚୟନ ବେଳେ ତିନି ବିଧାୟକ ଅଡ଼ୁଆରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। କାରଣ ପ୍ରତି ୱାର୍ଡରେ ୧୦/୧୨ ଆଶାୟୀ ଲବି ଚଳାଇଛନ୍ତି। ଠିକ୍ ପ୍ରାର୍ଥୀ ଚୟନ ସହ ଅନ୍ୟ ଆଶାୟୀଙ୍କୁ ବୁଝାସୁଝା ନ କଲେ, ବିଧାୟକମାନେ ଭବିଷ୍ୟରେ ଅଡ଼ୁଆରେ ପଡ଼ିପାରନ୍ତି। ଭୁବନେଶ୍ବର ଏକାମ୍ରରେ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଲଗାତାର ତୃତୀୟଥର ପାଇଁ ସେଠାରୁ ପ୍ରତିନିଧିତ୍ବ କରୁଛନ୍ତି। ତେଣୁ ପୂର୍ବତନ କର୍ପୋରେଟର୍‌ମାନଙ୍କୁ ସେ ଅଧିକାଂଶ ସ୍ଥାନରେ ଚୟନ କରିବାର ସମ୍ଭାବନା ରହିଛି।

ଭୁବନେଶ୍ବର ମଧ୍ୟରେ ଗତ ବିଧାନସଭା ନିର୍ବାଚନ ବେଳେ ନେତୃତ୍ବ ପରିବର୍ତ୍ତନ ହୋଇଛି। କିଛି ପୂର୍ବତନ କର୍ପୋରେଟର୍‌ ତତ୍‌କାଳୀନ ବିଧାୟକ ବିଜୟ ମହାନ୍ତିଙ୍କ ସମର୍ଥନରେ ଟିକେଟ୍‌ ପାଇଥିଲେ। ଗତ ବିଧାନସଭା ନିର୍ବାଚନ ବେଳେ ଅନନ୍ତ ନାରାୟଣ ଜେନା ଏଠାରୁ ପ୍ରାର୍ଥୀ ହେଲା ପରେ କିଛି ପୂର୍ବତନ କର୍ପୋରେଟର୍‌ ତାଙ୍କୁ ଆବଶ୍ୟକ ସମର୍ଥନ ଦେଇ ନଥିବା ଚର୍ଚ୍ଚା ହୋଇଥିଲା। ତେଣୁ ଏହି ନିର୍ବାଚନମଣ୍ଡଳୀରୁ ପୂର୍ବତନ କର୍ପୋରେଟର୍‌ମାନଙ୍କ ଉପରେ ଶ୍ରୀ ଜେନା ଭରସା କରୁଛନ୍ତି କି ନୂଆ ପ୍ରାର୍ଥୀ ବାଛୁଛନ୍ତି, ତାହା ଉପରେ ନଜର ରହିବ। ସମାନ ସ୍ଥିତି ଭୁବନେଶ୍ବର ଉତ୍ତରରେ। ଏଠାରେ ମଧ୍ୟ ବିଧାୟକ ବଦଳିଛନ୍ତି। ୨୦୧୪ ବିଏମ୍‌ସି ନିର୍ବାଚନ ସମୟରେ ତତ୍‌କାଳୀନ ବିଧାୟକ ପ୍ରିୟଦର୍ଶୀ ମିଶ୍ର କର୍ପୋରେଟର୍‌ ପ୍ରାର୍ଥୀ ଚୟନରେ ମୁଖ୍ୟ ଭୂମିକା ନେଇଥିଲେ। କିନ୍ତୁ ଏବେ ବିଧାୟକ ସୁଶାନ୍ତ ରାଉତ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ମଙ୍ଗ ଧରିଛନ୍ତି। ଶ୍ରୀ ରାଉତ ପୂର୍ବତନ କର୍ପୋରେଟର୍‌ଙ୍କ ଉପରେ ଭରସା କରୁଛନ୍ତି କି ନାହିଁ, ତାହା ଏ ଯାଏ ସ୍ପଷ୍ଟ ହୋଇ ନାହିଁ। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆହୁରି ମଧ୍ୟ ଶ୍ରୀ ରାଉତ ଜିଲ୍ଲା ବିଜେଡି ସଭାପତି ହୋଇଥିବାରୁ କେବଳ ଉତ୍ତର ନିର୍ବାଚନମଣ୍ଡଳୀ ନୁହେଁ, ପୂରା ଭୁବନେଶ୍ବରରେ ପ୍ରାର୍ଥୀ ଚୟନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ।

ଅପରପକ୍ଷେ ବିଜେପିରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବଢ଼ିବାରେ ଲାଗିଛି। କିଏ ଟିକେଟ୍‌ ପାଇଁ ଅପରାଜିତାଙ୍କ ପାଖରେ ଲବି କରୁଛନ୍ତି ତ କିଏ ସିଧା ‌ଶୀର୍ଷ ନେତୃତ୍ବଙ୍କ ନିକଟରେ ଘନିଷ୍ଠ ହେବାକୁ ଚେଷ୍ଟା କରୁଛନ୍ତି। ଅପରାଜିତାଙ୍କ ପୂର୍ବରୁ ଯେଉଁମାନେ ଦଳରେ ଥିଲେ ଓ ନିର୍ବାଚନ ଲଢ଼ି ହାରିଥିଲେ, ସେମାନେ ଟିକେଟ୍ ହାତେଇବାକୁ ‌ଭିତିରିଆ ଉଦ୍ୟମ ଆରମ୍ଭ କରିଛନ୍ତି। ଏସବୁ ବାଦ୍‌ ଏବେ ଅପରାଜିତା ଜୋରଦାର୍ ପ୍ରଚାର କରୁଥିବା ବେଳେ ତାଙ୍କୁ ଦଳ ଭିତରୁ ବିରୋଧ ଆରମ୍ଭ ହେଲାଣି। ଭୁବନେଶ୍ବର ଉତ୍ତର ସମେତ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ କିଛି ସ୍ଥାନରେ ଦଳୀୟ କର୍ମକର୍ତ୍ତା ବିରୋଧ କରୁଛନ୍ତି। ତେଣୁ ନିର୍ବାଚନ ପୂର୍ବରୁ ଏହାର ସମାଧାନ ନ ହେଲେ ଦଳ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ। ହେଲେ କଂଗ୍ରେସ ପାଖରେ କର୍ପୋରେଟର ଲଢ଼ିବାକୁ ସବୁ ୱାର୍ଡରେ ପ୍ରାର୍ଥୀ ନାହାନ୍ତି। ନିର୍ବାଚନବେଳକୁ ପ୍ରାର୍ଥୀ ବାହରି ଯାଇପାରନ୍ତି। କିନ୍ତୁ ଏବେଠୁ ଜିତିବାର ଆଶା ନେଇ କାମ କରୁଥିବା ପ୍ରାର୍ଥୀ ୱାର୍ଡ ସ୍ତରରେ ଦେଖାଯାଉ ନାହାନ୍ତି।

ସମ୍ବନ୍ଧିତ ଖବର