ଆଗକୁ ଆସୁଛି ପୌର ନିର୍ବାଚନ : ଓ୍ଵାର୍ଡ ବଜେଟ୍‌ ୨କୋଟି କରିବାକୁ କର୍ପୋରେଟରଙ୍କ ଚାପ

ଓ୍ଵାର୍ଡ ବଜେଟ୍‌ ବଢ଼ିପାରିବ: ଷ୍ଟାଣ୍ଡିଂ କମିଟି (ଅର୍ଥ)
ଆୟର ତିନିଗୁଣା ବ୍ୟୟ ହେଉଛି, ବଜେଟ୍‌ ବଢ଼ିପାରିବନି: ବିଏମ୍‌ସି

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଏମ୍‌ସିର ଚିଠା ବଜେଟ୍‌ ଆଗତ ହୋଇଥିବାବେଳେ ଏବେ ଚୂଡ଼ାନ୍ତ ବଜେଟ୍‌ ପ୍ରସ୍ତୁତ ହେଉଛି। ଚଳିତ ବର୍ଷ ପାଇଁ ଓ୍ଵାର୍ଡ ବଜେଟ୍‌ ଦେଢ଼ କୋଟି ଟଙ୍କା ରଖାଯାଇଥିବାବେଳେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବି ଦେଢ଼ କୋଟି ରଖାଯାଇଛି। ହେଲେ ଓ୍ଵାର୍ଡ ବଜେଟ୍‌ ୨କୋଟିକୁ ବଢ଼ାଇବାକୁ କର୍ପୋରେଟରମାନେ ଦାବି କରିଛନ୍ତି। ବିଏମ୍‌ସି କମିସନର ଓ୍ଵାର୍ଡ ବଜେଟ୍‌ ବଢ଼ିବନି ବୋଲି ରୋକଠୋକ୍‌ କହିଥିବାବେଳେ କର୍ପୋରେଟରମାନେ କିନ୍ତୁ ଓ୍ଵାର୍ଡ ବଜେଟ୍‌ ୨କୋଟି କରିବାକୁ ଜୋରଦାର୍‌ ଚାପ ପକାଉଛନ୍ତି।

ଚଳିତବର୍ଷ ଶେଷରେ କିମ୍ବା ଆସନ୍ତା ଆର୍ଥିକ ବର୍ଷ ପୂର୍ବରୁ ବିଏମ୍‌ସି ନିର୍ବାଚନ ହେବାକୁ ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ କର୍ପୋରେଟରମାନେ ବହୁ ଯୋଜନା କରିଛନ୍ତି। ଏଥିରେ ନିଜ ନିଜ ଓ୍ଵାର୍ଡ ପାଇଁ କେତୋଟି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଟାର୍ଗେଟ ରଖିଥିବାରୁ ଏଥିରେ ଯେପରି ଅର୍ଥ ବାଧକ ନ ସାଜିବ ସେଥିପାଇଁ ଓ୍ଵାର୍ଡ ବଜେଟ୍‌ ବଢ଼ାଇବାକୁ ମେୟର, କମିସନର ଓ ମୁଖ୍ୟ ବିତ୍ତ ଅଧିକାରୀଙ୍କ ଉପରେ ଏବେଠୁ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ଆସନ୍ତା ବଜେଟ୍‌ ପୂର୍ବ ବଜେଟ୍‌ଠାରୁ ପ୍ରାୟ ୩୬କୋଟି ବଢ଼ିବାର ସମ୍ଭାବନା ଥିଲେ ହେଁ ଏଥିରେ ଡ୍ରେନ୍‌, ନୂଆ କଙ୍କ୍ରିଟ୍‌ ରାସ୍ତା, ଏଲ୍‌ଇଡି ଆଲୋକୀକରଣକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ୨୬କୋଟି ୫୭ଲକ୍ଷ, ନୂତନ ରାସ୍ତା ପାଇଁ ୪୭କୋଟି ୯୪ଲକ୍ଷ, ଡ୍ରେନ୍‌ ପାଇଁ ୩୦କୋଟି ୮୬ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି।
ପ୍ରସ୍ତୁତ ହୋଇଥିବା ଚିଠା ବଜେଟ୍‌ରେ ୬୭ଟି ଓ୍ଵାର୍ଡ ପାଇଁ ପ୍ରାୟ ୧୨୫କୋଟି ବ୍ୟୟ ବରାଦ ହୋଇଥିବାବେଳେ ଏହାକୁ ଆହୁରି ବଢ଼ାଇବାକୁ କର୍ପୋରେଟରମାନେ ଷ୍ଟାଣ୍ଡିଂ କମିଟି (ଅର୍ଥ) ମାଧ୍ୟମରେ ଚାପ ପକାଉଛନ୍ତି। ଏନେଇ ଷ୍ଟାଣ୍ଡିଂ କମିଟି (ଅର୍ଥ)ର ଅଧ୍ୟକ୍ଷ ସେକ୍‌ ନିଜାମୁଦ୍ଦିନ କହିଛନ୍ତି ଯେ, ବିଭିନ୍ନ ଓ୍ଵାର୍ଡରେ ବଜେଟ୍‌ ବଢ଼ାଇବାକୁ କର୍ପୋରେଟରମାନେ ଦାବି କରୁଛନ୍ତି। ଆସନ୍ତା ବର୍ଷକ ମଧ୍ୟରେ ନିର୍ବାଚନ ହେବାକୁ ଥିବାରୁ ବହୁ ଉନ୍ନତିମୂଳକ କାର୍ଯ୍ୟ କରିବାକୁ କର୍ପୋରେଟରମାନେ ଯୋଜନା କରିଛନ୍ତି। ଭୁବନେଶ୍ୱର ଭଳି ସହରରେ ଓ୍ଵାର୍ଡ ବଜେଟ୍‌ ୨କୋଟି କରିବାରେ କିଛି ଅସୁବିଧା ନାହିଁ। ଯେତେ ଅଧିକ ବଜେଟ୍‌ ଓ୍ଵାର୍ଡକୁ ମିଳିବ ସେହି ଅନୁଯାୟୀ ଉନ୍ନତିମୂଳକ କାର୍ଯ୍ୟ ହେବ। ଚିଠା ବଜେଟରେ ୯୩କୋଟି ୭୭ଲକ୍ଷ ବଳକା ଅର୍ଥ ରଖାଯାଇଥିବାରୁ ଏହି ଅର୍ଥ ପରିମାଣ କମାଇ ଓ୍ଵାର୍ଡ ବଜେଟ୍‌ ୨କୋଟିକୁ ବଢ଼ାଯାଇପାରିବ ବୋଲି ଷ୍ଟାଣ୍ଡିଂ କମିଟି (ଅର୍ଥ) ଅଧ୍ୟକ୍ଷ ଯୁକ୍ତି ବାଢ଼ିଛନ୍ତି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପୂର୍ବରୁ ପ୍ରତି ଓ୍ଵାର୍ଡ ପିଛା ୭୦ଲକ୍ଷ ଲେଖାଏଁ ବଜେଟ୍‌ ଥିଲା ଏହାପରେ ୧କୋଟି ହେଲା। ଗତବର୍ଷ ଏହାକୁ ଦେଢ଼କୋଟି କରାଯାଇଛି। ଏହାବାଦ୍‌ ବି କେତେଜଣ କର୍ପୋରେଟର ଓ୍ଵାର୍ଡ ବଜେଟରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅଧିକାଂଶ ଓ୍ଵାର୍ଡରେ ଓ୍ଵାର୍ଡ ବଜେଟ୍‌ ଖର୍ଚ୍ଚ ହୋଇପାରୁନି। କେତେକ ଓ୍ଵାର୍ଡରେ ତ ଆବଶ୍ୟକତା ନଥାଇ ବି ଅର୍ଥ ଖର୍ଚ୍ଚ ହେଉଥିବା ଅଭିଯୋଗ ଆସୁଛି। ବର୍ତ୍ତମାନ ପରିସ୍ଥିତିରେ ପ୍ରତି ଓ୍ଵାର୍ଡ ପିଛା ଦେଢ଼ କୋଟି ଯଥେଷ୍ଟ ଅଛି। ତେଣୁ ଓ୍ଵାର୍ଡ ବଜେଟ୍‌ ଆସନ୍ତା ଆର୍ଥିକ ବର୍ଷରେ ବଢ଼ିବନି। ଓ୍ଵାର୍ଡ ବଜେଟ୍‌ରୁ ଯଦି କିଛି ଅର୍ଥ ବଳୁଛି କର୍ପୋରେଟରମାନେ ବର୍ଷ ଶେଷକୁ ଯେନତେନ ଉପାୟରେ ଏହାକୁ ଖର୍ଚ୍ଚ କରୁଛନ୍ତି। କେତେକ ସ୍ଥାନରେ ଇଞ୍ଜିନିୟରିଂ ବିଭାଗ ଏନେଇ ପ୍ରତିବାଦ କଲେ ବି କିଛି ସୁଫଳ ମିଳୁନି। ଆଉ କେତେକ ସ୍ଥାନରେ ଇଞ୍ଜିନିୟରିଂ ବିଭାଗକୁ ହାତ କରି ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ଖର୍ଚ୍ଚ କରାଯାଉଛି। ତେଣୁ ଆମେ ଓ୍ଵାର୍ଡ ବଜେଟରେ ରାସ୍ତା, ଡ୍ରେନ୍‌ ଓ ଆଲୋକୀକରଣ ବ୍ୟବସ୍ଥାକୁ ସାମିଲ୍‌ କରିଛୁ। ଏହାବାଦ୍‌ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥ ଆବଶ୍ୟକ ପଡ଼ିଲେ ଅନୁଦାନ ଦେବାରେ ଅସୁବିଧା ନାହିଁ।

ସେହିପରି ବିଏମ୍‌ସିର ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ବଜେଟ୍‌ରେ ବିଏମ୍‌ସି ୧୩୭କୋଟି ଆୟ କରିବାକୁ ଲକ୍ଷ୍ୟ ରଖିଛି। ଯାହା ମୋଟ୍‌ ବଜେଟ୍‌ର ପ୍ରାୟ ଏକ ତୃତୀୟାଂଶ। ଆୟଠାରୁ ବହୁଗୁଣା ଅଧିକ ବ୍ୟୟବରାଦ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମ କଲେଣି ଯେ, ପୌରସଂସ୍ଥାଗୁଡ଼ିକୁ ଧୀରେ ଧୀରେ ଅନୁଦାନ ଦେବା ବନ୍ଦ କରାଯିବ। ଯେଉଁ ଅନୁସାରେ ପୌରସଂସ୍ଥା ଆୟ କରିବେ ସେହି ଅନୁଯାୟୀ ବ୍ୟୟ କରିବେ। ବିଏମ୍‌ସିକୁ ପ୍ରାୟ ୨୨୯କୋଟି ୬୧ଲକ୍ଷ ଟଙ୍କା ଅନୁଦାନ ମିଳିବାକୁ ଥିବାରୁ ଏତିକି ଅର୍ଥରେ ଓ୍ଵାର୍ଡ ବଜେଟ୍‌ ବଢ଼ାଇବା ସମ୍ଭବପର ନୁହେଁ।

ବିଏମ୍‌ସିର ଷ୍ଟାଣ୍ଡିଂ କମିଟି (ଅର୍ଥ) ଅଧ୍ୟକ୍ଷ ସେକ୍‌ ନିଜାମୁଦ୍ଦିନ କହିଛନ୍ତି ଯେ, ପୂର୍ବରୁ କେତୋଟି ଓ୍ଵାର୍ଡରେ ଅର୍ଥ ଖର୍ଚ୍ଚ ହୋଇପାରୁନଥିଲା। କିନ୍ତୁ ଏବେ ସେହି ସମସ୍ୟା କିଛି ମାତ୍ରାରେ ଦୂର ହୋଇଛି। ସାଲିଆସାହିରେ ଯାଉଥିବା ଓ୍ଵାର୍ଡଗୁଡ଼ିକ ଜଙ୍ଗଲ ଜମି ଥିବାରୁ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନଥିଲା। କିନ୍ତୁ ଏବେ ଡ୍ରେନ୍‌ ଓ ରାସ୍ତାରେ ମୋରମ ପକାଇବା କାର୍ଯ୍ୟ ହେଉଛି। ସେହିପରି ୟୁନିଟ-୩ସ୍ଥିତ ମାଳିସାହି ଅଞ୍ଚଳଟି ପୂର୍ବତଟ ରେଳପଥ ଅଧୀନସ୍ଥ ଜମି ହୋଇଥିବାରୁ ସେଠାରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନି। ସ୍ମାର୍ଟ ଡିଷ୍ଟ୍ରିକ୍ଟ ଅଧୀନରେ ଥିବା ସହିଦନଗର, ସତ୍ୟନଗର, ଅଶୋକ ନଗର, ବାପୁଜୀ ନଗର ଆଦି ଅଞ୍ଚଳ ପାଇଁ ବିଏମ୍‌ସି ଗତବର୍ଷ ବଜେଟ୍‌ ରଖିନଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ଏହି ଅଞ୍ଚଳରେ ପିଚୁ ରାସ୍ତା ମରାମତି ଏବଂ ବିଭିନ୍ନ ପ୍ରକଳ୍ପର ମରାମତି ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା ହୋଇଛି।

ଅପରପକ୍ଷେ ୟୁନିଟ-୧, ୟୁନିଟ-୨, ୟୁନିଟ-୩, ୟୁନିଟ-୪, ୟୁନିଟ-୬, ୟୁନିଟ-୮ ଓ ୟୁନିଟ-୯ ଭଳି ଅଞ୍ଚଳରେ ପୂର୍ତ୍ତ ବିଭାଗ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ଓ ମରାମତି କରୁଥିବାରୁ ଏହି ଅଞ୍ଚଳରେ ବିଏମ୍‌ସିକୁ ବହୁତ କିଛି କରିବାକୁ ପଡ଼ୁନି। ତେଣୁ ଏଠାରେ ଓ୍ଵାର୍ଡ ବଜେଟରେ ପାର୍କ, ଓପନ୍‌ ଜିମ୍‌, କମ୍ୟୁନିଟି ସେଣ୍ଟର ଭଳି ବଡ଼ ପ୍ରକଳ୍ପ ହେଉଛି। କେତେକ କର୍ପୋରେଟରଙ୍କ ଯୁକ୍ତି ଯେ, ବଡ଼ ପ୍ରକଳ୍ପ ପାଇଁ ଲଗାତର ଦୁଇ ତିନି ବର୍ଷ ଓ୍ଵାର୍ଡ ବଜେଟରୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଓ୍ଵାର୍ଡ ବଜେଟ ଦୁଇ କୋଟିକୁ ବଢ଼ାଯାଉ। କେବଳ ଏତିକି ନୁହେଁ, କର୍ପୋରେଟରମାନେ ଓ୍ଵାର୍ଡ ବଜେଟ୍‌ ବଢ଼ାଇବା ନେଇ ଦାବି କରିବା ପରେ ଏବେ ଚର୍ଚ୍ଚା ହେଲାଣି ଯେ, ନିର୍ବାଚନ ପାଇଁ କର୍ପୋରେଟରମାନେ ପ୍ରସ୍ତୁତ ହେଉଥିବାରୁ ନିର୍ବାଚନୀ ଖର୍ଚ୍ଚ ପାଇଁ ଓ୍ଵାର୍ଡ ବଜେଟକୁ ମାଧ୍ୟମ କରିବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର