ଭୁବନେଶ୍ବର: ରାଜନୀତିରେ କମୁଛି ସେଲିବ୍ରିଟିଙ୍କ କ୍ରେଜ୍। ଆଉ ଆଗଭଳି ଅଭିନେତା, ଅଭିନେତ୍ରୀଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁନି କି ସେଲିବ୍ରିଟିକୁ ଦେଖି ଲୋକେ ପ୍ରାର୍ଥୀଙ୍କୁ ଭୋଟ ଦେଉ ନାହାନ୍ତି। ବରଂ ଦଳର ଶୀର୍ଷ ନେତୃତ୍ବ ଓ ପ୍ରାର୍ଥୀଙ୍କ ମୁହଁ ହିଁ ଭୋଟରଙ୍କ ପସନ୍ଦ ପାଲଟିଛି। ଯାହାକି ଚଳିତ ବିଏମ୍ସି ନିର୍ବାଚନରେ ଦେଖିବାକୁ ମିଳିଛି। ହାତଗଣତି ଦୁଇରୁ ତିନି ଜଣ ଅଭିନେତା, ଅଭିନେତ୍ରୀଙ୍କୁ ଏଥର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା। କୌଣସି ବି ରାଜନୈତିକ ଦଳ ତାରକାଙ୍କୁ ପ୍ରାର୍ଥୀ କରି ନ ଥିଲା।
ପ୍ରଚାର ମଇଦାନକୁ ବି ଛାଡ଼ି ନ ଥିଲେ। ତା’ପରେ ବି ପ୍ରଚାରର ଶେଷ ଦିନରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ୧୫ ଓ ୨୨ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଅଭିନେତ୍ରୀ ପିଙ୍କି ପ୍ରଧାନ କିଛି ୱାର୍ଡ ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ତେବେ ସେମାନଙ୍କୁ ସେତେଟା ସଫଳତା ମିଳି ନାହିଁ। ୧୫ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। ପିଙ୍କିଙ୍କୁ ଦେଖି ଭୋଟର ବିଜେପି ଆଡ଼କୁ ଆକୃଷ୍ଟ ହୋଇ ନାହାନ୍ତି।
ବିଜେଡିରେ ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ପରି ଅଭିନେତା ରହିଥିଲେ ମଧ୍ୟ ସେମାନଙ୍କୁ ବିଏମ୍ସି ନିର୍ବାଚନ ପ୍ରଚାରକୁ ଦଳ ଛାଡ଼ିଲା ନାହିଁ। ପୂର୍ବରୁ ଏମାନଙ୍କର କ୍ରେଜ୍ ରହିଥିଲା। କିଏ ପ୍ରାର୍ଥୀ ହୋଇଥିଲେ ତ କିଏ ପ୍ରଚାର ମଙ୍ଗ ଧରୁଥିଲେ। ୨୦୧୪ ବିଏମ୍ସି ନିର୍ବାଚନ ହେଉ କି ୨୦୧୯ ସାଧାରଣ ନିର୍ବାଚନ। ସବୁବେଳେ ଏମାନଙ୍କ ମାରାଥନ୍ ପ୍ରଚାର ଦେଖିବାକୁ ମିଳୁଥିଲା। କିନ୍ତୁ ଏଥର ବିଏମ୍ସି ନିର୍ବାଚନ ପ୍ରଚାରରେ ଏହି ସବୁ ବଡ଼ ତାରକାମାନଙ୍କୁ ଆଦୌ ଦେଖିବାକୁ ମିଳିଲା ନାହିଁ। ଦଳ ପାଇଁ ସେମାନେ ଅଲୋଡ଼ା ହୋଇଗଲେ।
୨୦୧୯ ନିର୍ବାଚନ ପୂର୍ବରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି, ମହାଶ୍ବେତା ରାୟ ବିଜେପିରେ ସାମିଲ ହୋଇଥିଲେ। ୨୦୧୪ରେ କଂଗ୍ରେସ ଟିକେଟ୍ରେ କଟକ ଲୋକସଭା ଆସନରୁ ଲଢ଼ିଥିବା ଅପରାଜିତା ୨୦୧୯ରେ ଭୁବନେଶ୍ବର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କଲେ। ତାଙ୍କ ଅଭିନେତା ପୁତ୍ର ବାବୁସାନ୍ ମା’ଙ୍କ ପାଇଁ ମାରାଥନ୍ ପ୍ରଚାର କରୁଥିଲେ। ମାତ୍ର ଏଥର ବିଏମ୍ସି ନିର୍ବାଚନରେ ଉଭୟ ମା’, ପୁଅଙ୍କୁ ଉତ୍ତର ଭୁବନେଶ୍ବରବାସୀ ଦେଖିବା ସ୍ବପ୍ନ ହୋଇଗଲା। ପ୍ରଚାରକୁ ଆସିଲେ ନାହିଁ କି ରାଜନୀତିରେ ଆଉ ଆଗଭଳି ସକ୍ରିୟ ହେଲେନି। ଯେଉଁଥିପାଇଁ ବିଜେପି ଏଠାରେ ପ୍ରଚାରରେ ପଛରେ ପଡ଼ିଲା। ବିଭିନ୍ନ କାରଣ ପାଇଁ ଓଲିଉଡ୍ ଅଭିନେତା, ଅଭିନେତ୍ରୀଙ୍କ କ୍ରେଜ୍ ରାଜନୀତିରେ କମିଯାଇଛି।