ଭୁବନେଶ୍ବର: ହାତରେ ଆଉ ମାତ୍ର ୧୨ ଘଣ୍ଟା। ତେଣୁ ଭୋଟରଙ୍କୁ ଯେକୌଣସି ପ୍ରକାରେ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ପଛାଉ ନାହାନ୍ତି। କଳେ ବଳେ କୌଶଳେ ଲୋକଙ୍କ ନିକଟତର ହେଉଛନ୍ତି। କିଏ ବିକାଶର ନାରା ଦେଉଛନ୍ତି ତ ଆଉ କିଏ ଲୋକଙ୍କ ସେବାରେ ନିଜକୁ ଉର୍ତ୍ସଗୀକୃତ କରୁଥିବା କହୁଛନ୍ତି। ରାସ୍ତାଘାଟରେ ଚାଲିଛି ଘମାଘୋଟ ପ୍ରଚାର। ବିଜେଡି, ବିଜେପି, କଂଗ୍ରେସ ସବୁ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଗାଡ଼ିରେ ପ୍ରଚାର ଚାଲିଛି। କର୍ମୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ତା’ସାଙ୍ଗକୁ ସୋମବାର ଦିନତମାମ ମେୟର ପ୍ରାର୍ଥିନୀ, କର୍ପୋରେଟର ପ୍ରାର୍ଥୀ/ପ୍ରାର୍ଥିନୀ ଶୋଭାଯାତ୍ରା, ପଦଯାତ୍ରା, ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି।
ଉତ୍ତର ଭୁବନେଶ୍ବରରେ ବିଜେଡିର ରୋଡ୍ ସୋ’
ଅଧାରୁ ପ୍ରଚାର ମଇଦାନ ଛାଡ଼ିଲେ ଅପରାଜିତା
୩୧ରେ କଂଗ୍ରେସ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
ପ୍ରଚାରରେ ବିଜେଡି ପ୍ରାର୍ଥୀମାନେ ଆଜି ଆଗରେ ରହିଥିବା ଦେଖିବାକୁ ମିଳିଛି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ମୋଟର ସାଇକଲ ଶୋଭାଯାତ୍ରାରେ ବ୍ୟାପକ ପ୍ରଚାର କରି ଯୁବ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କରିଛନ୍ତି। ସକାଳୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ବୁଲି ଯୁବ ଭୋଟରଙ୍କ ଠାରୁ ଧରି ମହିଳା, ବୟସ୍କଙ୍କ ସହ ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କରିଛନ୍ତି। ପ୍ରଚଣ୍ଡ ରୌଦ୍ରତାପରେ ପ୍ରଚାର ଗାଡ଼ି ଅଟକି ନ ଥିଲା। ବରଂ ଗୋଟିଏ ପରେ ଗୋଟି ୱାର୍ଡ ଅତିକ୍ରମ କରିଥିଲା। ପ୍ରଚାର ପାଇଁ ପ୍ରସ୍ତୁତ ବିଜେଡିର ସଙ୍ଗୀତ ଡାକବାଜି ଯନ୍ତ୍ରରୁ ଭାସି ଆସୁଥିଲା। ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ ସ୍ଲୋଗାନ ଚାଲିଥିଲା। ବାଟରେ ଗାଡ଼ିରୁ ଓହ୍ଲାଇ ଶ୍ରୀମତୀ ଦାସ ବିଜେଡିକୁ ସମର୍ଥନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।
ସକାଳ ପ୍ରାୟ ୯ଟାରେ ୪ ନମ୍ବର ୱାର୍ଡରୁ ଆରମ୍ଭ ହୋଇଥିବା ମୋଟର ସାଇକେଲ ଶୋଭାଯାତ୍ରା ମଧ୍ୟାହ୍ନ ୧୨ଟାରେ ୧୮, ଅପରାହ୍ନ ୩ଟାରେ ୧୫, ୫ଟାରେ ୨୫ ନମ୍ୱର ଓ ସନ୍ଧ୍ୟା ୬ଟାରେ ୯ନମ୍ୱର ୱାର୍ଡରେ ରୋଡ୍ ସୋ’ କରିଥିଲେ। ସନ୍ଧ୍ୟାରେ ୨୭ ନମ୍ବର ୱାର୍ଡରେ ବରିଷ୍ଠ ନାଗରିକଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ସ୍ମାର୍ଟ ସିଟିକୁ ଦେଶରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବା ପାଇଁ ବିଜେଡି ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ଦାସ ମତପ୍ରକାଶ କରିଥିଲେ। ଭୁବନେଶ୍ବରର ତିନି ବିଧାୟକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା ମଧ୍ୟ ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ନିଜ ନିଜ ସ୍ତରରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି।
ବିଜେପି କର୍ପୋରେଟର ପ୍ରାର୍ଥିନୀ ସୁନୀତି ମୁଣ୍ଡ୍ ୨୨ ଦଫା ସଂକଳ୍ପ ନେଇ ଭୋଟରଙ୍କୁ ପାଖକୁ ଯାଇଛନ୍ତି। ଅଧାପନ୍ତରିଆ ସ୍ମାର୍ଟ ସିଟିର ପୂର୍ଣ୍ଣାଙ୍ଗ ରୂପ, ସହରର ୧୩ଟି ମୁଖ୍ୟ ଡ୍ରେନକୁ ଗଙ୍ଗୁଆ ନାଳ ସହ ସଂଯୋଗ କରି ଡ୍ରେନ ସମସ୍ୟାର ସମାଧାନ, ଭୁବନେଶ୍ୱର ସହରକୁ କୃତ୍ରିମ ବନ୍ୟାରୁ ରକ୍ଷା, ଐତିହ୍ୟ ସହର ଭୁବନେଶ୍ୱରର କୀର୍ତ୍ତିରାଜିଙ୍କର ସୁରକ୍ଷା ଓ ବିକାଶ, ଦେଶର ପର୍ଯ୍ୟଟନ ମାନଚିତ୍ରରେ ଭୁବନେଶ୍ୱରକୁ ସ୍ଥାନିତ, ସହରକୁ ବସ୍ତି ମୁକ୍ତ କରିବା, ସମସ୍ତଙ୍କୁ ଜମିପଟ୍ଟା ସହ ଛାତ ଘର ଯୋଗାଇଦେବା ପରି ସଂକଳ୍ପ କରିଛନ୍ତି।
ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ସହ ମିଶି ସହରର ବିଭିନ୍ନ ୱାର୍ଡ ବୁଲୁଛନ୍ତି। ମଧ୍ୟ ଭୁବନେଶ୍ବରର ବିଜେପି ନେତା ଜଗନ୍ନାଥ ପ୍ରାଧାନ, ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ପ୍ରମୁଖ ବିଭିନ୍ନ ୱାର୍ଡ ବୁଲି ବିଜେପି ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ତେବେ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ସମୟ ଥିବା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାରରୁ ଦୂରେଇ ଯାଇଛନ୍ତି। ପ୍ରାର୍ଥୀମାନେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଅପେକ୍ଷା କରି ରହିଥିବା ବେଳେ ସେ ଲୋକସଭାର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି। ସାଂସଦଙ୍କ ଏଭଳି ଅନ୍ତର୍ଧାନ କର୍ମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
କଂଗ୍ରେସ ମେୟର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ସମେତ କର୍ପୋରେଟର ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେଉଛନ୍ତି। ନିଜ ନିଜ ତରିକାରେ ଶୋଭାଯାତ୍ରା କରୁଛନ୍ତି। ଦଳ ସବୁ ୱାର୍ଡରେ ପ୍ରାର୍ଥୀ ଦେଇ ନ ଥିବାରୁ ମେୟର ପ୍ରାର୍ଥିନୀ କେତେକ ୱାର୍ଡରେ ନିଜ ସମର୍ଥକଙ୍କ ସହ ବୁଲୁଥିବା ନଜରକୁ ଆସିଥିଲା।
୩୧ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ସୂର୍ଯ୍ୟକାନ୍ତ ଜେନା ସୋମବାର ଜୋର୍ଦାର ପ୍ରଚାର କରିଛନ୍ତି। ୱାର୍ଡର ବିକାଶ କରିବାକୁ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ମିଶି ୱାର୍ଡର ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି।