ଖଣ୍ଡଗିରି  ଚଳିତ ପୌର ନିର୍ବାଚନ ପାଇଁ ବିଏମ୍‌ସି ୱାର୍ଡ ନମ୍ବର ୬୪ରେ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିଲେ ହେଁ ପ୍ରାର୍ଥୀ ଚୟନ ଆପାତତଃ ଚୂଡ଼ାନ୍ତ ହୋଇଛି। ଏମିତିକି ଏଠାରୁ ସିପିଆଇ(ଏମ୍‌) ମଧ୍ୟ ପ୍ରାର୍ଥୀ ଚୟନ କରିଛି ବୋଲି ଜଣାପଡ଼ିଛି। କିନ୍ତୁ ଏଠାରେ ବିଜେପିର ଅଙ୍କ କଷା ସରିନାହିଁ। ବହୁ ସମସ୍ୟା ଥିବା ଏହି ୱାର୍ଡରେ ସବୁଥର ଭଳି ଏଥର ବି ନିର୍ବାଚନ ଲଢ଼େଇ ଜୋର୍‌ଦାର୍ ହେବ ବୋଲି ଚର୍ଚ୍ଚା ହେଉଛି। ମାତ୍ର ବିଜେପି ଆଶାୟୀଙ୍କ ନାମ ବାହାରକୁ ଆସିନଥିବାରୁ ଦଳର ଏହା ଏକ ଭିନ୍ନ ରଣନୀତି ବୋଲି ଅନୁମାନ କରାଯାଉଛି। ଏଥର ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ପୂର୍ବତନ କର୍ପୋରେଟର ମୁଜାହିଦ୍ଦ ହୁସେନ୍‌ଙ୍କ ପତ୍ନୀ ସକିବା ମୁସାରତ୍‌ ବିଜେଡି ଟିକେଟ୍‌ ପାଇବା ଚର୍ଚ୍ଚା ହେଉଛି। କଂଗ୍ରେସ ପକ୍ଷରୁ ଆଫତାବ୍‌ ଅଲ୍ଲୀଙ୍କ ପତ୍ନୀ ତୈମୁନ୍ ନିସାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେହିଭଳି ସବନମ୍‌ ପରୱିନ୍ ମଧ୍ୟ ପ୍ରାର୍ଥୀ ହେଉଥିବା କୁହାଯାଉଛି। ସିପିଆଇ(ଏମ୍‌) ପକ୍ଷରୁ ଅଲ୍ଲୀସନ୍‌ ବିବି ପ୍ରାର୍ଥୀ ହେବା ଆଲୋଚନା ହେଉଛି।

Advertisment

ୱାର୍ଡ ପରିସୀମା
ଯଦୁପୁର, ଡୁମଡୁମା ଗାଁ, ବେଗୁନିଆ, ପଞ୍ଚସଖା ନଗର, କସ୍ମୋପଲିସ, ଆଇଟିଇଆର୍‌ କଲେଜ, ନିଳାଦ୍ରୀନଗର, ପେଟ୍ରୋଲ ପମ୍ପ ପଛ

ଭୋଟର୍: ୮୨୯୬
ପୁରୁଷ: ୪୩୧୩
ମହିଳା: ୩୯୬୧
ତୃତୀୟ ଲିଙ୍ଗ: ୨୨

ମାତ୍ର ବିଜେପି ଏଠାରୁ କାହାକୁ ପ୍ରାର୍ଥୀ କରିବ, ତାହା ଏବେ ବି ଅସ୍ପଷ୍ଟ ରହିଛି। ପୂର୍ବରୁ ଏଠାରେ ବେଶ୍ ସକ୍ରିୟ ଥିବା ଜଣେ ନେତ୍ରୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟତର ମହିଳାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ବି କିଛି ସ୍ପଷ୍ଟ ହୋଇନାହିଁ। ତେବେ ବିଜେପିର ସାଂଗଠନିକ ସ୍ଥିତି ମଜବୁତ୍ ଥିବାରୁ ଏଠାରେ ଜଣେ ଟାଣୁଆ ନେତ୍ରୀ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି। ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଥିବାରୁ ଖୁବ୍‌ ଶୀଘ୍ର ସବୁ ଦଳର ଚିତ୍ର ସାମ୍ନାକୁ ଆସିବ। ଏଠାରେ ଫଳାଫଳର ନିର୍ଣ୍ଣାୟକ ହେବେ ୩ ହଜାରରୁ ଊର୍ଧ୍ବ ବସ୍ତିବାସିନ୍ଦା। ସେମାନଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରସଙ୍ଗ ନେଇ ମଇଦାନ ସରଗରମ ହେବ। ଏଥିସହିତ ରାସ୍ତା, ଡ୍ରେନ୍‌, ସ୍କୁଲ୍‌ ଗୃହ ନିର୍ମାଣ ମଧ୍ୟ ମୁଖ୍ୟ ପ୍ରସଙ୍ଗ ହେବ। କିଛି ଅଞ୍ଚଳରେ ଏମିତି ସଂକୀର୍ଣ୍ଣ ଗଳି ଅଛି ଯେଉଁଠି ଆମ୍ବୁଲାନ୍ସ ପଶିପାରେନାହିଁ। କଂଗ୍ରେସର ଅଭିଯୋଗ ଅନୁସାରେ ନିମ୍ନମାନର କାମ କିଛି ଦିନ ମଧ୍ୟରେ ଖରାପ ହୋଇଯାଉଛି।

ସିପିଆଇ(ଏମ୍‌) ଆଶାୟୀ ଅଲ୍ଲୀସାନ୍‌ ବିବିଙ୍କ ଅଭିଯୋଗ ଅନୁସାରେ ହାଉସିଂବୋର୍ଡରୁ ଯଦୁପୁର ଓ ଟାଙ୍ଗିସାହି ଅଞ୍ଚଳର ରାସ୍ତା ସବୁ ଖାଲଖମାରେ ଭର୍ତ୍ତି ହୋଇଛି। ଖଣ୍ଡଗିରି ଓଭରବ୍ରିଜ୍‌ ଯୋଗୁଁ ଲୋକେ କଳିଙ୍ଗବିହାରରୁ ବୁଲିକି ଭୁବନେଶ୍ବର ସହର ଭିତରକୁ ଯିବାକୁ ପଡ଼ୁଛି। କସ୍ମୋପୋଲିସ୍‌ କିମ୍ବା ଆଇଗିଣିଆରେ ଅଣ୍ଡରପାସ୍ ପାଇଁ ଦାବି ହେଉଛି। ଟାଙ୍ଗି ସାହି, କପରବଣିଆ, ହାଉସିଂବୋର୍ଡର କିଛି ରାସ୍ତାରେ ଆବଶ୍ୟକ ସଂଖ୍ୟକ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ଟାଙ୍ଗିବସ୍ତିର ଅନେକ ଗରିବ ‌ଲୋକ ରାସନ୍‌ କାର୍ଡରୁ ବଞ୍ଚିତ ହୋଇଛନ୍ତି। ସ୍ଥାନୀୟ ଅଧିବାସୀ ହଜୁର୍‌ ଖାଁଙ୍କ ଅନୁସାରେ ଜାମା ମସଜିଦ୍‌ ନୂଆସାହିରେ ଆଜି ପର୍ଯ୍ୟନ୍ତ ଡ୍ରେନ୍‌ ହୋଇପାରିନାହିଁ। କ୍ବାସିମ୍‌ ଖାଁଙ୍କ ଅନୁସାରେ ଯଦୁପୁର ପ୍ରାଥମିକ ସ୍କୁଲରେ ଆବଶ୍ୟକ ଶ୍ରେଣୀ ଗୃହର ଅଭାବ ରହିଛି। ପୂର୍ବତନ କର୍ପୋରେଟରଙ୍କ ପ୍ରଚେଷ୍ଟାରେ ୨ଟି ଶ୍ରେଣୀ ଗୃହ ହୋଇଥିଲେ ବି ଆହୁରି ଶ୍ରେଣୀଗୃହର ଆବଶ୍ୟକତା ରହିଛି।

ପୂର୍ବତନ କର୍ପୋରେଟର ମୁଜାହିଦ୍ଦ ହୁସେନ୍‌ କହନ୍ତି ତାଙ୍କ କାର୍ଯ୍ୟକାଳ ସମୟରେ ଯଦୁପୁର, ଡୁମୁଡୁମା, ଡୁମୁଡୁମା-ନୁଆସାହି ରାସ୍ତା, ଡୁମୁଡୁମା ନୂଆ ଭୋଇସାହି ରାସ୍ତା, ପଞ୍ଚସଖାନଗରରେ ଡ୍ରେନ୍‌ ଓ ରାସ୍ତା ନିର୍ମାଣ ହୋଇଛି। ସ୍କୁଲ୍‌ ଗୃହ, କମ୍ୟୁନିଟି ସେଣ୍ଟର, ୪ଟି ପୋଖରୀ ଓ ୨ଟି ମିନି ଷ୍ଟାଡିୟମ୍‌ ନିର୍ମାଣ ହୋଇଛି। ପଞ୍ଚସଖାନଗର ସମେତ କିଛି ସ୍ଥାନରେ ଡ୍ରେନ୍‌ କାମ ବାକି ରହିଛି। ଡୁମଡୁମା ବିଦ୍ୟାଳୟରେ ନୂତନ ‌ଶ୍ରେଣୀଗୃହର ଆବଶ୍ୟକତା ରହିଛି। ସେସବୁ କାମ ନିଶ୍ଚୟ ହେବ।

୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ମୁଜାହିଦ୍ଦ ହୁସେନ୍‌ ସ୍ବାଧୀନ ପ୍ରାର୍ଥୀ ତ୍ରିନାଥ ଜେନାଙ୍କୁ ପରାଜିତ କରିଥିଲେ। ତୃତୀୟ ସ୍ଥାନରେ କଂଗ୍ରେସର ଆଫତାବ ଅଲ୍ଲୀ ଥିଲେ। ପୂର୍ବରୁ ଏଠାରୁ ବାବୁଲି ଭୋଇ, କଂଗ୍ରେସର ସୟଦ ଅଲ୍ଲୀ, ସମୃଦ୍ଧ ଓଡ଼ିଶାରୁ ଛବି ଦାସ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଛବି ଦାସ ବିଜେଡିରେ ସାମିଲ ହୋଇ ଅନ୍ୟ ୱାର୍ଡର କର୍ପୋରେଟର ହୋଇଥିଲେ।