ବିଏମ୍‌ସି ନିର୍ବାଚନ: ବିଜେଡି ଯିବେ କି ସ୍ବାଧୀନ ପ୍ରାର୍ଥୀ?

ଭୁବନେଶ୍ବର: ଏଥର ବିଏମ୍‌ସି ନିର୍ବାଚନରେ ୯ ସ୍ବାଧୀନ କର୍ପୋରେଟର୍‌ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅଧିକାଂଶ ପ୍ରାର୍ଥୀ ବିଦ୍ରୋହୀ ବିଜେଡି। ବିଜେଡିରୁ ଟିକେଟ୍‌ ନ ମିଳିବା ପରେ ସେମାନେ ସ୍ବାଧୀନ ଭାବେ ପ୍ରାର୍ଥୀ ହେବା ସହ ଜିତିଛନ୍ତି। ଗତଥର ସ୍ବାଧୀନ ଭାବେ ବିଜୟ ଲାଭ କରିଥିବା ୧୨ ଜଣ କର୍ପୋରେଟର ବିଜେଡିରେ ସାମିଲ ହୋଇଥିଲେ। ଏଣୁ ଏଥର ମଧ୍ୟ ଏହି ସ୍ବାଧୀନ କର୍ପୋରେଟରମାନେ ବିଜେଡିରେ ସାମିଲ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଶାସକ ଦଳ ସହିତ ରହିଲେ ଏମାନଙ୍କର ମଧ୍ୟ ଫାଇଦା ରହିଛି। ତା’ ଛଡ଼ା ବିଜେଡି ମଧ୍ୟ ଏମାନଙ୍କୁ ସାମିଲ କରି ତା’ର କଳେବର ବଢ଼ାଇବାକୁ ଚାହିବ। ଜିତିଥିବା ୯ ସ୍ବାଧୀନ କର୍ପୋରେଟର୍‌ଙ୍କ ସହ ବିଜେଡିରେ ମିଶିବା ସମ୍ଭାବନାକୁ ନେଇ ସମ୍ବାଦ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ସେମାନେ ବିଜେଡିରେ ମିଶିବା ନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ସମ୍ଭାବନାକୁ ଏଡ଼ାଇ ଯାଇନାହାନ୍ତି।

୨୪ନଂ ୱାର୍ଡରେ ସ୍ବାଧୀନ ଭାବେ ଜିତିଥିବା ଦୀପକ ମିଶ୍ର ‘ମୋ ପରିବାର’ ସହିତ ଜଡ଼ିତ ଅଛନ୍ତି। ଏଣୁ ବିଜେଡିରେ ଯୋଗ‌ ଦେବା ନେଇ ଚର୍ଚ୍ଚା ହେଉଛି। ଏନେଇ ସେ କହିଛନ୍ତି, ୱାର୍ଡବାସୀଙ୍କ ଇଚ୍ଛାରେ ପ୍ରାର୍ଥିପତ୍ର ଦାଖଲ କରିଥିଲା। ସେମାନଙ୍କ ଆଶୀର୍ବାଦରେ ଜିତିଛି। ଏଣୁ ଆଗକୁ ସମସ୍ତ ନିଷ୍ପତ୍ତି ହିଁ ସେଇମାନଙ୍କର ହେବ। ମୋ ଇଚ୍ଛାରେ କିମ୍ବା କାହା ଚାପରେ ମୁଁ ନିଷ୍ପତ୍ତି ନେବି ନାହିଁ ବୋଲି କହିଛନ୍ତି।

୪୬ ନମ୍ବର ୱାର୍ଡରୁ ଜିତିଥିବା ପୁଷ୍ପା ରାଉତ, ୫୮ରୁ ଜିତିଥିବା‌ ନମିତା ମହାପାତ୍ର ଓ ୬୦ ନମ୍ବର ୱାର୍ଡ ଚନ୍ଦ୍ରଶେଖର ମଲ୍ଲିଆ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଏବେ କିଛି ଚିନ୍ତା କରାଯାଇନି କିମ୍ବା କୌଣସି ବିଜେଡି ନେତା ମଧ୍ୟ ଯୋଗାଯୋଗ କରିନାହାନ୍ତି। ୱାର୍ଡବାସୀ ଯାହା ଚାହିବେ ସେଇୟା ହେବ ବୋଲି କହିଛନ୍ତି।

ଅନ୍ୟପଟେ ୬୫ ୱାର୍ଡ କର୍ପୋରେଟର ରଶ୍ମୀରଞ୍ଜନ ପାଟ୍ଟଶାଣି କହିଛନ୍ତି, ମୋ ୱାର୍ଡବାସୀଙ୍କ କଥା ଯିଏ ବୁଝିବ, ୱାର୍ଡ ସର୍ବାଙ୍ଗୀନ ଉନ୍ନତି ପାଇଁ ମୋ ସହ ଯିଏ ଛିଡ଼ା ହେବ ମୁଁ ତା’ ସହ ରହିବି।

୯ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ସୁଷମା ସାହୁ କହିଛନ୍ତି ଯେ ୱାର୍ଡବାସୀଙ୍କୁ ଭେଟି ଆଜି କୃତଜ୍ଞତା ଜଣାଉଛି। ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏବେ କୌଣସି ନିଷ୍ପତ୍ତି ନେଇ ନାହିଁ। ୱାର୍ଡବାସୀଙ୍କ ସହ ଆଲୋଚନା ପରେ ପରବର୍ତୀ ପଦକ୍ଷେପ ନେବି। ୧୩ ନମ୍ବର ୱାର୍ଡ କର୍ପୋରେଟର ଇତିଶ୍ରୀ ଦାଶ କହିଛନ୍ତି ଫଳାଫଳକୁ ନେଇ ଆମେ ଖୁସି ଅଛୁ।

ୱାର୍ଡବାସୀ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞ। ବିଜେଡିରେ ମିଶିବି କି ନାହିଁ କୌଣସି ନିଷ୍ପତ୍ତି ନେଇ ନାହିଁ। ୧୫ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପିଙ୍କି ସ୍ବାଇଁଙ୍କ କହିବାନୁଯାୟୀ ବିଜେଡିରେ ମିଶିବା ନେଇ କିଛି ସ୍ଥିର କରିନି। ୱାର୍ଡବାସୀ ମୋତେ ଜିତାଇଛନ୍ତି। ସେମାନଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି। ତେଣୁ ସେମାନେ ଯାହା ନିଷ୍ପତ୍ତି ନେବେ ତାହାକୁ ପାଳନ କରିବି। ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍‌ କହିଛନ୍ତି ଯେ ୱାର୍ଡ ଲୋକଙ୍କ ମତାମତ ଲୋଡ଼ିବେ। ସେମାନେ ଯଦି ସହମତି ପ୍ରକାଶ କରିବେ ତେବେ ଯାଇ ବିଜେଡିରେ ମିଶିବି। ଏବେ ସେ ବିଷୟରେ କିଛି ବି ଚିନ୍ତା କରି ନାହିଁ।

ସମ୍ବନ୍ଧିତ ଖବର