ଭୁବନେଶ୍ବର:ବିଏମ୍‌ସି ମେୟର ଓ କର୍ପୋରେଟର ପଦ ପାଇଁ ଲଢ଼େଇ ହେଉଥିଲା। ‌ୱାର୍ଡସ୍ତରରେ ପ୍ରାର୍ଥୀ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଥିଲେ। ମାତ୍ର ମଙ୍ଗ ଧରିଥିଲେ ସ୍ଥାନୀୟ ନେତା। ଭୁବନେଶ୍ବରର ତିନି ବିଧାୟକଙ୍କ ଉପରେ ବିଜେଡି ଭରସା କରିଥିଲା। ଆଉ ବିଜେପି ପାଇଁ ସର୍ବେସର୍ବା ସାଜିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଖୁବ୍‌ କମ୍‌ ଦିନ ମଧ୍ୟରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ, ସବୁ କିଛି ଆହ୍ବାନ ସୃଷ୍ଟି କରିଥିଲା। ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ବିଜେଡି ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ବିଜେପିକୁ କଷ୍ଟକର ହୋଇଥିଲା। ଯେଉଁଥିପାଇଁ ୬୭ଟି ଆସନ ମଧ୍ୟରୁ ବିଜେଡି ୪୮ଟି ହା‌ତେଇବାରେ ସକ୍ଷମ ହୋଇଥିଲା। ଆଉ ବିଜେପି ୧୦ରେ ଅଟକି ରହିଥିଲା। ପ୍ରଚାରରେ ଆଦୌ ଆଗରେ ନ ଥିବା କଂଗ୍ରେସ ଖାତା ଖୋଲିପାରି ନ ଥିଲା।

Advertisment

ଏଥର ବିଏମ୍‌ସି ନିର୍ବାଚନ ବିଜେଡି ଓ ବିଜେପି ପାଇଁ ଏକପ୍ରକାର ସମ୍ମାନର ପ୍ରଶ୍ନ ରହିଥିଲା। କାରଣ ୨୦୧୯ରେ ଭୁବନେଶ୍ବରର ତିନିଟି ଯାକ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ମାତ୍ର ସାଂସଦ ପଦ ଛଡ଼ାଇ ନେଇଥିଲା ବିଜେପି। ପୂର୍ବ ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଥିଲେ ବିଜେଡି। ଦଳର ଶୀର୍ଷ ନେତୃତ୍ବ ବିଧାୟକମାନଙ୍କ ଉପରେ ଭରସା କରି ଦାୟିତ୍ବ ନ୍ୟସ୍ତ କରିଥିଲେ। ଯେଉଁଥିପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା, ବିଧାୟକ ସୁଶାନ୍ତ କୁମାର ରାଉତ ଓ ଅନନ୍ତ ନାରାୟଣ ଜେନା ପ୍ରାର୍ଥୀଙ୍କ ନାମ ଚୟନଠାରୁ ପ୍ରଚାର ଯାଏ, ସବୁଥିରେ ଆଗଧାଡ଼ିରେ ରହିଥିଲେ। ସେମାନଙ୍କ ସୁପାରିସ୍‌ରେ ହିଁ ଦଳ ପ୍ରାର୍ଥୀ ବାଛିଥିଲା।

ଅବଶ୍ୟ ଏମାନଙ୍କ ଅନିଚ୍ଛା ସତ୍ତ୍ବେ କିଛି ୱାର୍ଡରେ ଦଳ ପ୍ରାର୍ଥୀ ଚୟନ କରିଥିଲା। ‌ତା’ପରେ ବି ପ୍ରଚାରରେ ତିନି ବିଧାୟକ ଅନ୍ୟ ଦଳ ତୁଳନାରେ ବହୁ ଆଗରେ ରହିଥିଲେ। ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ମେୟର ପ୍ରାର୍ଥୀଙ୍କୁ ସାଙ୍ଗ ଧରି ୱାର୍ଡସ୍ତରରେ ଘନଘନ ପ୍ରଚାର କରିଥିଲେ। ଯେଉଁଥିପାଇଁ ଦଳ ପୁଣିଥରେ ବିଏମ୍‌ସି ଦଖଲ କରିବାରେ ସଫଳ ହୋଇଛି। ଅବଶ୍ୟ ପ୍ରଚାରର ଶେଷ ମୂହୁର୍ତ୍ତରେ ଦଳ କିଛି ନେତାଙ୍କୁ ପର୍ଯ୍ୟବେକ୍ଷକ କରି ମଇଦାନକୁ ଛାଡ଼ିଥିଲା। ମାତ୍ର କିଛି ବି କାମ କଲାନି। ପର୍ଯ୍ୟବେକ୍ଷକମାନେ ଯେଉଁ ୱାର୍ଡ ଦାୟିତ୍ବରେ ରହିଲେ ସେଠାରେ ଦଳ ଚିତ୍‌ପଟାଙ୍ଗ୍‌ ମାରିଲା।

publive-image

ସେପଟେ ବିଜେପି ପ୍ରାର୍ଥୀଙ୍କ ପାଇଁ ସାଂସଦ ଅପରାଜିତ‌ା ଷଡ଼ଙ୍ଗୀ ଥିଲେ ସବୁକିଛି। ପ୍ରାର୍ଥୀ ଚୟନଠାରୁ ପ୍ରଚାର ପର୍ଯ୍ୟନ୍ତ। ସବୁ ତାଙ୍କ ନେତୃତ୍ବରେ ହିଁ ଚାଲିଥିଲା। ତାଙ୍କ ପସନ୍ଦରେ ହିଁ ମେୟର ପ୍ରାର୍ଥୀ ଚୟନ କରିଥିଲା ଦଳ। କର୍ପୋରେଟର ପ୍ରାର୍ଥୀ ଚୟନରେ ବି ତାଙ୍କ ଭୂମିକା ରହିଥିଲା। ଯେଉଁଥିପାଇଁ ଦଳର ଶୀର୍ଷ ନେତୃତ୍ବ ଏଥର ନିର୍ବାଚନରେ ସେତେଟା ଆଗ୍ରହ ଦେଖାଇଲେ ନାହିଁ। ଏମିତିକି ଖୋଦ୍‌ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମାତ୍ର ଗୋଟିଏ ଦିନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଜିଲ୍ଲା ସଭାପତି ବାବୁ ସିଂହ ଏକାମ୍ର ଭୁବନେଶ୍ବରରେ ଆରମ୍ଭରୁ ଶେଷ ଯାଏ ପ୍ରଚାରର ମଙ୍ଗ ଧରିଥିଲେ। ମଧ୍ୟ ଭୁବନେଶ୍ବରରେ ଜଗନ୍ନାଥ ପ୍ରଧାନ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ। ମାତ୍ର ଉତ୍ତର ଭୁବନେଶ୍ବରରେ ବିଜେପି ନେତା ଶୂନ୍ୟ ହୋଇ ଯାଇଥିଲେ। ମଙ୍ଗ ଧରିବାକୁ କେହି ନେତା ନ ଥିଲେ। ଅବଶ୍ୟ ବିଜେଡି ଅସନ୍ତୁଷ୍ଟଙ୍କ ଯୋଗୁଁ ଦଳ ଫାଇଦାରେ ରହିଲା।