ଭୁବନେଶ୍ବର: ମହାନଗର ନିଗମ ନିର୍ବାଚନ ପାଇଁ ଗୋଟିଏ ଦିନ ପରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଛି। ଏଥିପାଇଁ ପ୍ରମୁଖ ଦଳମାନେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚିହ୍ନଟ ଆରମ୍ଭ କରିଛନ୍ତି। ୱାର୍ଡରେ ପ୍ରଭାବ, ତୃଣମୂଳ ସ୍ତରରେ ସଂଗଠନ ଓ ଦଳ ପ୍ରତି ଆନୁଗତ୍ୟକୁ ବିଚାରକୁ ନେଇ ପ୍ରାର୍ଥୀ ଚୟନ କରାଯାଉଛି। ଏଣେ ଟିକେଟ୍‌ ହାତେଇବାକୁ ପ୍ରାର୍ଥୀ ମଧ୍ୟ କୌଣସି ସୁଯୋଗ ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି। ୱାର୍ଡ ସ୍ତରରେ ସଭାସମିତି ସହ ବନ୍ଧୁମିଳନ କରି ନିଜର ପତିଆରା ଜାହିର କରୁଛନ୍ତି। ଲୋକଙ୍କୁ ଏକାଠି କରି ମୁଖିଆଙ୍କ ଉପ‌ରେ ଚାପ ପକାଇବାକୁ ଉଦ୍ୟମ କରୁଛନ୍ତି।

Advertisment

କେବଳ ଶାସକ ଦଳ ନୁହନ୍ତି, ବିରୋଧୀ ଦଳମାନେ ମଧ୍ୟ ଏହି ଫର୍ମୁଲା ଆପଣେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଭଳି ସଭା କେଉଁଠି ଖୋଲା ଖୋଲି ହେଉଥିବା ବେଳେ କେଉଁଠି ଆଶାୟୀ ରୁଦ୍ଧଦ୍ବାରରେ ନିଜ ସାମର୍ଥ୍ୟ ପରଖୁଛନ୍ତି। ଗତକାଲି ବଡ଼ଗଡ଼ ଗ୍ରାମରେ ବିଜେଡି ଆଶାୟୀଙ୍କ ଶୋଭାଯାତ୍ରା ଓ ମହାରାଜା ଫିଲ୍ମ ହଲ୍‌ ପାର୍ଶ୍ବ ବସ୍ତିରେ ବିଜେପିର ଦଳୀୟ ସଭା ଦେଖିବାକୁ ମିଳିଥିଲା। ଆଜି ନୂଆପଲ୍ଲୀ ଓ ଜଗନ୍ନାଥନଗରରେ ବିଜେଡି ଆଶାୟୀ ରାଜନୈତିକ ସଭା କରିଛନ୍ତି। ବିଭିନ୍ନ ସମସ୍ୟା ନେଇ ଆଲୋଚନା କେବଳ ଏକ ବାହାନା ଥିଲା। ଯଦିଓ କର୍ମୀ ବା ଆଶାୟୀମାନେ ଏହାକୁ ଖଣ୍ଡନ କରିଛନ୍ତି, ତଥାପି ବାସ୍ତବ କଥା ଥିଲା ଦଳ ମୁଖିଆଙ୍କ ଉଦ୍ଦେଶ୍ୟରେ ନିଜର ଶକ୍ତି ପ୍ରଦର୍ଶନ କରିବା।

ରବିବାର ରାତିରେ ୱାର୍ଡ ନମ୍ବର ୨୯ରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ପ୍ରାୟ ୩ଶହ ଲୋକ ଏକାଠି ହୋଇଥିଲେ। ମହାରାଜା ସିନେମା ହଲ୍‌ ନିକଟରେ ରାଜପଥକୁ ଲାଗି ପ୍ରାୟ ୧୫ଟି ପରିବାର ରହୁଛନ୍ତି। ମାତ୍ର ସେମାନଙ୍କ ପାଇଁ ଶୌଚାଳୟ ନାହିଁ। ତେଣୁ ସେମାନଙ୍କୁ ଶୌଚାଳୟ ଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଛି। ବିଜେଡିର ସେକ୍‌ ନିଜାମୁଦ୍ଦିନ୍‌ ଏଠାରେ ପୂର୍ବରୁ କର୍ପୋରେଟର ରହିଛନ୍ତି। ତାଙ୍କୁ ମାତ୍‌ ଦେବା ପାଇଁ ବିଜେପି ଏଭଳି ଅନ୍ଧାରୀ ବିଜେ କରିଥିବା‌ କୁହାଯାଉଛି। ବର୍ଷ ବର୍ଷ ଧରି ପୂରଣ ହୋଇନଥିବା ସମସ୍ୟାକୁ ଟାର୍ଗେଟ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା ହୋଇଥିବା ଏଠାରୁ ବିଜେପି ଆଶାୟୀ ଥିବା ଜୀବନ ରାଉତ କହିଛନ୍ତି।

publive-image

ସେହିଭଳି ୧୫ ନମ୍ବର ୱାର୍ଡରେ ଏକାମ୍ର ପାର୍କ ନିକଟରେ ଏକ ବୈଠକ ବସିଥିଲା। ଯାହାର ନେତୃତ୍ବ ନେଇଥିଲେ ଗତ ନିର୍ବାଚନରେ ଏହି ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଅଶୋକ ରାଜ୍‌। ମାତ୍ର ୭୦ ଖଣ୍ଡ ଭୋଟ୍‌ରେ ତାଙ୍କୁ ପରାଜିତ କରି ସ୍ବାଧୀନ ପ୍ରାର୍ଥୀ ସମୀର ପ୍ରଧାନ ବିଜୟ ଲାଭ କରିଥିଲେ। ଯଦିଓ ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏବେ ଏହି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସମୀର ପ୍ରଧାନ ନିଜ ସମ୍ପର୍କୀୟଙ୍କ ପାଇଁ ଟିକେଟ୍‌ ଲବିରେ ରହିଥିବା ବେଳେ ଆଜି ଅଶୋକ ମଧ୍ୟ ଶତାଧିକ କର୍ମୀଙ୍କୁ ଏହି ବୈଠକରେ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ତାଙ୍କ ପତ୍ନୀ ପିଙ୍କି ସ୍ବାଇଁଙ୍କ ପାଇଁ ଟିକେଟ୍‌ ଲବିରେ ରହିଛନ୍ତି। ଏଣୁ ଆଜିର ଏହି ବୈଠକ ଏଠାରେ ଟିକେଟ୍‌ ବଣ୍ଟା ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି।

ସେହିଭଳି ୧୦ ନମ୍ବର ୱାର୍ଡରେ ଆଜି ଏକ ବିରାଟ ବନ୍ଧୁମିଳନ ଅନୁଷ୍ଠିତ ହୋଇଛି। ଏଥିରେ ଦିଲ୍ଲୀପ ନାୟକ ନେତୃତ୍ବ ନେଇଥିଲେ। ଭୋଟପଡ଼ା ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପାଖାପାଖି ୫୦୦ ଲୋକ ଯୋଗ ଦେଇଥିଲେ। ଗତ ଥର ଏଠାରେ ବିଜେଡିରୁ ପ୍ରଣତୀ ନାୟକ କର୍ପୋରେଟର ହୋଇଥିବା ବେଳେ ଏବେ ଅଣସଂରକ୍ଷିତ ରହିଛି। ଏଠାରେ ଦିଲିପ ନାୟକ ଆଶାୟୀ ଅଛନ୍ତି। ଆଜି ବନ୍ଧୁମିଳନରେ ବିଧାୟକ ସୁଶାନ୍ତ ରାଉତ ଓ ଅରୂପ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ କେହି ଆସି ନାହାନ୍ତି। ଏଣୁ ଟିକେଟ୍‌ ବଣ୍ଟନକୁ ନେଇ ଏହି ୱାର୍ଡରେ ଆଗକୁ ବିଧାୟକଙ୍କ ପାଇଁ ଏକ ଆହ୍ବାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।