ବିଏମ୍‌ସି ନିର୍ବାଚନ: ଦୁଇଟି ୱାର୍ଡରେ ସୁଲୋଚନା ପଛରେ

ଭୁବନେଶ୍ବର: ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଏକପାଖିଆ ଭାବେ ବିଜୟ ହାସଲ କରିଛନ୍ତି। ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁନୀତି ମୁଣ୍ଡ୍‌ଙ୍କୁ ୬୧ ହଜାର ୧୪୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏତେ ବଡ଼ ବ୍ୟବଧାନରେ ଜିତିଥିଲେ ମଧ୍ୟ ଶ୍ରୀମତୀ ଦାସ ଦୁଇଟି ୱାର୍ଡରେ ପଛରେ ପଡ଼ିଛନ୍ତି। ବିଜେଡିର ସମସ୍ତ ପ୍ରକାର ରଣକୌଶଳ ପରେ ବି ବିଜେପି ପ୍ରାର୍ଥିନୀ ସୁନିତୀ ଦୁଇଟି ୱାର୍ଡରେ ସୁଲୋଚନାଙ୍କଠାରୁ ଅଧିକ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି। ଆଉ ଦୁଇଟି ୱାର୍ଡରେ ବହୁ କମ୍‌ ଭୋଟରେ ସୁଲୋଚନା ଆଗରେ ରହିଛନ୍ତି।

ସମ୍ପୂର୍ଣ୍ଣ ତଥ୍ୟକୁ ଅନୁଶୀଳନ କଲେ ଜଣାପଡ଼େ ଯେ ବିଜେଡି ପ୍ରାର୍ଥିନୀ ‌ଶ୍ରୀମତୀ ଦାସ ମୋଟ ୧ ଲକ୍ଷ ୭୪ ହଜାର ୫୬୨ ଭୋଟ ପାଇଛନ୍ତି ଏବଂ ୬୧ ହଜାର ୧୪୩ ଭୋଟରେ ଜିତିଛନ୍ତି। ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଶ୍ରୀମତୀ ଦାସଙ୍କୁ ଅଧିକ ଭୋଟ ମିଳିଛି। ଏହି ନିର୍ବାଚନମଣ୍ଡଳୀର ୨୪ ୱାର୍ଡରୁ ସେ ୨୦ ହଜାର ୯୬୩ ଭୋଟରେ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି। ତା’ପରେ ବି ଏହି ନିର୍ବାଚନମଣ୍ଡଳୀରେ ତାଙ୍କୁ କ୍ଷତି ସହିବାକୁ ପଡ଼ିଛି। ୪୮ ନମ୍ବର ୱାର୍ଡରେ ସେ ୭୬ ଭୋଟ ପଛରେ ରହିଛନ୍ତି।

୨୩ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀଙ୍କଠାରୁ ମାତ୍ର ୧୦ଟି ଭୋଟ ଅଧିକ ପାଇବାରେ ସକ୍ଷମ ହୋଇଛନ୍ତି। ଅବଶ୍ୟ ଏହି ୱାର୍ଡରେ ବିଜେଡି ପ୍ରାର୍ଥୀ ମାତ୍ର ୩୬ ଖଣ୍ଡ ଭୋଟରେ ବିଜୟ ହୋଇଛନ୍ତି। ସେହି ଦୃଷ୍ଟିରୁ ବିଜେଡି ମେୟର ପ୍ରାର୍ଥିନୀଙ୍କର ଭୋଟ ବ୍ୟବଧାନ ଏତେ କମ୍‌ ରହିଛି। ସେହିପରି ୬୩ ନମ୍ବର ୱାର୍ଡରେ ସୁଲୋଚନା ମାତ୍ର ୮୫ ଭୋଟ ଆଗରେ ରହିଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ସୁଜାତା ଛୋଟରାୟ ବିଜୟ ହୋଇଛନ୍ତି।

ଏକାମ୍ରରେ ଅଧିକ ଭୋଟ୍‌, ଉତ୍ତରରେ ସବୁ ୱାର୍ଡରେ ଆଗରେ

ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ସମସ୍ତ ୨୪ଟି ୱାର୍ଡରେ ବିଜେଡି ମେୟର ପ୍ରାର୍ଥିନୀ ଆଗରେ ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ସୁଲୋଚନାଙ୍କୁ ୧୯ ହଜାର ୮୮୦ ଅଧିକ ଭୋଟ ମିଳିଛି। ତେବେ ମଧ୍ୟ ଭୁବନେଶ୍ବରର ୩୩ ନମ୍ବର ୱାର୍ଡରେ ବିଜେଡି ମେୟର ପ୍ରାର୍ଥୀ ୨୯୧ ଭୋଟ ପଛରେ ରହିଛନ୍ତି। ନିର୍ବାଚନମଣ୍ଡଳୀର ୧୯ଟି ୱାର୍ଡରେ ଶ୍ରୀମତୀ ଦାସଙ୍କୁ ୧୮ ହଜାର ୮୨୬ ଅଧିକ ଭୋଟ ମିଳିଛି। ୪୬ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥିନୀ ବିଜେପି ପ୍ରାର୍ଥିନୀଙ୍କଠାରୁ ୨୭୨୭ ଭୋଟ ଅଧିକ ପାଇଛନ୍ତି। ଯାହାକି ୬୭ଟି ୱାର୍ଡ ମଧ୍ୟରୁ ସର୍ବାଧିକ।

ଯଦି ଦେଖାଯାଏ ଯେଉଁ ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟ ହୋଇଛନ୍ତି ସେଠାକାର ଭୋଟ ବିଜେଡି ମେୟର ପ୍ରାର୍ଥିନୀଙ୍କ ଝୁଲାକୁ ଯାଇଛି। ୯ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ହାରିଥିଲେ ମଧ୍ୟ ଏଠାରେ ବିଜେଡି ମେୟର ପ୍ରାର୍ଥୀ ୧୭୧୦ ଭୋଟରେ ଆଗରେ ରହିଛନ୍ତି। ୧୩ ନମ୍ବର ୱାର୍ଡରେ ୧୫୨୬, ୨୪ରେ ୧୧୬୮, ୩୭ରେ ୬୦୯, ୪୬ରେ ୨୭୨୭, ୫୮ରେ ୮୬୩, ୬୦ରେ ୧୯୬, ୬୫ରେ ୬୭୫ ଅଧିକ ଭୋଟ ସୁଲୋଚନାଙ୍କୁ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର