ବିଏମ୍‌ସି ୬୩ ନମ୍ବର ୱାର୍ଡ: ଏଥରକ ପ୍ରସଙ୍ଗ ମେଳଣ ପଡ଼ିଆ

ଭୁବନେଶ୍ବର : ଏଥର ପୌର ନିର୍ବାଚନରେ ବିଏମ୍‌ସି ୬୩ ନମ୍ବର ୱାର୍ଡ ଅନ୍ତର୍ଗତ ଜାଗମରାରେ ମୁଖ୍ୟ ପ୍ରସଙ୍ଗ ହେବ ଗାଁ ମେଳଣ ପଡ଼ିଆ। ଗତ କିଛି ଦିନ ହେଲା ଜାଗମରା ଗାଁ ମେଳଣ ପଡ଼ିଆ ଲିଜ୍‌ ଦିଆଯିବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଏବେ ସେହି ତାତି ପୌର ନିର୍ବାଚନକୁ ଡେଇଁବାକୁ ଯାଉଛି। ଯିଏ ଗାଁ ମେଳଣ ପଡ଼ିଆକୁ ଉଦ୍ଧାର କରିବ, ଗାଁ ତାକୁ ଭୋଟ୍‌ ଦେବ ବୋଲି କୁହାଯାଇଛି। ନଚେତ୍ ଏଥର ଗ୍ରାମବାସୀମାନେ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଭୋଟ୍‌ ବର୍ଜନ ବିଏମ୍‌ସି ନିର୍ବାଚନରେ ଏକ ଇତିହାସ ହେବ ବୋଲି ଚର୍ଚ୍ଚା ହେଉଛି।

ୱାର୍ଡ ପରିସୀମା: ଧର୍ମବିହାର, ବରବାରି, ଜାଗମରା ଗାଁ, ଜଗମୋହନନଗର, ଖଣ୍ଡଗିରି ଥାନା ଅଞ୍ଚଳ, କ୍ରିଷ୍ଣାଗାର୍ଡେନ୍ ଫେଜ୍-୧, ସିଦ୍ଧିବିହାର

ଭୋଟର- ୧୨,୫୭୬
ପୁରୁଷ-୬୬୮୬
ମହିଳା- ୫୮୮୯
ତୃତୀୟ ଲିଙ୍ଗ-୧

ବିଏମ୍‌ସିର ୬୩ନଂ ଵାର୍ଡରେ ରହିଛି ଜାଗମରା ଗାଁ, ଧର୍ମବିହାର, ବରବାରି, ଜଗମୋହନନଗର, ଖଣ୍ଡଗିରି ଥାନା ନିକଟସ୍ଥ ଅଞ୍ଚଳ, କ୍ରିଷ୍ଣା ଗାର୍ଡେନ୍ ଫେଜ୍-୧, ସିଦ୍ଧିବିହାର ଆଦି ପ୍ରମୁଖ ଅଞ୍ଚଳ। ସର୍ବାଧିକ ଭୋଟର ହେଉଛନ୍ତି ଜାଗମରା ଗ୍ରାମବାସୀ। ତେବେ ଏଥର ଗାଁରେ ମେଳଣ ପଡ଼ିଆ ବିବାଦ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସ୍କୁଲ ପଡ଼ିଆ ବା ମେଳଣ ପଡ଼ିଆକୁ ସାଧାରଣ ପ୍ରଶାସନ ପକ୍ଷରୁ ଲିଜ୍‌ରେ ଦିଆଯାଇଛି ଓ ଏକ ଘରୋଇ ସଂସ୍ଥା ଏହାକୁ ଲିଜ୍‌ରେ ପାଇଛି। ଏକଥା ଜଣାପଡ଼ିବା ପରେ ଗ୍ରାମବାସୀମାନେ ବିସ୍ମିତ ହୋଇପଡ଼ିଛନ୍ତି। ଶହଶହ ବର୍ଷ ଧରି ଏଠାରେ ପଞ୍ଚୁ ଦୋଳ ପର୍ବ ଅବସରରେ ମେଳଣ ଅନୁଷ୍ଠିତ ହୋଇଆସୁଛି। ଆଖାପଖ ୧୫ ଖଣ୍ଡ ଗାଁର ଠାକୁରଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ଆସି ଏହି ସ୍କୁଲ ପଡ଼ିଆରେ ଏକାଠି ହୁଅନ୍ତି ଓ ଏଠାରେ ହରିହର ଭେଟ ସମାହିତ ହୋଇଥାଏ। ଶହଶହ ବର୍ଷ ଧରି ଏହା ଗାଁ ପରମ୍ପରା ହୋଇ ରହିଆସିଛି। ଏବେ ବି ସେ ପଡ଼ିଆରେ ଗାଁ ଠାକୁରଙ୍କ କୋଠଘର ରହିଛି ଓ ସେଥିରେ ଠାକୁରଙ୍କ ମେଳଣ ସମୟର ଆସବାବପତ୍ର ଉପକରଣ ସବୁ ରହିଛି। ବଡ଼ କଥା ହେଉଛି ଖଣ୍ଡଗିରି କୁମ୍ଭ‌ମେଳା ଅବସରରେ ପ୍ରଭୁ ଅନନ୍ତକେଶରୀଙ୍କ ରାଣୀ ହଂସପୁର ଯାତ୍ରା ବେଳେ ଏହି ପଡ଼ିଆରେ ଭୋଗ ଲାଗି ହୋଇଥାଏ। ତେଣୁ ଏବେ ଏହି ପଡ଼ିଆ ଲିଜ୍‌ରେ ଚାଲିଯିବା ପରେ ଗାଁର ଶହଶହ ବର୍ଷର ପରମ୍ପରା ଧ୍ବଂସ ପାଇଯିବ ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ। ଏନେଇ ଗ୍ରାମବାସୀମାନେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଓ ଏବେ ସେଠାରେ ୧୪୪ ଧାରା ଜାରି କରାଯାଇଛି। କିନ୍ତୁ ଲିଜ୍‌ ଖାରଜ ହୋଇନାହିଁ।

ସେହିଭଳି ୬୩ନଂ ଵାର୍ଡର ଦ୍ବିତୀୟ ପ୍ରମୁଖ ସମସ୍ୟା ହେଉଛି ବର୍ଷା ପାଣି ନିଷ୍କାସନ। ଏହି ଵାର୍ଡକୁ ଲାଗି ଖଣ୍ଡଗିରି ପାହାଡ଼ ଥିବାରୁ ବର୍ଷା ଦିନେ ପାହାଡ଼ ଓ ଏହା ଆଖପାଖ ଅଞ୍ଚଳରୁ ବର୍ଷା ପାଣି ଆସି ଲୋକଙ୍କ ଘରେ ପଶୁଛି। ବର୍ଷା ସମୟରେ ରାସ୍ତା ଉପରେ ପାଣି ଲହଡ଼ି ମାରେ। ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ କୁମାର ମହାନ୍ତିଙ୍କ କହିବା କଥା ୨୦୦୫ରୁ ଏହି ଵାର୍ଡରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ଦାବି ହୋଇଆସୁଛି। ସ୍ଥାନୀୟ କ୍ଲବ୍‌ ପିଲାଙ୍କ ଉଦ୍ୟମରେ ସିଦ୍ଧେଶ୍ବର କ୍ଲବ୍‌ରେ ଏକ ଅସ୍ଥାୟୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଥିଲା। ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଉପକୃତ ହେଉଥିଲେ। ମାତ୍ର ୨୦୦୯ରେ ଏହାକୁ ଉଠେଇ ନିଆଗଲା। ତେଣୁ ଏଥର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଦାବି କରାଯିବ।

ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି କହିଛନ୍ତି ଯେ ମେଳଣ ପଡ଼ିଆକୁ ଫେରସ୍ତ ଆଣିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟି ପକ୍ଷରୁ କୋର୍ଟରେ କେସ୍ ଚାଲିଛି। ବର୍ଷା ପାଣି ନିଷ୍କାସନ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏନ୍‌ଏଚ୍‌ଏଆଇକୁ ଏକ ଡ୍ରେନ୍ ନିର୍ମାଣ କରିବା ପାଇଁ ଚିଠି ଲେଖାଯାଇଛି। ତେବେ ଶ୍ମଶାନ ଉନ୍ନତୀକରଣ, ନୂତନ ପୋଖରୀ ଭଳି କିଛି ଦାବି ପୂରଣ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ବଦଳିଛି ସିଟ୍ ସଂରକ୍ଷଣ
୬୩ନଂ ଵାର୍ଡର ଗତ ୩ ଥରର ପୌର ନିର୍ବାଚନ ଇତିହାସ ଅନୁସାରେ ଏଠାରେ ଦୁଇ ଥର ବିଜେପି ଓ ଥରେ ବିଜେଡି କର୍ପୋରେଟର ଜିତିଛନ୍ତି। ୨୦୦୯ରେ ବି‌ଜେଡିରୁ ରୁନୁ ଜେନା ଜିତିଥିବା ବେଳେ ୨୦୦୩ ଓ ୨୦୧୪ରେ ବିଜେପିରୁ ରଘୁନାଥ ମହାନ୍ତି ଜିତିଥିଲେ। ଏଥର ଏହି ୱାର୍ଡର କର୍ପୋରେଟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ତେଣୁ ଏଥର ପ୍ରାର୍ଥୀଙ୍କୁ ନେଇ ବିଭିନ୍ନ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ବିଜେପି ଓ ବିଜେଡିରୁ ଏକାଧିକ ପ୍ରାର୍ଥୀ ଲବିରେ ଅଛନ୍ତି। କଂଗ୍ରେସ ପକ୍ଷରୁ କୌଣସି ନାଁ ଚର୍ଚ୍ଚାକୁ ଆସିନଥିବା ବେଳେ ବିଜେଡି ଓ ବିଜେପିରୁ ବହୁ ଆଶାୟୀ ଏବେଠୁ ଲୋକ ସମ୍ପର୍କ ବଢ଼ାଇବା ଆରମ୍ଭ କଲେଣି। ତେବେ ପ୍ରତିଥର ଭଳି ଏଥର ବି ଏଠାରୁ କମ୍ୟୁନିଷ୍ଟ, ବିଏସ୍‌ପି, ଆପ୍‌ ଭଳି ଅନ୍ୟାନ୍ୟ ରାଜନୈତିକ ଦଳର ପ୍ରାର୍ଥୀ ରହିବେ।

ସମ୍ବନ୍ଧିତ ଖବର