ଭୁବନେଶ୍ୱର: ନାମାଙ୍କନପତ୍ର ଦାଖଲର ଆଜି ୪ର୍ଥ ଦିନରେ ବିଏମ୍‌ସି କର୍ପୋରେଟର୍‌ ପଦ ପାଇଁ ୨୦ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଂଗ୍ରେସରୁ ସର୍ବାଧିକ ୬ଜଣ ଦାଖଲ କରିଥିବା ବେଳେ ୧୩ଟି ସ୍ବଧୀନ ଓ ଆପ୍‌ରୁ ଜଣେ କରିଛନ୍ତି। ଫଳରେ ମୋଟ ନାମାଙ୍କନ ସଂଖ୍ୟା ୪୦ରେ ପହଞ୍ଚିଛି। ସେହିପରି ଆଜି ମେୟର୍‌ ପଦ ପାଇଁ ପ୍ରଥମ ନାମାଙ୍କନପତ୍ର ଦାଖଲ ହୋଇଛି। କୃପା ଦଳରୁ ଭଗବତୀ ଦେବୀ ନାମାଙ୍କନ କରିଛନ୍ତି। ପୂର୍ବରୁ ସେ ବିଧାୟକ ଓ ସାଂସଦ ପଦ ପାଇଁ ଲଢ଼ିଥିଲେ।

Advertisment

ମେୟର୍‌ ପଦ ପାଇଁ ଖାତା‌ ଖୋଲିଲେ ଭଗବତୀ
ଶେଷ ଦୁଇଦିନରେ ପ୍ରବଳ ଭିଡ଼ ଆଶଙ୍କା
ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଏଯାବତ୍‌ ବିଜେଡିରୁ ଗୋଟିଏ ମାତ୍ର ନାମାଙ୍କନ (ୱାର୍ଡ ନଂ ୫୨ ପାଇଁ) ଦାଖଲ ହୋଇଥିବା ବେଳେ ଆହୁରି ୬୬ଟି ୱାର୍ଡ ପାଇଁ ବାକି ରହିଛି। ବିଜେପିରୁ ୫୨, କଂଗ୍ରେସରୁ ୫୯ ଓ ବହୁ ସଂଖ୍ୟାରେ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଭରିବା ବାକି ରହିଛି। ସେହିଭଳି ମେୟର୍‌ ପଦ ପାଇଁ ପ୍ରମୁଖ ଦଳମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା ସରିଥିଲେ ହେଁ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ନାମାଙ୍କନପତ୍ର ଦାଖଲ ପାଇଁ ଆଉ ମାତ୍ର ଦୁଇ ଦିନ ବାକିଥିବାରୁ ଏଡିଏମ୍‌ ଅଫିସ୍‌ରେ ପ୍ରବଳ ଭିଡ଼ ହେବା ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶନିବାର କଂଗ୍ରେସରୁ ନାମାଙ୍କନ କରିଥିବା ପ୍ରାର୍ଥୀମାନେ ହେ‌ଲେ, ୱାର୍ଡ ନଂ ୫୩ରୁ ନିବାସୀ ଦେଇ, ୫୪ରୁ ପୁଷ୍ପିତା ଦାସ, ୩୦ରୁ ସ୍ମୃତିରଞ୍ଜନ ତ୍ରିପାଠୀ, ୫୭ରୁ ମିହିର ରଞ୍ଜନ ଆଚାର୍ଯ୍ୟ, ୨୪ରୁ ମଣ୍ଟୁ ମଲ୍ଲିକ, ୫୯ରୁ ଦେବୀପ୍ରସାଦ ସ୍ବାଇଁ। ୬୫ ନମ୍ବର ୱାର୍ଡ ପାଇଁ ମହମ୍ମଦ ଅମିରୁଦ୍ଦିନ୍‌ ଆପ୍‌ ଦଳରୁ ନାମାଙ୍କନ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା ଅନ୍ୟ ୧୩ଜଣ ହେଲେ, ୱାର୍ଡ ୫ରୁ ବିଜୟଲକ୍ଷ୍ମୀ ରାଉତ, ୬୧ରୁ ଦେବାଶିଷ ବ୍ରହ୍ମା, ୧୪ରୁ ଅନ୍ନପୂର୍ଣ୍ଣା କର, ୫୭ରୁ ଗୟାଧର ରଥ, ୨୬ରୁ ସୀତା ମୁର୍ମୁ, ୪୨ରୁ ବିକ୍ରମ ଘୋଷ, ୬୫ରୁ ଶିବଶଙ୍କର ଶ୍ରୀଚନ୍ଦନ, ୩୫ରୁ ରଶ୍ମିତା ସାହୁ, ୪୧ରୁ ମଧୁସ୍ମିତା ଦାସ, ୧୮ରୁ ବିଭୁକଲ୍ୟାଣ ସେଠୀ, ୧୬ରୁ ସୁରେନ୍ଦ୍ର ନନ୍ଦନ ବେହେରା, ୪୬ରୁ ପ୍ରଭାତୀ ନାଏକ ଓ ବିଭୁପ୍ରସାଦ ଷଡ଼ଙ୍ଗୀ।
ଆଜି ୮ଜଣ ମେୟର ପଦ ପାଇଁ ଆବେଦନପତ୍ର ନେଇଛନ୍ତି। ଆଜି ସଂଖ୍ୟାକୁ ହିସାବକୁ ନେଲେ ମୋଟ ୨୩ଟି ଫର୍ମ ମେୟର୍‌ ପଦ ପାଇଁ ଇସ୍ୟୁ ହୋଇଛି। ସେହିଭଳି ଆଜି ୧୩୨ଜଣ କର୍ପୋରଟର୍‌ ପଦ ଆବେଦନପତ୍ର ନେଇଛନ୍ତି। ଏହି ଆବେଦନପତ୍ର ସଂଖ୍ୟା ଆଜି ସୁଦ୍ଧା ୭୧୩ ରେ ପହଞ୍ଚିଛି।