ବିଏମ୍‌ସି ନିର୍ବାଚନ: ବିଜେଡିରେ ଚିନ୍ତା ବଢ଼ାଉଛନ୍ତି ଆଶାୟୀ

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ବାରା ଆଜି ତାରିଖ ଘୋଷଣା ହୋଇଛି। ଯାହାକୁ ନେଇ ଆଶାୟୀ ଏବେ ଉତ୍ସାହିତ। ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ପତିଆରା ଜାହିର କରିବାକୁ ଅଣ୍ଟା ଭିଡ଼ିଲେଣି। ବିଜେପି, କଂଗ୍ରେସ ତୁଳନାରେ ବିଜେଡି ଏ କ୍ଷେତ୍ରରେ ଆଗୁଆ ରହିଛି। ୱାର୍ଡସ୍ତରରେ ଦଳକୁ ସଙ୍ଗଠିତ କରିବା ସହ ଲୋକଙ୍କ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ନେତା ଓ କର୍ମୀ। ମାତ୍ର ଏବେଠାରୁ ସମସ୍ୟା ସୃଷ୍ଟି କଲେଣି ଆଶାୟୀ। ହାତଗଣତି କିଛି ୱାର୍ଡକୁ ଛାଡ଼ି ଦେଲେ ସବୁ ୱାର୍ଡରେ ଏକାଧିକ ଆଶାୟୀ ପ୍ରାର୍ଥୀ ମୁଣ୍ଡ ଟେକି‌ଲେଣି।

ସ୍ଥିତି ଏମିତି ହେଲାଣି ଯେ ୬୭ୱାର୍ଡ ଲାଗି ଆଶାୟୀଙ୍କ ସଂଖ୍ୟା ୨୦୦ ଟପି ଗଲାଣି। ୱାର୍ଡସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରର ନେତା/ନେତ୍ରୀମାନେ ବିଜେଡିରୁ ପ୍ରାର୍ଥୀ ହେବାକୁ ବିଭିନ୍ନ ସ୍ତରରେ ଲବି ଚଲାଛନ୍ତି। ମନ୍ତ୍ରୀ, ବିଧାୟକଙ୍କୁ ଭେଟି ଟିକେଟ୍‌ ହାତେଇବାକୁ ଲାଗି ପଡ଼ିଛନ୍ତି। ସଂରକ୍ଷଣ ଛାଟ ଯୋଗୁଁ କିଛି ସ୍ଥାନରେ ନୂଆ ଚେହେରାଙ୍କୁ ମଇଦାନକୁ ଛାଡ଼ିବାକୁ ବିଜେଡି ମାନସମନ୍ଥନ ଚଳାଇଛି।

ଲବିରେ ୨୦୦ରୁ ଅଧିକ ଆଶାୟୀ

ତିନି ବିଧାୟକଙ୍କ ଘରେ ଭିଡ଼ ବଢ଼ୁଛି

କିଛି ୱାର୍ଡରେ ନୂଆ ମୁହଁକୁ ସାମ୍ନାକୁ ଆଣିପାରେ ଦଳ

୨୦୧୪ ବିଏମ୍‌ସି ନିର୍ବାଚନରେ ବିଜେଡି ପାଇଁ କଣ୍ଟା ସାଜିଥିଲେ ଅସନ୍ତୁଷ୍ଟ। ଯେଉଁଥିପାଇଁ ଦଳ ଅର୍ଦ୍ଧ ଶତକ ହାସଲ କରିପାରି ନ ଥିଲା। ୬୭ଟି ୱାର୍ଡ ମଧ୍ୟରୁ ୪୯ଟିକୁ କବ୍‌ଜା କରିଥିଲା ଦଳ। ବିଜେପି ୪ଟି ୱାର୍ଡ ହାତେଇଥିବା ବେଳେ କଂଗ୍ରେସ ଝୁଲାକୁ ଯାଇଥିଲା ମାତ୍ର ଦୁଇଟି। ଆଉ ବିଜେଡିରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିବା ୧୨ଜଣ ପ୍ରାର୍ଥୀ ଜିତିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ସ୍ବାଧୀନ କର୍ପୋରେଟର୍‌ମାନେ ବିଜେଡିମୁହାଁ ହୋଇଥିଲେ। କଂଗ୍ରେସ କର୍ପୋରେଟର୍‌ ବି ଶଙ୍ଖ ପୋଖରୀକୁ ଡେଇଁଥିଲେ। କିନ୍ତୁ ଏଥର ଭୁବନେଶ୍ବରର ରାଜନୈତିକ ଚିତ୍ରପଟରେ କିଛିଟା ପରିବର୍ତନ ଆସିଛି।

ଏଥର ତିନି ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାୟକ ଥିବା ବେଳେ ସାଂସଦ ପଦ ହାତେଇଛି ବିଜେପି। ତେଣୁ ସମୀକରଣ ବଦଳିବା ନେଇ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏଥର ପଞ୍ଚାୟତ ନିର୍ବାଚନରେ ବିଜେଡି ଉନ୍ନତ ପ୍ରଦର୍ଶନ କରୁଥିବା ନେଇ ବୁଥ୍‌ବାହୁଡ଼ା ମତ ଆସିଥିବାରୁ ଦଳୀୟ କର୍ମୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଏମିତିକି ବିଏମ୍‌ସିର ୬୭ ୱାର୍ଡ ମଧ୍ୟରୁ ଅତି କମ୍‌ରେ ୬୦ଟିକୁ ଦଳ କବ୍‌ଜା କରିବ ବୋଲି କହି ବୁଲିଲେଣି। ଟିକେଟ୍‌ ଆଶାୟୀମାନେ ମଧ୍ୟ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି।

ଯେଉଁଥିପାଇଁ ବିଜେଡି ଲାଗି ପ୍ରାର୍ଥୀ ଚୟନ ଏବେ ସବୁଠାରୁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଭୁବନେଶ୍ବରର ତିନି ବିଧାୟକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି। କାହାକୁ ଟିକେଟ୍‌ ଦେଇ ସନ୍ତୁଷ୍ଟ କରିବେ? କାହାକୁ ନିରାଶ କରାଇବେ? ଆଉ କାହାକୁ ଥଇଥାନ ପ୍ରତିଶ୍ରୁତି ଦେ‌‌‌ବେ, ତାହା ନିଷ୍ପତ୍ତି ନେବା ବିଧାୟକଙ୍କ ଲାଗି କାଠିକର ପାଠ ହୋଇଛି। ଏଥର ୱାର୍ଡ ସଂରକ୍ଷଣ ଯୋଗୁଁ ୮ବର୍ଷ ଧରି ୱାର୍ଡ ଉପରେ ନିଜର ଦବ୍‌ଦବା ରଖିଥିବା କିଛି ପୂର୍ବତନ କର୍ପୋରେଟରଙ୍କ ପତିଆରା ହ୍ରାସ ପାଇଛି। ନିଜ ୱାର୍ଡରୁ ଏଥର ପ୍ରାର୍ଥୀ ହୋଇପାରୁ ନ ଥିବାରୁ ସେମାନେ ଅନ୍ୟ ୱାର୍ଡ ଉପରେ ନଜର ପକାଇଛନ୍ତି। ଯେଉଁଥିପାଇଁ ଅଣସଂରକ୍ଷିତ ସିଟ୍‌ଗୁଡ଼ିକ‌ରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଣସଂରକ୍ଷିତ ଆସନରେ ପୂର୍ବତନ କର୍ପୋରେଟର ପୁଣିଥରେ ଲଢ଼ିବାକୁ ସଜବାଜ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏକାମ୍ର ଭୁବନେଶ୍ବରର ୮ଟି ୱାର୍ଡ, ଉତ୍ତର ଭୁବନେଶ୍ବରର ୧୦ଟି ଓ ମଧ୍ୟ ଭୁବନେଶ୍ବରର ୧୧ଟି ୱାର୍ଡ‌‌ରେ ପ୍ରାର୍ଥୀ ଚୟନ କରିବା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବ। କାରଣ ଏହି ସମସ୍ତ ୱାର୍ଡରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ଟିକେ ଭିତିରିଆ ଦେଖିଲେ, ୬୭ଟି ୱାର୍ଡ ମଧ୍ୟରୁ ୧୩ଟିରେ ୫ରୁ ଅଧିକ ଆଶାୟୀ ରହିଛନ୍ତି। ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ଥିବା ୩ଟି ଆସନରେ ପ୍ରାର୍ଥୀ ଚୟନ ବି ସମସ୍ୟା ବଢ଼ାଇବ। ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କ ପାଇଁ ସଂରକ୍ଷଣ ଥିବା ୮ନମ୍ବର ୱାର୍ଡ ସମେତ ଅନୁସୂଚିତ ଜନଜାତି(ମହିଳା)ଙ୍କ ଲାଗି ସଂରକ୍ଷଣ ଥିବା ୨୨ ଓ ୨୬ ନମ୍ବର ୱାର୍ଡରେ ନୂଆ ମୁହଁକୁ ସାମ୍ନାକୁ ଆଣିବ ବିଜେଡି। ଅନୁସୂଚିତ ଜାତି(ଏସ୍‌ସି) ବର୍ଗଙ୍କ ଲାଗି ସଂରକ୍ଷଣ ଥିବା ୱାର୍ଡଗୁଡ଼ିକରେ ବ୍ୟାପକ ଏପାଖସେପାଖ ହେବ। ଏସ୍‌ସି ବର୍ଗର ପୂର୍ବତନ କର୍ପୋରେଟରଙ୍କ ୱାର୍ଡ ବଦଳାଇ ଅନ୍ୟ ୱାର୍ଡରେ ପ୍ରାର୍ଥୀ କରିବାକୁ ଦଳ ଯୋଜନା କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଏଥର ବି‌ଏମ୍‌ସି ନିର୍ବାଚନ ଲାଗି ବିଧାୟକଙ୍କ ଉପରେ ଦାୟିତ୍ବ ଛାଡ଼ିବ ଦଳ।

ଭୁବନେଶ୍ବରର ତିନି ବିଧାୟକ ପ୍ରତି ୱାର୍ଡର ୩ରୁ ୪ଜଣ ଆଶାୟୀଙ୍କ ନାଁ ସୁପାରିସ କରିବେ। ୱାର୍ଡର ବିକାଶରେ ପ୍ରମୁଖ ଭୂମିକା ନିଭାଉଥିବା ଏବଂ ଦଳର ଶୃଙ୍ଖଳିତ ସଦସ୍ୟ ପ୍ରାର୍ଥୀ ଚୟନର ପ୍ରମୁଖ ମାପକାଠି ରହିବ। ଏଥିସହ କୌଣସି ପ୍ରକାର ବିବାଦ ନ ଥିବା, ଅପରାଧିକ ମାମଲା‌ରେ ଜଡ଼ିତ ନଥିବା ବ୍ୟକ୍ତିଙ୍କୁ ବି ଦଳ ପ୍ରାଥମିକତା ଦେବ। ବିଧାୟକମାନଙ୍କ ସୁପାରିସକୁ ଆଧାର କରି ଦଳର ଶୀର୍ଷ ନେତୃତ୍ବ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ପ୍ରାର୍ଥୀ ଚୟନରେ ସ୍ବଚ୍ଛତା ବଜାୟ ରଖିବାକୁ ବି କୁହାଯାଇଛି। ଇତି ମଧ୍ୟରେ ବିଧାୟକମାନେ ନିଜ ନିଜସ୍ତରରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ସଂରକ୍ଷଣରେ ଲାଗି ପଡ଼ିଛନ୍ତି। ଏମିତିକି ୬୭ ୱାର୍ଡ ମଧ୍ୟରୁ ପାଖାପାଖି ୩୨ଟି ୱାର୍ଡ ଲାଗି ପ୍ରାର୍ଥୀ ଚୟନ ସରିଥିବା ନେଇ ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର