ବିଏମ୍‌ସି ନିର୍ବାଚନ: ଅରୂପ, ବିଜୟ, ପ୍ରିୟଦର୍ଶୀଙ୍କ ଉପରେ ନଜର

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ପାଇଁ ମାର୍ଚ୍ଚ ୨ରୁ ନାମାଙ୍କନ ଦାଖଲ। ତା’ ପୂର୍ବରୁ ପ୍ରାର୍ଥୀ ଚୟନ ପାଇଁ ତିନି ଦଳ କସରତ ଆରମ୍ଭ କରିଦେଇଛନ୍ତି। ତେବେ ସର୍ବାଧିକ ଚର୍ଚ୍ଚାରେ ରହିଛି ବିଜେଡିର ପ୍ରାର୍ଥୀ ଚୟନ। ପ୍ରତି ୱାର୍ଡରୁ ୩ଜଣ ଆଶାୟୀଙ୍କ ନାଁ ଦେବାକୁ ବିଧାୟକମାନଙ୍କୁ କୁହାଯାଇଛି। ତେଣୁ ସେମାନେ ନିଜ ନିଜ ସ୍ତରରେ ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ। କିଏ କେଉଁ ୱାର୍ଡରୁ ଆଶାୟୀ ଅଛନ୍ତି, ସେନେଇ ଆଜି ଦିନତମାମ ତିନି ବିଧାୟକ ମାନସମନ୍ଥନ କରିଛନ୍ତି। ତେବେ ପ୍ରାର୍ଥୀ ଚୟନରେ ଭୁବନେଶ୍ବର ସଂଗଠନରେ ନିଜର ଆଧିପତ୍ୟ ରଖିଥିବା ଦୁଇ ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କ ଭୂମିକା କ’ଣ ହେବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ଯଦି ସେମାନେ ନିଜ ଖାସ୍ ଅନୁଗତଙ୍କ ଟିକେଟ୍‌ ପାଇଁ ଲବି କରନ୍ତି, ତେବେ ବର୍ତ୍ତମାନର ମଧ୍ୟ ଓ ଉତ୍ତର ବିଧାୟକଙ୍କ ଗଣିତ ଓଲଟପାଲଟ ହୋଇଯିବନି ତ?

ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ନିଜର କିଛି ଖାସ୍ ଅନୁଗତଙ୍କୁ ଟିକେଟ୍‌ ଦେବାକୁ ଲବି କରିବେ ନା ବିଧାୟକଙ୍କ ଉପରେ ତୃଣମୂଳ ରାଜନୀତି ଛାଡ଼ିଦେବେ, ତାହା ବି ଚର୍ଚ୍ଚାର ବିଷୟ।

୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ବି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ପରାଜୟ ବରଣ କରିଥିଲେ। ତାଙ୍କ ସହ ତୃଣମୂଳ ସ୍ତରର କିଛି ନେତା ସାମିଲ ହୋଇଥିଲେ। ନିର୍ବାଚନ ପରେ ଅରୂପ ରାଜଧାନୀର ବିଜେଡି ସଂଗଠନରେ ସକ୍ରିୟ ଅଛନ୍ତି। ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ତିନି ବିଧାୟକଙ୍କ ସହ ତାଙ୍କୁ ମଧ୍ୟ ଡକାଯାଉଛି। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ନିର୍ବାଚନ ବେଳେ ତାଙ୍କ ସହ ଯୋଡ଼ି ହୋଇଥିବା କିଛି ତୃଣମୂଳସ୍ତରର ନେତା କର୍ପୋରେଟର୍‌ ଟିକେଟ୍‌ ପାଇଁ ଆଶାୟୀ ଅଛନ୍ତି।

କିନ୍ତୁ ଅରୂପ ଏପର୍ଯ୍ୟନ୍ତ ନିଜର ଖାସ୍ ସମର୍ଥକଙ୍କ ଟିକେଟ୍‌ ପାଇଁ ଜୋର୍‌ଦାର ଲବି କରି ନାହାନ୍ତି। କିନ୍ତୁ ଆଗକୁ ସେ କିଛି ଟିକେଟ୍‌ ପାଇଁ ଅଡ଼ି ବସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଅରୂପଙ୍କ ସମର୍ଥକଙ୍କ ଯୁକ୍ତି ହେଉଛି, ଭୁବନେଶ୍ବରରେ ନିଜର ପତିଆରା ଜାହିର କରିବା ପାଇଁ ଅରୂପଙ୍କୁ କିଛି କର୍ପୋରେଟର୍‌ ଟିକେଟ୍‌ ହାତେଇବାକୁ ପଡ଼ିବ। କାରଣ ଗତ ନିର୍ବାଚନରେ ତିନି ବିଧାୟକ ଜିତିଥିଲେ ବି ସାଂସଦ ପ୍ରାର୍ଥୀ ଅରୂପ ପଛରେ ପଡ଼ି ଯାଇଥିଲେ। ତେଣୁ ୨୦୨୪ ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବା ପାଇଁ ଏହା ଏକ ସୁଯୋଗ। ଯଦି ଅରୂପ କିଛି ଟିକେଟ୍‌ ହାତେଇ ନେବେ, ତେବେ ବିଜେଡିର ଆଭ୍ୟନ୍ତରୀଣ ଗଣିତ ଓଲଟପାଲଟ ହୋଇପାରେ। ବିଧାୟକ ଓ ଅରୂପଙ୍କ ଭିତରେ ତୁ ତୁ ମେ ମେ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଦିନେ ଦୁଇ ଦିନ ଭିତରେ ଏହି ଚିତ୍ର ସ୍ପଷ୍ଟ ହେବ।

ତିନି ବିଧାୟକଙ୍କଠାରୁ ତାଲିକା ମଗାଯାଇଥିବାରୁ ସେମାନେ ନିଜ ଅନୁଗତଙ୍କୁ ଅଗ୍ରାଧିକାର ଦେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାହା କେତେ ଦୂର ଠିକ୍‌ କି ଭୁଲ୍‌, ତାହା ଜଣା ନଥିଲେ ମଧ୍ୟ ଅଧିକାଂଶ ପୂର୍ବତନ କର୍ପୋରେଟର୍‌ ଏବେ ଏହାକୁ ନେଇ ଚିନ୍ତାରେ। ଏହି ସମୟରେ ଦୁଇ ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କ ଭୂମିକା ଉପରେ ରାଜନୈତିକମହଲର ନଜର ରହିଛି। ୨୦୧୪ ବିଏମ୍‌ସି ନିର୍ବାଚନରେ ଟିକେଟ୍‌ ବଣ୍ଟନରେ ତତ୍‌କାଳୀନ ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତି ପ୍ରମୁଖ ଭୂମିକା ନେଇଥିଲେ।

ଅନୁଗତଙ୍କୁ ଟିକେଟ୍‌ ଦେବାରେ ସକ୍ଷମ ହେବେ ତ?
ପ୍ରଚାର ମଇଦାନକୁ ଓହ୍ଲାଇବେ ନା ଦୂରେଇ ରହି‌େବ?
୨୦୧୯ ପରେ ଅରୂପ, ପ୍ରିୟଦର୍ଶୀ ସକ୍ରିୟ, ବିଜୟ ନିରବ

ତାଙ୍କ ନିର୍ବାଚନମଣ୍ଡଳୀରେ ୫/୬ଟି ୱାର୍ଡକୁ ଛାଡ଼ିଦେଲେ ଅନ୍ୟ ସବୁ ୱାର୍ଡରେ ନିଜ ସମର୍ଥକଙ୍କୁ ଟିକେଟ୍‌ ଦେବାରେ ସକ୍ଷମ ହୋଇଥିଲେ। ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ ମଧ୍ୟ କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଟିକେଟ୍‌ ନ ପାଇଲା ପରେ ବିଜୟ ରାଜନୀତିରେ ଆଉ ସକ୍ରିୟ ନାହାନ୍ତି। କାଁ ଭାଁ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି। କିନ୍ତୁ ବସ୍ତି ଅଞ୍ଚଳରେ ବିଜୟଙ୍କ ଭଲ ପ୍ରଭାବ ଥିବାରୁ ତାଙ୍କୁ ବିଏମ୍‌ସି ନିର୍ବାଚନରେ ଦଳ ବ୍ୟବହାର କରିବାର ସମ୍ଭାବନା ରହିଛି। ଯଦି ସେ ଦଳ ପାଇଁ ଆଗକୁ ଆସି ପ୍ରଚାର କରନ୍ତି, ତେବେ ତାଙ୍କୁ ବ୍ୟକ୍ତିଗତ ଭାବେ କୌଣସି ପଦପଦବି ଦେଇ ସନ୍ତୁଷ୍ଟ କରାଯିବ ନା ତାଙ୍କର କିଛି ଅନୁଗତଙ୍କୁ ଟିକେଟ୍‌ ଦିଆଯିବ, ତାହା ଏବେ ଚର୍ଚ୍ଚାର ବିଷୟ।

ଭୁବନେଶ୍ବର (ଉତ୍ତର)ର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଭୂମିକା ବିଏମ୍‌ସି ନିର୍ବାଚନରେ କ’ଣ ରହିବ, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ୨୦୧୯ରେ ‌ପ୍ରିୟଦର୍ଶୀ ଟିକେଟ୍‌ ପାଇ ନ ଥିଲେ ମଧ୍ୟ ତାଙ୍କୁ ହାଉସିଂବୋର୍ଡର ଅଧ୍ୟକ୍ଷ ପଦବିରେ ଥଇଥାନ କରାଯାଇଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ହୋଇଥିବା ଏକାଧିକ ଉପନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଅଞ୍ଚଳକୁ ତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ପଠାଯାଇ ଦଳୀୟ ଦାୟିତ୍ବ ଦିଆଯାଉଛି। ଯଦିଓ ସେ ଭୁବନେଶ୍ବର ଉତ୍ତର ବିଜେଡି ସଂଗଠନରେ ରାଜନୈତିକ ଦୃଷ୍ଟିରୁ ସକ୍ରିୟ ନାହାନ୍ତି, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି।

୨୦୧୪ ବିଏମ୍‌ସି ନିର୍ବାଚନରେ ଟିକେଟ୍‌ ବାଣ୍ଟିବାରେ ପ୍ରିୟଦର୍ଶୀଙ୍କର କିଛି ଭୂମିକା ନ ଥିଲେ ମଧ୍ୟ ସେ ବିଧାୟକ ହେଲା ପରେ କିଛି କର୍ପୋରେଟର୍‌ ତାଙ୍କ ଖାସ୍ ଅନୁଗତ ପାଲଟି ଯାଇଥିଲେ। ସେମାନଙ୍କୁ ଥଇଥାନ କରିବା ପାଇଁ ସେ ଉଦ୍ୟମ କରିବେ ନା ନିଜକୁ ରାଜଧାନୀ ରାଜନୀତିରୁ ଦୂରେଇ ରଖିବେ, ତାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ଜାରି ରହିଛି।

ସମ୍ବନ୍ଧିତ ଖବର