ବ୍ରାଉନ୍‌ସୁଗାର ବିକୁଥିଲେ ବିଏମ୍‌ସି କର୍ମଚାରୀ; ଚାକିରି ଗଲା, ୭ ପାସ୍‌ବୁକ୍‌, ୪୦ ଗ୍ରାମ୍‌ ସୁନା, ୪୨ ହଜାର ଟଙ୍କା ଜବତ

ପୁରୁଣା ଭୁବନେଶ୍ୱର : ବ୍ରାଉନ୍‌ସୁଗାର କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ ବିଏମ୍‌ସିର ଜଣେ ଠିକା କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବଡ଼ଦାଣ୍ଡ ସାହିର ଦିଲ୍ଲୀପ କୁମାର ବେହେରା ଓରଫ୍ ହାଡ଼ିଆ(୪୦)। ସେ ବିଏମ୍‌ସିର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାପଡ଼ିଛି। ପୁଲିସ ତା’ନିକଟରୁ ସାଢ଼େ ୭ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ କରିଛି। ଏଥିସହିତ ଗୋଟିଏ ବାଇକ୍‌, ୭ଟି ବ୍ୟାଙ୍କ ପାସ୍‌ବୁକ୍‌, ନଗଦ ୪୨ ହଜାର ଟଙ୍କା ଓ ୪୦ ଗ୍ରାମ୍‌ ସୁନା ଜବତ ହୋଇଛି। ତେବେ ବଡ଼ କଥା ହେଉଛି, ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ତାକୁ ବିଏମ୍‌ସି ଚାକିରିରୁ ବହିଷ୍କାର କରିଥିବା ଜଣାପଡ଼ିଛି।

ସୂଚନାନୁସାରେ ଆନିଆ ହାଉସ୍‌ ଛକରେ ରହୁଥିବା ଅଭିଯୁକ୍ତ ହାଡ଼ିଆ ଦୀର୍ଘ ଦିନ ଧରି ଏହି ଧଳା ଜହର କାରବାରେ ଲିପ୍ତ ଥିବା ନେଇ ଅଭିଯୋଗ ହୋଇଆସୁଥିଲା। ମାତ୍ର ତାକୁ ଧରିବା ସମ୍ଭବ ହେଉନଥିଲା। ଶ୍ରୀଲିଙ୍ଗରାଜ ଥାନାର ସମସ୍ତ କର୍ମଚାରୀଙ୍କୁ ସେ ଚିହ୍ନିଥିବାରୁ ପୁଲିସକୁ ଦେଖି ସେ କାରବାର ଚଳାଉଥିଲା। ତେବେ ଏଥର ଥାନାକୁ ଆସିଥିବା ଜଣେ ନୂଆ କର୍ମଚାରୀଙ୍କୁ ଏଥିପାଇଁ ନି‌ୟୋଜିତ କରାଯାଇଥିଲା। ସେ ବ୍ରାଉନ୍‌ସୁଗାର କ୍ରେତା ସାଜି ହାଡ଼ିଆକୁ ଫୋନ୍‌ କରିଥିଲେ। ଏକକାଳୀନ ୭ ଗ୍ରାମ୍‌ କିଣିବେ ବୋଲି ଉକ୍ତ ପୁଲିସ କର୍ମଚାରୀ ହାଡ଼ିଆକୁ ଲୋଭ ଦେଖାଇଥିଲେ। ତେଣୁ ଧାର୍ଯ୍ୟ ଠିକଣା ଅନୁସାରେ ସେମାନେ ବିଏମ୍‌ସି ହସ୍ପିଟାଲ ନିକଟରେ ଏକାଠି ହୋଇଥିଲେ। ହାଡ଼ିଆ ତା’ ହୋଣ୍ଡା ଆକ୍ଟିଭା ଧରି ସେଠାରେ ପହଞ୍ଚୁ ପହଞ୍ଚୁ ‌ଛପି ରହିଥିବା ପୁଲିସ ଟିମ୍‌ ତାକୁ ଘେରି ଯାଇଥିଲେ। ଗାଡ଼ିରୁ ସାଢ଼େ ୭ ଗ୍ରାମର ବ୍ରାଉନ୍‌ସୁଗାର ଓ ୫ଟି ମୋବାଇଲ୍‌ ଫୋନ୍‌ ସେଟ୍‌ ମିଳିଥିଲା। ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ଶରତଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର