ହରଡ଼ଘଣାରେ ବିଏମ୍‌ସି: ଭୁଆସୁଣି ଅଡ଼ୁଆ ତୁଟୁନି, ଅସ୍ଥାୟୀ ଡମ୍ପିଂୟାର୍ଡରେ ଅଳିଆ ପାହାଡ଼

ଆଜି ପୁଣି ବିଏମ୍‌ସି ଲିଖିତ ଭାବେ ଗ୍ରାମବାସୀଙ୍କୁ ଜଣାଇବ, ଶନିବାର ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ବର: ଭୁଆସୁଣିରେ ଅଳିଆ ପକାଇ ନ ଦେବା ଜିଦ୍‌ରେ ଦାରୁଠେଙ୍ଗବାସୀ ଅଟଳ ରହିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ଭୁଆସୁଣିରେ ଆଉ କିଛି ମାସ ଅଳିଆ ପକାଇବାକୁ ମହଲତ ମାଗୁଥିଲେ ହେଁ ନିର୍ଦ୍ଦିଷ୍ଟ ଭାବେ କେ‌ଉଁ ମାସରୁ ଆଉ ଅଳିଆ ପକାଇ‌ବେନି ତାହା ଲିଖିତ ଭାବେ ଜଣାଇବାକୁ ଦାରୁଠେଙ୍ଗବାସୀ କହିଛନ୍ତି। କେବଳ ଏତିକି ନୁହେଁ, ଗ୍ରାମବାସୀଙ୍କ ନାମରେ ଥିବା ମାମଲା କେବେ ପ୍ରତ୍ୟାହାର କରାଯିବ ଏବଂ ଭୁଆସୁଣିରେ ବାଇଓ ମାଇନିଂ କରି କେବେ ପୂର୍ବାବସ୍ଥା ଫେରାଇ ଅଣାଯିବ, ତାହା ଲିଖିତ ଭାବେ ଜଣାଇବା ପାଇଁ କୁହାଯାଇଛି। ଏହା ପରେ ହିଁ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଦାରୁଠେଙ୍ଗ ଗ୍ରାମବାସୀ ଆଜି ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ରୋକଠୋକ୍ ଜଣାଇ ଦେଇଛନ୍ତି। ଦାରୁଠେଙ୍ଗ ଗ୍ରାମବାସୀ ଏପରି ଜିଦ୍‌ରେ ଥିବା ବେଳେ ବିଏମ୍‌ସି ଜାନୁଆରି, ୨୦୨୦ରୁ ଭୁଆସୁଣିରେ ଅଳିଆ ପକାଇବନି ବୋଲି ଏନ୍‌ଜିଟିରେ ସତ୍ୟପାଠ ‌ଦାଖଲ କରି ସାରିଥିବାରୁ ଏକପ୍ରକାର ହରଡ଼ଘଣାରେ ପଡ଼ିଛି। ନା ଗ୍ରାମବାସୀଙ୍କ ଉପରେ ଚାପ ପକାଇ ପାରୁଛି ନା ଅଳିଆ ଭୁଆସୁଣିରେ ପକାଇ ପାରୁଛି। ଏପଟେ ସୈନିକ ସ୍କୁଲସ୍ଥିତ ଅସ୍ଥାୟୀ ଡମ୍ପିଂୟାର୍ଡରେ ଅଳିଆ ପାହାଡ଼ ସଦୃଶ ଜମା ହେଲ‌ାଣି। ଆଉ ଅଳିଆ ଗଦାଇବାକୁ ଜାଗା ନାହିଁ। କଷ୍ଟେମ‌‌‌ଷ୍ଟେ ଆଉ ଦିନେ ଦୁଇଦିନ ଏଠାରେ ଅଳିଆ ଗଦାଇ ହେବ। ତେଣୁ ଏବେ ବିଏମ୍‌ସି କର୍ତ୍ତୃପକ୍ଷ କ’ଣ କରିବେ, ଜାଣି ପାରୁ ନାହାନ୍ତି। ଏପଟେ ଆଜି ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ବିଏମ୍‌ସି କମିସନର ଆଲୋଚନା କରି ପୁଣି ଦିନେ ମହଲତ ନେଇଛନ୍ତି। ଗ୍ରାମବାସୀ ଯେଉଁ ସବୁ ସର୍ତ୍ତ ରଖିଛନ୍ତି, ସେନେଇ ନିର୍ଦ୍ଦିଷ୍ଟ ମାସ ଓ ତାରିଖ ଧାର୍ଯ୍ୟ କରି ଶୁକ୍ରବାର ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି। ଏହାପରେ ଶନିବାର ଦାରୁଠେଙ୍ଗରେ ଗ୍ରାମସଭା ବସି ଏହା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଆଜି ବିଏମ୍‌ସି କମିସନର ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ଡାକି ଆଲୋଚନା କରିଥିଲେ। ଆଲୋଚନା ବେଳେ ଗ୍ରାମବାସୀ କହିଥିଲେ ଯେ ବିଏମ୍‌ସି ୧୩ ବର୍ଷ ହେଲା ଆମକୁ ଯନ୍ତ୍ରଣା ଦେଉଛି। ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ସହ ବିଭିନ୍ନ ପ୍ରକାରର ରୋଗ ହେଉଛି। ଆଉ ଏ ଯନ୍ତ୍ରଣା ସହି ହେବନି। ଏନ୍‌ଜିଟ‌ିରେ ବିଏମ୍‌ସି ଯେଉଁ ସତ୍ୟପାଠ ଦାଖଲ କରିଥିଲା, ତାହାକୁ ପାଳନ କରୁ। ବିଏମ୍‌ସି କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ନାମରେ କରିଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରନ୍ତୁ। ସେଥିପାଇଁ ଯାହା ସହ ଆଲୋଚନା କରିବା କଥା କରନ୍ତୁ ପଛେ କେବେ ମାମଲା ପ୍ରତ୍ୟାହାର କରି‌ବେ, ତାହା ନିର୍ଦ୍ଦିଷ୍ଟ ଭାବେ କୁହନ୍ତୁ। ଡମ୍ପିଂୟାର୍ଡ ବାଇଓମାଇନିଂ କାମ ତୁରନ୍ତ ଆରମ୍ଭ କରି ଶେଷ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଅପରପକ୍ଷେ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ ଆମେ ଗ୍ରାମବାସୀଙ୍କୁ ବୁଝାଉଛୁ। ଯେଉଁ ୱାର୍ଡରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ସରିବ ସେ ୱାର୍ଡର ଅଳିଆ ଭୁଆସୁଣିକୁ ଯିବନି। ସମସ୍ତ କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ପ୍ରାୟ ବର୍ଷେ ଲାଗିଯିବ। ତେଣୁ ଆମକୁ ବର୍ଷେ ସମୟ ଦରକାର ବୋଲି ଜଣାଇବୁ। ଗ୍ରାମବାସୀଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର କରିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ। ତାହା କେବେ ସୁଦ୍ଧା ହେବ ଜଣାଇ ଦେବୁ। ଆଜି ବିଏମ୍‌ସି କାର୍ଯ୍ୟାଳୟ‌େର ବସିଥିବା ବୈଠକରେ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସମେତ ଜଟଣୀ ବିଧାୟକ ସୁର ରାଉତରାୟ, ବିଏମ୍‌ସିର ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ, ଦାରୁଠେଙ୍ଗର ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ରାଉତରାୟ, ଦାରୁଠେଙ୍ଗ ଗାଁ ସଭାପତି ପର୍ଶୁରାମ ରାଉତରାୟ, ପୂର୍ବତନ ସମିତି ସଭ୍ୟ ଅକ୍ଷୟ ପାହାଡ଼ସିଂହଙ୍କ ସମେତ ଗ୍ରାମର ବହୁ ବରିଷ୍ଠ ନାଗରିକ, ଆଇନଜୀବୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର