ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମରେ ଏବେ ଯେମିତି ଶନିଦଶା ପଡ଼ିଛି। ବିକାଶମୂଳକ କାର୍ଯ୍ୟ ପାଇଁ ବିଏମ୍‌ସି ଆଉ ଚର୍ଚ୍ଚାରେ ରହୁନି। ବରଂ ଗୋଟିଏ ପରେ ଗୋଟିଏ ଅଘଟଣ ଏବେ ବିଏମ୍‌ସିକୁ ଢେର୍‌ ବଦନାମ କରାଉଛି। କେତେବେଳେ ଅଧିକାରୀଙ୍କୁ ଆକ୍ରମଣ କରି ଶାସକ ଦଳର କର୍ପୋରେଟର ଗିରଫ ହେଉଛନ୍ତି ତ କେତେବେଳେ ଦୁଷ୍କର୍ମ ଅଭିଯୋଗରେ ବିରୋଧୀ ଦଳ କର୍ପୋରେଟର ଜେଲ୍‌ ଯାଉଛନ୍ତି। ପୁଣି ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ପଡ଼ି ବିଏମ୍‌ସିକୁ ବିବାଦ ଘେରକୁ ଟାଣୁଛନ୍ତି। ଠିକ୍ ଏପରି ସମୟରେ କମିସନରଙ୍କ ବଦଳି ଆଉ ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଗତ ଜୁନ୍ ୩୦ ତାରିଖ ସୋମବାର ଘଟଣା। କମିସନର୍ ରାଜେଶ ପ୍ରଭାକର ପାଟିଲ୍ ଛୁଟିରେ ଯାଇଥିବାରୁ ବରିଷ୍ଠତା ଭିତ୍ତିରେ ଅତିରିକ୍ତ କମିସନର୍ ରତ୍ନାକର ସାହୁ ଭାରପ୍ରାପ୍ତ କମିସନର୍ ଦାୟିତ୍ବରେ ଥିଲେ। ବିଏମ୍‌ସି ମୁଖ୍ୟାଳୟରେ ଜନଶୁଣାଣି ଚାଲିଥିବା ବେଳେ ଶାସକ ଦଳର ଜଣେ କର୍ପୋରେଟର ଜୀବନ ରାଉତ ଓ କିଛି ଦଳୀୟ ନେତା ଶ୍ରୀ ସାହୁଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଥିଲେ। ସାରା ରାଜ୍ୟରେ ଏହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ଆକ୍ରମଣକାରୀଙ୍କୁ ପୁଲିସ ଗିରଫ କରିଥିଲା। ଏହାର ପ୍ରଚ୍ଛଦରେ ଥିବାରୁ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବି ଗିରଫ ହୋଇଥିଲେ। ଅତିରିକ୍ତ କମିସନରଙ୍କ ନାମରେ ବି ପାଲଟା ଅଭିଯୋଗ ଆସିଲା। ଏହି ଘଟଣାକୁ ନେଇ ସହର ଉଠିଲା, ପଡ଼ିଲା। ବିଏମ୍‌ସି ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା। 

Advertisment

ଗତ ଜୁଲାଇ ୨୩ରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଶ୍ରୀ ପଟ୍ଟନାୟକ ଗିରଫ ବି ହେଲେ। ଏହି ଚଢ଼ଉ ଓ ଗିରଫଦାରୀ ପରେ ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗରେ ଦୁର୍ନୀତି ଚେର ଦୃଢ଼ ଥିବା ନେଇ ଆଶଙ୍କା ଜୋର୍‌ ଧରିଛି। ଗତକାଲି ଆଉ ଏକ ଅଲୋଡ଼ା ଘଟଣା ପାଇଁ ବିଏମ୍‌ସି ଚର୍ଚ୍ଚାରେ ରହିଲା। ଚାରି ଚାରି ଥର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିବା ୪୫ ନମ୍ବର ୱାର୍ଡର ଅମରେଶ ଜେନାଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ଗିରଫ କଲା। ଯଦିଓ ଏହାକୁ ଷଡ଼ଯନ୍ତ୍ର ବୋଲି ଅମରେଶ କହିଛନ୍ତି, ତେବେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଉଭୟ ଶାସକ ଓ ମୁଖ୍ୟ ବିରୋଧୀ ଦଳର କର୍ପୋରେଟର ଭିନ୍ନ ଭିନ୍ନ କାରଣ ପାଇଁ ଗିରଫ ହୋଇଥିବାରୁ ଉଭୟ ଦଳ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଜନପ୍ରତିନିଧି ଓ ଯନ୍ତ୍ରୀଙ୍କ ଗିରଫଦାରୀ ବିଏମ୍‌ସିର ଛବିକୁ ମଳିନ କରିଛି ବୋଲି ସଚେତନ ନାଗରିକମାନେ ଅନୁଭବ କରୁଛନ୍ତି। ଏମିତି ଏକ ଅଭାବନୀୟ ପରିସ୍ଥିତି ବେଳେ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ୍‌ଙ୍କର ବଦଳି କରିଦିଆଯାଇଛି। ଚଞ୍ଚଳ ରାଣାଙ୍କୁ କମିସନର କରାଯାଇଛି। ଏ ଯାଏ ଶ୍ରୀ ରାଣା ଦାୟିତ୍ବରେ ଯୋଗ ଦେଇନାହାନ୍ତି। ତେବେ ବିଏମ୍‌ସିରେ ଘନ ଘନ କମିସନର ବଦଳି ପାଇଁ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହେଉଥିବାର ନଜିର ରହିଛି। ଏବେ ନୂଆ କମିସନର କାର୍ଯ୍ୟରେ ଯୋଗ ଦେଲା ପରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେଉଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। 

ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଗିରଫକୁ ୫ ଦିନ, ନିଲମ୍ବନ ଆଦେଶ କେବେ?
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିସାରିଛି। ନିୟମ କହୁଛି, ଜଣେ ସରକାରୀ ଅଧିକାରୀ ଗିରଫ ହେବାର ୪୮ ଘଣ୍ଟା ଭିତରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଯଦି ସ୍ଥାୟୀ ସରକାରୀ ଅଧିକାରୀ ଅବା କର୍ମଚାରୀ ହୋଇଥାନ୍ତି, ତାଙ୍କୁ ଚାକିରିରୁ ନିଲମ୍ବନ କରାଯିବ। ଏ ଭିତରେ ୫ ଦିନ ବିତିଗଲାଣି, ଅଥଚ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନି। ନା ନିଲମ୍ବନ କରାଯାଇଛି ନା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏପରି ବିଳମ୍ବ ଜାଣତରେ କି ଅଜାଣତରେ ହୋଇଛି, ତାହା ସନ୍ଦେହ ସୃଷ୍ଟି କରିଛି। ଗତ ୨୩ ତାରିଖରେ ଶ୍ରୀ ପଟ୍ଟନାୟକଙ୍କ ଘର ସହ ଫାର୍ମ ହାଉସ୍ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଶ୍ରୀ ପଟ୍ଟନାୟକଙ୍କ ଘରୁ ହରିଣ ଶିଙ୍ଗ ଜବତ କରାଯାଇଥିଲା। ଶ୍ରୀ ପଟ୍ଟନାୟକଙ୍କୁ ଗତ ୨୪ ତାରିଖରୁ ଗିରଫ କରାଗଲାଣି। ଅଥଚ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଭୁବନେଶ୍ବର ମହାନଗର ନିଗମରେ ଚାକିରି କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିୟମାନୁଯାୟୀ ଯେଉଁ ବିଭାଗ ଅଧୀନରେ ସେ ଚାକିରି କରିଛନ୍ତି, ସେଠୁ ନିଲମ୍ବନ ଆଦେଶ ସଂପର୍କିତ ଚିଠି ଆସିବା ପରେ ଭୁବନେଶ୍ବର ମହାନଗର ନିଗମ ଏହି ଚିଠିକୁ କାର୍ଯ୍ୟକାରୀ କରିବ। କିନ୍ତୁ ବିଭାଗ ତରଫରୁ କୌଣସି ଚିଠି ଆସିନି। ଭୁବନେଶ୍ବର ମହାନଗର ନିଗମ ବି ନିଜ ତରଫରୁ କିଛି କରିପାରିବନି ବୋଲି ସେ କହିଛନ୍ତି।