ଭାଣ୍ଡିଆ ହେଲା ବିଏମ୍‌ସି

ଭୁବନେଶ୍ବର: ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ହେଲେ ବଜାର ଓ ହାଟ ବ୍ୟବସାୟୀ ସଂଘଗୁଡ଼ିକର ସହଯୋଗ ନିତାନ୍ତ ଜରୁରି। ଏହାକୁ ଆଖି ଆଗରେ ରଖି ବିଏମ୍‌ସି ଆଜି ବିଭିନ୍ନ ହାଟ ଓ ବଜାର ବ୍ୟବସାୟୀ ସଂଘଙ୍କୁ ଆଲୋଚନାକୁ ଡାକିଥିଲା। ହେଲେ ବ୍ୟବସାୟୀ ସଂଘ ଅଭିଯୋଗରେ ଅଧିକାରୀମାନଙ୍କୁ ପୋତି ପକାଇଲେ। ବିଏମ୍‌ସି ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଗ୍ରହଣ କରିବା ସହ ଶତପ୍ରତିଶତ ସହଯୋଗ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଏମ୍‌ସି ପ୍ରତିଶ୍ରୁତିରୁ ଓହରି ଯାଇଥିବା ସେମାନେ ସପ୍ରମାଣ ଅଭିଯୋଗ କରିଥିଲେ।

ସମସ୍ତ ହାଟ ବ୍ୟବସାୟୀ ସଂଘଙ୍କର ଏକପ୍ରକାର ଅଭିଯୋଗ ଥିବାରୁ ଅଧିକାରୀମାନଙ୍କର ମୁଣ୍ଡ କାମ କରିନଥିଲା। ଫଳରେ ତରବରିଆ ଭାବେ ବୈଠକ ସାରି ଦେଇଥିଲେ। ମାର୍କେଟ ଉପବିଭାଗ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସଂଘ କର୍ମକର୍ତ୍ତା ସିଧା ସଳଖ ଟାର୍ଗେଟ କରିଥିଲେ ମଧ୍ୟ ଅତିରିକ୍ତ କମିସନର ତାଙ୍କୁ ସୁରକ୍ଷା ଦେଇଥିଲେ।

ପୂର୍ବରୁ କରୋନା କାଳରେ ବିଏମ୍‌ସି ବ୍ୟବସାୟୀ ସଂଘମାନଙ୍କର ସହଯୋଗ ଲୋଡ଼ିଥିଲା। ପ୍ରତ୍ୟେକ ବ୍ୟବସାୟୀ ସଂଘ ସହଯୋଗ କରିବା ସହ କରୋନା କଟକଣା ପାଳନ କରିଥିଲେ। ଅନ୍ୟ ବ୍ୟବସାୟୀଙ୍କୁ ସଚେତନ କରିଥିଲେ। କେବଳ କରୋନା ନୁହେଁ, ଯେଉଁ ସମୟରେ ବିଏମ୍‌ସି ସହଯୋଗ ଲୋଡ଼ିଥିଲା, ସେ ସମୟରେ ସେମାନେ ସହଯୋଗ କରିଥିବା କହିଥିଲେ। କିନ୍ତୁ ପରେ ବିଏମ୍‌ସି ସେମାନଙ୍କ ସମସ୍ୟା ସମାଧାନ କରିବାରେ ସହଯୋଗ କରିନଥିଲା। ୟୁନିଟ୍‌-୪ ଭୌମନଗର ହାଟରେ ପାଚେରି ଭାଙ୍ଗି ଯାଇଛି। ଗୋଟିଏ ଫାଟକ ସାମ୍ନାରେ ଜବରଦଖଲ ହୋଇଥିବାରୁ ଫାଟକଟି ବନ୍ଦ କରିବା ସମ୍ଭବ ହେଉନାହିଁ।

ଏ ନେଇ ବିଏମ୍‌ସିକୁ ଅଭିଯୋଗ କରିଥିଲେ ମଧ୍ୟ ମାର୍କେଟ୍‌ ଦାୟିତ୍ବରେ ଥିବା ଅଧିକାରୀ ଶୁଣୁ ନାହାନ୍ତି। ଗୋଟିଏ ଲାଇଟ୍‌ ଲଗାଇବା ପାଇଁ ବିଳମ୍ବ ହେଉଥିବାରୁ ୪ରୁ ୫ଦିନ ହାଟ ଅନ୍ଧାର ରହୁଛି ବୋଲି ଅଭିଯୋଗ କରିଥିଲେ। ଏତେ ସବୁ ଅଭିଯୋଗ ପରେ ମଧ୍ୟ ବୈଠକରେ ମାର୍କେଟ୍‌ ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପସ୍ଥିତ ଥାଇ ମଧ୍ୟ ଅତିରିକ୍ତ କମିସନର ତାଙ୍କଠାରୁ ଉତ୍ତର ତଲବ କରିନଥିଲେ। ଯେଉଁଥିପାଇଁ ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ୟୁନିଟ୍‌-୪ ମାର୍କେଟ୍‌ ନୁହେଁ, ଏଥିରେ ଯୋଗ ଦେଇଥିବା ୭ଟି ମାର୍କେଟ୍‌ ବ୍ୟବସାୟୀ ସଂଘର ଅନୁରୂପ ଅଭିଯୋଗ ରହିଥିଲା।

ପରିମଳ ପାଇଁ ସଚେତନ କରିବାକୁ ଡାକିଥିଲେ ଅଧିକାରୀ
ଅଭିଯୋଗରେ ପୋତି ପକାଇଲା ବ୍ୟବସାୟୀ ସଂଘ

ଏ ନେଇ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂରେ ଥିବା ବ୍ୟବସାୟୀ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ଜେନା କହିଥିଲେ, ପରିମଳ କିମ୍ବା ଅନ୍ୟ କୌଣସି କଟକଣାକୁ ଆମେ ବିରୋଧ କରୁନାହୁଁ। ପୂର୍ବରୁ ଯେମିତି ଆମେ ସହଯୋଗ କରିଛୁ, କରିବୁ। କିନ୍ତୁ ଉଚିତ ସମୟରେ ବିଏମ୍‌ସି ମଧ୍ୟ ଆମ ସମସ୍ୟାର ସମାଧାନ କରୁ। ଭୌମନଗର ହାଟ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ବଦ୍ରିନାରାୟଣ ମିଶ୍ରଙ୍କ କହିବା କଥା, ବିଏମ୍‌ସି ଏଠାରେ ମହାସୁଲ ବଢ଼ାଇଲା, ଆମେ ସ୍ବୀକାର କଲୁ। ଯେଉଁ ସମୟରେ ଯାହା ଯାହା କଟକଣା କରାଯାଇଛି ତାହା ଆମେ ପାଳନ କରୁଛୁ। ପରିମଳକୁ ନେଇ ଆମେ ବି ଯତ୍ନବାନ। କିନ୍ତୁ ଅଭିଯୋଗର ସମାଧାନ ହେଉ ନାହିଁ। ଯାହାକୁ ନେଇ ଆମ ବ୍ୟବସାୟୀଙ୍କ ମଧ୍ୟରେ କ୍ଷୋଭ ରହିଛି। ତେବେ ଆଜି ଅତିରିକ୍ତ କମିସନର ମାର୍କେଟ୍‌ ବୁଲି ବିଭିନ୍ନ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଉଳ୍ଲେଖଯୋଗ୍ୟ, ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଏମ୍‌ସି ଉଦ୍ୟମ ଜାରି ରଖିଛି। ଏଣୁ ପ୍ରତ୍ୟେକ ମାର୍କେଟ୍‌ ବ୍ୟବସାୟୀ ସଂଘଙ୍କୁ ସଚେତନ କରୁଛି। ଏହି କ୍ରମରେ ଆଜି ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର(ପରିମଳ)ଶୁଭେନ୍ଦୁ ସାହୁ ଓ ଅନ୍ୟ ଅଧିକାରୀମାନେ ମାର୍କେଟ୍‌ ବ୍ୟବସାୟୀ ସଂଘମାନଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର