ବିଏମ୍‌ସିର ଫମ୍ପା ଧମକ

ଭୁବନେଶ୍ୱର: ବିନା ଅନୁମତିରେ ରାଜଧାନୀରେ ହୋର୍ଡିଂ ଲଗାଇଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସଂସ୍ଥାକୁ ଜରିମାନା ନୋଟିସ୍‌ କରାଗଲା। ଏପରିକି ୭ଦିନ ମଧ୍ୟରେ ଜରିମାନା ଅର୍ଥ ନଦେଲେ ସାର୍ଟିଫିକେଟ୍‌ କେସ୍‌ କରି ସମ୍ପତ୍ତି ଜବତ କରାଯିବ ବୋଲି ନୋଟିସ୍‌ରେ ଚେତାବନୀ ଦିଆଗଲା। କିନ୍ତୁ ନୋଟିସ୍‌ କରିବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ନା ଜରିମାନା ଆଦାୟ କରିପାରିଲେ ନା ସାର୍ଟିଫିକେଟ୍‌ କେସ୍‌ କଲେ। ବିଏମ୍‌ସିର ଫମ୍ପା ଧମକ ଦେଖି ଏବେ ରାଜଧାନୀରେ ବେଆଇନ ହୋର୍ଡିଂ ଛାଇ ଗଲାଣି। ବିଏମ୍‌ସିର ବିଜ୍ଞାପନ ନୀତି ୨୦୦୬ର ପରିଚ୍ଛେଦ ୧୦-ଇ ଅନୁସାରେ ବେଆଇନ ବିଜ୍ଞାପନ ପ୍ରଦର୍ଶନକାରୀଙ୍କ ଠାରୁ ପ୍ରତି ହୋର୍ଡିଂ ପିଛା ୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିୟମ ରହିଛି। ଏହି ନିୟମ ଅନୁଯାୟୀ ୭ଦିନ ମଧ୍ୟରେ ଜରିମାନା ନଦେଲେ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍‌ ଆକ୍ଟ-୨୦୦୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ଜରିମାନା ଖିଲାପକାରୀଙ୍କ ଉପରେ ସାର୍ଟିଫିକେଟ୍‌ କେସ୍‌ ରୁଜୁ କରାଯିବ। ଏହାପରେ ବିଏମ୍‌ସି ପକ୍ଷରୁ ସମ୍ପତ୍ତି ବାଜ୍ୟାପ୍ତି କରାଯିବ। କିନ୍ତୁ ଏହି ନିୟମ କେବଳ ବିଏମ୍‌ସିର ରେକର୍ଡରେ ଅଛି। କିଛି ବି କାର୍ଯ୍ୟକାରୀ ହେଉନି। ଖାଲି ଫମ୍ପା ବାହାଦୂରୀ ମାରିବା ପାଇଁ ଅଧିକାରୀମାନେ ନୋଟିସ୍‌ ସିନା ଜାରି କରିଦେଲେ କିନ୍ତୁ ଜରିମାନା ଆଦାୟ କରିବାକୁ ସାହାସ ଜୁଟାଇ ପାରିଲେନି। ରାଜଧାନୀରେ ମାଳମାଳ ବେଆଇନ ହୋର୍ଡିଂ ଲାଗୁଥିବା ଦେଖି ବିଏମ୍‌ସି ପକ୍ଷରୁ ବିଜ୍ଞାପନ ନୀତି ୨୦୦୬କୁ ସଂଶୋଧନ କରାଗଲା। ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ବାରମ୍ବାର ବୈଠକ ବି ବସିଲା। ହେଲେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଅଧିକାରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ସେନେଇ ଏବେ ଅନେକ ପ୍ରଶ୍ନ ଉଠିଲାଣି।

ଏପରିକି ବିଏମ୍‌ସି ଅଧିକାରୀମାନେ ଜରିମାନା ନୋଟିସ୍‌ କରିଦେବା ପରେ ସଂସ୍ଥା ଠାରୁ ଭିତିରିଆ କାରବାର କରି ଏହାକୁ ଚପାଇ ରଖୁଥିବା ଅଭିଯୋଗ ଉଠିଲାଣି। ଯେଉଁଥିପାଇଁ ଏବେ ରାଜଧାନୀରେ ବେଆଇନ ହୋର୍ଡିଂ ଲଗାଇବାକୁ ବିଭିନ୍ନ ସଂସ୍ଥା ପଛଘୁଞ୍ଚା ଦେଉନାହାନ୍ତି। ଗତ ଜାନୁଆରି ୧୦ତାରିଖରେ ରାଜଧାନୀରେ ୯ଟି ସଂସ୍ଥା ପକ୍ଷରୁ ଲାଗିଥିବା ୪୫୦ଟି ବେଆଇନ ହୋର୍ଡିଂକୁ ବିଏମ୍‌ସି ଉଚ୍ଛେଦ କରିବା ସହ ୨୪ଲକ୍ଷ ୫୦ହଜାର ଟଙ୍କା ଜରିମାନା ନୋଟିସ୍‌ କରିଥିଲା। ବିଏମ୍‌ସି ପକ୍ଷରୁ ବ୍ଲିସ୍‌ଫୁଲ୍‌ ୟୋଗା ସେଣ୍ଟର୍‌, ଫ୍ୟୁଚର୍‌ ଫ୍ଲେମ୍‌ କମ୍ପ୍ୟୁଟର୍‌ ଏଜୁକେସନ୍‌, ନୃତ୍ୟାର୍ଚ୍ଚନା, ଲେଜର୍‌ ପାଇଲ୍‌ସ ସେଣ୍ଟର୍‌, କ୍ଲାଟ୍‌, ବାଜିରାଓ ଆଇଏଏସ୍‌ ଏକାଡେମି, କେନ୍‌ସଫ୍ଟ୍‌ ଏଜୁକେସନ, ଭେଟା, ଉଡାନ୍‌ ଏକାଡେମି ପ୍ରମୁଖଠାରୁ ଜରିମାନା ଆଦାୟ ପାଇଁ ନୋଟିସ୍‌ ହୋଇଥିଲା। ହେଲେ ଏହି ୯ଟି ସଂସ୍ଥାରୁ ଗୋଟିଏ ସଂସ୍ଥା ମାତ୍ର ୫ହଜାର ଟଙ୍କା ଜମା କରିଥିବାବେଳେ ବାକି ୮ଟି ସଂସ୍ଥା ଟଙ୍କାଟିଏ ବି ଦେଲେନି। ବିଏମ୍‌ସି ପକ୍ଷରୁ କିନ୍ତୁ ଏନେଇ ତନାଘନା ବି କରାଗଲାନି। କିପରି ଜରିମାନା ଆଦାୟ ହେବ ସେନେଇ ପଦକ୍ଷେପ ନିଆଗଲାନି କି ସାର୍ଟିଫିକେଟ୍‌ କେସ୍‌ ହେଲାନି। କେବଳ ଏତିକିରେ ବିଏମ୍‌ସିର ଅପାରଗତା ଶେଷ ହେଲାନି। ଗତ ଫେବ୍ରୁଆରି ୩ତାରିଖରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନସ୍ଥ ସଂସ୍ଥା ପେଟ୍ରୋଲିୟମ କନଜରଭେସନ୍‌ ଆଣ୍ଡ ରିସର୍ଚ୍ଚ ଆସୋସିଏସନ୍‌ (ପିସିଆର୍‌ଏ) ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ୨ହଜାର ହୋର୍ଡିଂ ଲଗାଯାଇଥିବାବେଳେ ବିଏମ୍‌ସି ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଥିଲା। ବିନା ଅନୁମତିରେ ହୋର୍ଡିଂ ଲଗାଇଥିବାରୁ ହୋର୍ଡିଂ ପିଛା ୫ହଜାର ଟଙ୍କା ହିସାବରେ ୧କୋଟି ଟଙ୍କା ଜରିମାନା ଦେବାକୁ ନୋଟିସ୍‌ ଜାରି କରାଗଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ୭ଦିନ ଭିତରେ ଜରିମାନା ନଦେଲେ ସାର୍ଟିଫିକେଟ୍‌ କେସ୍‌ କରାଯିବ। କିନ୍ତୁ ନୋଟିସ୍‌ କରିବାର ୫ ସପ୍ତାହ ବିତିଯାଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇନାହାନ୍ତି।

ଜରିମାନା ଆଦାୟ କଲେନି କି କେସ୍‌ କଲେନି
କାହା ଇସାରାରେ ଚୁପ୍‌ ବସିଛନ୍ତି ଅଧିକାରୀ?
ପିସିଆର୍‌ଏ ଓ ଅନ୍ୟ ୮ସଂସ୍ଥା ପାଇଁ ଦରଦ କାହିଁକି?
ମାଡ଼ିଗଲାଣି ବେଆଇନ ହୋର୍ଡିଂ
ସରକାରୀ ଓ ବେସରକାରୀ ସଂସ୍ଥା କେହି ନିୟମ ମାନୁନାହାନ୍ତି

ବିଏମ୍‌ସିର ଏହିଭଳି ପଦକ୍ଷେପ ଏବଂ ଫମ୍ପା ଧମକ ଦେଖି ଯେଉଁ ସଂସ୍ଥାମାନଙ୍କ ବେଆଇନ ହୋର୍ଡିଂ ଉଚ୍ଛେଦ ହୋଇଥିଲା ସେମାନେ ଏବେ ପୁଣି ହୋର୍ଡିଂ ଲଗାଇଲେଣି। ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗ ରାଜଧାନୀରେ ବେଆଇନ ହୋର୍ଡିଂ ଛାଇ ଦେଇଛନ୍ତି। ସବୁଠୁ ଆଗରେ ପର୍ଯ୍ୟଟନ ବିଭାଗ ରହିଛି। ପର୍ଯ୍ୟଟନ ବିଭାଗ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଉଁଶ ପୋତି ହୋର୍ଡିଂ ଲଗାଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଉଚ୍ଛେଦ କରିବାକୁ ସାହସ କରୁନାହାନ୍ତି। କେବଳ ସରକାରୀ କି ବେସରକାରୀ ସଂସ୍ଥା ନୁହେଁ ବିଭିନ୍ନ ରାଜନୈତିକ ଦଳ ବି ବିଏମ୍‌ସିର ଅପାରଗତାକୁ ଦେଖି ବେଆଇନ ହୋର୍ଡିଂ ଲଗାଇବାକୁ ପଛାଉନାହାନ୍ତି। ବେଆଇନ ହୋର୍ଡିଂ ଲଗାଇଥିବା ସଂସ୍ଥା ଠାରୁ ଜରିମାନା ଆଦାୟ କରିବା ଏବଂ ସାର୍ଟିଫିକେଟ୍‌ କେସ୍‌ କରିବା ପାଇଁ ନୋଟିସ୍‌ ଜାରି କରିଥିବା ବିଏମ୍‌ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜରିମାନା ଆଦାୟ ପାଇଁ ଆମେ ଯେତିକି ସମୟ ଦେଇଥିଲୁ ସେଥିରେ ଗୋଟିଏ ମାତ୍ର ସଂସ୍ଥା ଜରିମାନା ଦେଲା। ସମସ୍ତଙ୍କ ବିରୁଦ୍ଧରେ ସାର୍ଟିଫିକେଟ୍‌ କେସ୍‌ ହେବ। ଜୋନାଲ ଡେପୁଟି କମିସନରମାନେ ଏନେଇ ନୋଟିସ୍‌ କରିବେ। ଏନେଇ ସେମାନଙ୍କୁ ଜଣାଇ ଦିଆଯାଇଛି। କିନ୍ତୁ ମାର୍ଚ୍ଚ ମାସ ପାଇଁ ଜୋନାଲ ଡେପୁଟି କମିସନରମାନେ ବିଭିନ୍ନ ରାଜସ୍ୱ ଆଦାୟ କରିବାରେ ବ୍ୟସ୍ତ ଥିବାରୁ ସାର୍ଟିଫିକେଟ୍‌ କେସ୍‌ ହୋଇପାରିନି। ଖୁବ୍‌ ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର