ଭୁବନେଶ୍ବର : ବିଏମ୍ସିରେ ଅଧିକାରୀମାନେ ଯେତେବେଳେ ଯାହା ଚାହୁଁଛନ୍ତି ତାହା କରିଛନ୍ତି। କେତେବେଳେ ବିନା ଟେଣ୍ଡରରେ କାମ କରିଛନ୍ତି ଆଉ କେତେବେଳେ ଠିକା ସଂସ୍ଥା ଜରିଆରେ ନିଯୁକ୍ତି ଦେଇଛନ୍ତି। ଯାହାର ଫଳ ଭୋଗିଛନ୍ତି ପେଟ ପୋଷିବା ପାଇଁ ଠିକା ସଂସ୍ଥା ଜରିଆରେ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ପାଠ ପଢ଼ୁଆ ବେକାରୀ। ଠିକ୍ ଆଜି ଏଭଳି ଏକ ଘଟଣା ଘଟିଛି। ବର୍ଷ ବର୍ଷ ଧରି ବିଏମ୍ସିରେ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ଭାବେ କାମ କରୁଥିବା ୫୮ ଜଣଙ୍କୁ ଚାକିରିରୁ ବିଦା କରିବାକୁ ଠିକା ସଂସ୍ଥା ପିଏମ୍ଆର କନ୍ସୋର୍ଟିୟମକୁ ଚିଠି ଲେଖିଛି ବିଏମ୍ସି। ଆସନ୍ତା ଜୁନ୍ ୧ ତାରିଖରୁ ଏହି ଡିଇଓମାନଙ୍କୁ ଅଫିସ୍ ନ ପଠାଇବାକୁ ଚିଠିରେ ସ୍ପଷ୍ଟ କରିଛି। ଏଭଳି ହଠାତ୍ ଚାକିରି ଚାଲିଯିବା ଚିଠି ପାଇବା ପରେ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଆଜି କର୍ମଚାରୀମାନେ ପୁନଃ ନିଯୁକ୍ତି ପାଇଁ ମେୟରଙ୍କୁ ଭେଟିବା ସହ ଚିଠି ଲେଖି ଗୁହାରି କରିଛନ୍ତି। କମିସନରଙ୍କୁ ମଧ୍ୟ ସେମାନେ ଭେଟିଛନ୍ତି। ହେଲେ ଏହି କର୍ମଚାରୀମାନଙ୍କ କଥା କମିସନର ଶୁଣି ନାହାନ୍ତି।
ଅନ୍ୟପଟେ ଏହି କର୍ମଚାରୀମାନଙ୍କୁ ଯୋଗାଇବା ପାଇଁ ବିଏମ୍ସି ଟେଣ୍ଡର ଡାକି ନଥିଲା। ବରଂ ପିଏମ୍ଆର ସଂସ୍ଥା ଜରିଆରେ ଏମାନଙ୍କୁ ନିଯୁକ୍ତି ଦେଇଥିଲା। ପିଏମ୍ଆର ସହ କୌଣସି ପ୍ରକାରର ଚୁକ୍ତି ମଧ୍ୟ କରାଯାଇନଥିଲା। ପିଏମ୍ଆର କୌଣସି କମିସନ ନ ରଖି ଏହି କର୍ମଚାରୀଙ୍କୁ ଦରମା ଦେଉଥିଲା। ୬ ମାସ ତଳେ ପିଏମ୍ଆର କମିସନ ପାଇଁ ଦାବି କରିବାରୁ ବିବାଦ ହୋଇଥିଲା। ଶେଷରେ ୫ ମାସ ହେବ ବିଏମ୍ସି କମିସନ ବା ସର୍ଭିସ୍ ଚାର୍ଜ ପିଏମ୍ଆରକୁ ଦେଇ ଆସୁଥିଲା। ଗତ ୧୭ ତାରିଖ ଦିନ ହଠାତ୍ ବିଏମ୍ସି ପିଏମ୍ଆରକୁ ଏମାନଙ୍କ ଛଟେଇ ବାବଦକୁ ଚିଠି ଲେଖିଥିଲା।
ବିଏମ୍ସି ପକ୍ଷରୁ କୁହାଯାଇଛି କି କଣ୍ଟ୍ରାକ୍ଟ ଅବଧି ସରିଯିବାରୁ ଏମାନଙ୍କୁ ଛଟେଇ କରାଯାଇଛି। କିନ୍ତୁ ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ପିଏମ୍ଆର୍ ପାଲଟା ପ୍ରଶ୍ନ ପଚାରିଛି କି, ଏ ନେଇ ବିଏମ୍ସି ସହ କୌଣସି ଚୁକ୍ତି ହୋଇନଥିଲା, ଅବଧି ସରିବ କଣ? ଏହା ପୁଣି ବିଏମ୍ସିକୁ ବିବାଦକୁ ଟାଣିଛି। କେଉଁ ପରିସ୍ଥିତିରେ ବିନା ଟେଣ୍ଡରରେ ୫୮ ଜଣଙ୍କୁ ନିଯୁକ୍ତି ଦିଆ ଯାଇଥିଲା? କେଉଁମାନଙ୍କୁ ଏଠାରେ ଥଇଥାନ କରାଯାଇଥିଲା? ଆଜି ହଠାତ୍ କାହାର ଅସୁବିଧା ହେଲା ଯେ, ସେମାନଙ୍କୁ ବାହାର କରାଯାଇ ନୂଆ ସଂସ୍ଥା ଜରିଆରେ ପୁଣି ଡିଇଓ ନିଯୁକ୍ତି ପାଇଁ ଚିନ୍ତା କରାଗଲା? ଏଭଳି ନିଯୁକ୍ତି ଓ ଛଟେଇ ପଛରେ କାହାର ହାତ? ନା ଅଫିସରମାନଙ୍କ ମଧ୍ୟରେ ରହିଥିବା ଅସହିଷ୍ଣୁତା ଏଭଳି ନିରୀହ ଠିକା କର୍ମଚାରୀଙ୍କ ପାଇଁ କାଳ ହୋଇଛି? ନା ନିଜ ଲୋକଙ୍କୁ ନିଯୁକ୍ତି ଦେବାପାଇଁ ଏହି ପୁରୁଣା କର୍ମଚାରୀମାନଙ୍କୁ ବଳି ପକାଇ ଦିଆଯାଇଛି? ଏଭଳି ଅନେକ ପ୍ରଶ୍ନ ଏବେ ବିଏମ୍ସିକୁ ଅଡ଼ୁଆରେ ପକାଇଛି। ଏଥିରୁ ସ୍ପଷ୍ଟ ହେଉଛି କି ଏଭଳି ବେଆଇନ ନିଯୁକ୍ତି ପୂର୍ବରୁ ଥିବା ଅଫିସର କରିଥିଲେ। ଏବର ଅଫିସର ଏମାନଙ୍କୁ ହଟାଇ ନୂଆ ନିଯୁକ୍ତି ଦେବାକୁ ଚାହୁଁଛନ୍ତି।
କର୍ମଚାରୀଙ୍କ ଅଭିଯୋଗ ମୁତାବକ, ପିଏମ୍ଆର ସଂସ୍ଥା ଜରିଆରେ ବିଏମ୍ସି ସେମାନଙ୍କୁ ନିଯୁକ୍ତି ଦେଇଥିଲା। ୩ରୁ ୫ ବର୍ଷ ଧରି ସେମାନେ କାମ କରି ଆସୁଥିଲେ। କୋଭିଡ୍ ମହାମାରୀ ଭଳି ସଙ୍କଟ ସମୟରେ ସେମାନେ କାମ କରିଥିଲେ। ଫନି ସମୟରେ କର୍ମଚାରୀ ଅଭାବ ସତ୍ବେ ସେମାନେ କାର୍ଯ୍ୟ ସମୟ ଠାରୁ ଅଧିକ ସମୟ ବିଏମ୍ସିରେ ଦେଇଥିଲେ। କିନ୍ତୁ ଆଇଟି ଉପବିଭାଗ ଡେପୁଟି କମିସନର ଲେଖିଛନ୍ତି କି ଏହି କର୍ମଚାରୀମାନଙ୍କର ଆଉ ଆବଶ୍ୟକତା ନାହିଁ। ଯେଉଁଥିପାଇଁ କର୍ମଚାରୀମାନେ ମାନସିକ ଚାପରେ ରହିଥିବା ମେୟରଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ତେବେ ପିଏମ୍ଆର ପକ୍ଷରୁ କୁହାଯାଇଛି କି କର୍ମଚାରୀମାନଙ୍କୁ ଛଟେଇ କରିବାକୁ ବିଏମ୍ସି ଚିଠି ଲେଖିଛି। ଏଣୁ ସେମାନେ ଆଉ ଜୁନ୍ ଦୁଇ ତାରିଖରୁ କାମ କରିବେ ନାହିଁ। କିନ୍ତୁ ଅନ୍ୟ ଯେଉଁଠି ମାନବସମ୍ବଳର ଆବଶ୍ୟକତା ରହିବ ଆମେ ଏହି କର୍ମଚାରୀଙ୍କୁ ଅଗ୍ରାଧିକାର ଦେବୁ। ବିଏମ୍ସି କହିଛି କି ଏମାନେ ଯଦି ନୂଆ ଠିକା ସଂସ୍ଥା ଜରିଆରେ ନିଜର ଦକ୍ଷତା ବଳରେ ଆସିପାରିବେ ସେମାନଙ୍କୁ ପୁଣି ଥରେ ନିଯୁକ୍ତି ମିଳିପାରିବ ଏଥିରେ ସନ୍ଦେହ ନାହିଁ।