‘ଯାତ୍ରୀ ନିବାସ’ ଉଦ୍ଦେଶ୍ୟ ଭୁଲିଗଲା ବିଏମ୍‌ସି

ଭୁବନେଶ୍ବର: କଟକ ରୋଡ୍‌ ଲକ୍ଷ୍ମୀସାଗରରେ ୩୬ ବର୍ଷ ତଳେ ନିର୍ମାଣ ହୋଇଥିଲା ‘ଯାତ୍ରୀନିବାସ’। ଉଦ୍ଦେଶ୍ୟ ଥିଲା କମ୍ ଟଙ୍କାରେ ଲୋକଙ୍କୁ ରାଜଧାନୀରେ ରହିବାର ସୁ‌ବିଧା ଯୋଗାଇଦେବା। ଲାଭ ଉଦ୍ଦେଶ୍ୟରେ ନୁହେଁ, ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହାର ନିର୍ମାଣ ହୋଇଥିଲା। ଏହି ମୂଳ ଉଦ୍ଦେଶ୍ୟକୁ ବିଏମ୍‌ସି ବର୍ତ୍ତମାନର କର୍ତ୍ତୃପକ୍ଷ ବୁଝିବାକୁ ଅକ୍ଷମ। ସହରର ଗୁରୁତ୍ବପୂର୍ଣ୍ଣ ଜାଗାରେ ଥିବା ଏହି ଯାତ୍ରୀନିବାସକୁ ଭାଙ୍ଗି ସେଠାରେ ମହଙ୍ଗା ହୋଟେଲ୍‌ ନିର୍ମାଣ ପାଇଁ ଯୋଜନା ଚାଲିଛି। ଘରୋଇ ସଂସ୍ଥା ହାତକୁ ଏହାକୁ ଟେକି ଦେଇ ବେପାର କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ଏଥିପାଇଁ ବିଧିବଦ୍ଧ ଭାବେ ଜାଗାର ମୂଳ ମାଲିକ ସାଧାରଣ ପ୍ରଶାସନ ବିଭାଗ(ଜିଏ)ର ଅନୁମତି ଲୋଡ଼ାଯାଇଛି। ଏହି ଯୋଜନା ପୂର୍ଣ୍ଣରୂପ ନେଲେ ଦୂରଦୂରାନ୍ତରୁ ବିଭିନ୍ନ କାମରେ ଆସି କମ୍‌ ଖର୍ଚ୍ଚରେ ରହିବାକୁ ଚାହୁଥିବା ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି।

ଘରୋଇ ସଂସ୍ଥା ସହ ମିଶି ମହଙ୍ଗା ହୋଟେଲ୍‌ ନିର୍ମାଣ ହେବ
ସାଧାରଣ ପ୍ରଶାସନ ବିଭାଗର ସ୍ବୀକୃତି ଲୋଡ଼ାଗଲା
 ବିଏମ୍‌ସିର ବେପାରୀ ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ

କମ୍‌ ଖର୍ଚ୍ଚରେ ଭୁବନେଶ୍ବରରେ ରହିବା ପାଇଁ ସରକାରୀସ୍ତରରେ କୌଣସି ପ୍ରକାରର ବ୍ୟବସ୍ଥା ନଥିଲା‌। ଏହାକୁ ନଜରରେ ରଖି ୧୯୮୫ ମସିହାରେ ତତ୍‌କାଳୀନ ଭୁବନେଶ୍ବର ପୌରାଧ୍ୟକ୍ଷ ଜିଏ ବିଭାଗକୁ ଜମି ମାଗିଥିଲେ। ଭୁବନେଶ୍ବର ପୌରପାଳିକାର ଅନୁରୋଧକ୍ରମେ ଜିଏ ବିଭାଗ ୧୯୮୬ ମସିହା ଫେବ୍ରୁଆରି ୧୧ ତାରିଖ ଦିନ କଟକ ରୋଡ୍‌ରେ ଥିବା ପ୍ଲଟ୍‌ ନମ୍ବର ଏ-୧୮ର ୭୫ ଡିସିମିଲି ଜମିକୁ ବିଏମ୍‌ସି ନାମରେ ଆଲଟ୍‌ କରିଥିଲା। ସର୍ତ୍ତ ଥିଲା, ଏଠାରେ ଧର୍ମଶାଳା ନିର୍ମାଣ ହେବ। ଏଥିପାଇଁ ମ୍ୟୁନିସିପାଲିଟିକୁ ଏକର ପିଛା ୭୫ହଜାର ହିସାବରେ ୧୦ବର୍ଷ ପାଇଁ ୫୬ହଜାର ୨୫୦ଟଙ୍କା ଜମା କରିବାକୁ ପଡ଼ିବ। ଗୋଟିଏ କିସ୍ତିରେ ବର୍ଷକୁ ୫ ହଜାର ୬୨୫ ଟଙ୍କା ଲେଖାଏଁ ୧୦ ବର୍ଷରେ ୧୦ଟି କିସ୍ତିରେ ଭୁବନେଶ୍ବର ମ୍ୟୁନିସିପାଲିଟି ଏହି ଅର୍ଥ ଜମା କରିଥିଲା। ମାସକୁ ଏକର ପିଛା ୨୫୦ ହିସାବରେ ଏହି ପ୍ଲଟ୍‌ର ଭଡ଼ା ବାର୍ଷିକ ୧୮୭ଟଙ୍କା ୫୦ ପଇସା ଧାର୍ଯ୍ୟ ହୋଇଥିଲା।
ଏଠାରେ ଯାତ୍ରୀ ନିବାସ ନିର୍ମାଣ କରିବାକୁ ଦୁଇବର୍ଷ ଲାଗିଥିଲା। ୧୯୮୮ ମସିହାରେ ଏହି ଯାତ୍ରୀ ନିବାସ ଉଦ୍‌ଘାଟିତ ହୋଇଥିଲା।

ଏଥିରେ ୩ଟି ଡର୍ମିଟୋରି ରହିଥିଲା। ଏକ ସମୟରେ ୧୮ ଜଣ ଲେଖାଏଁ ୫୪ ଲୋକ ରହିବାର କ୍ଷମତା ଥିଲା। ସେହିଭଳି ୪୨ଟି ତିନି ବେଡ୍‌ ବିଶିଷ୍ଟ ରୁମ୍‌, ଦୁଇଟି ୫ ବେଡ୍‌ ବିଶିଷ୍ଟ ରୁମ୍‌, ୪ଟି ଦୁଇ ବେଡ୍‌ ବିଶିଷ୍ଟ ରୁମ୍‌ରେ ଏକ ସମୟରେ ୧୪୪ ଜଣ ରହିବା ବ୍ୟବସ୍ଥା ରହିଥିଲା। ଡର୍ମିଟୋରି ୯ଶହ ଲେଖାଏଁ ଭଡ଼ା ଲାଗୁଥିବା ବେଳେ ରୁମ୍‌ଗୁଡ଼ିକରେ ଖଟ ପିଛା ‌୧୫୦ରୁ ୩୦୦ ଟଙ୍କା ଭଡ଼ା ରହିଥିଲା। ଏହାର ଗୋଟିଏ ଭାଗ ବିଭିନ୍ନ ଉତ୍ସବ ପାଇଁ ଭଡ଼ା ଦିଆଯାଉଥିଲା। ଗୋଟିଏ ଉତ୍ସବ ପାଇଁ ୧୦ ହଜାର ଟଙ୍କା ଭଡ଼ା ନିଆଯାଉଥିଲା। ଏଭଳି ହିସାବ କଲେ ବର୍ଷକୁ ପାଖାପାଖି ୨୫ଲକ୍ଷ ଟଙ୍କା ଆୟ ହେଉଥିଲା। ୧୯୮୮ ମସିହାରୁ ଏ ପର୍ଯ୍ୟନ୍ତ ଅର୍ଥାତ୍‌ ଏଭଳି ବ୍ୟବସ୍ଥାରେ ଚାଲିଥିଲା। କିନ୍ତୁ ଏବେ ବିଏମ୍‌ସି ଏହାକୁ ହୋଟେଲ କରିବାକୁ ବସିଛି। ୬୦/୪୦ ହିସାବରେ ଏକ ଘରୋଇ ସଂସ୍ଥା ଏହାକୁ ନିର୍ମାଣ କରିବା ସହ ପରିଚାଳନା କରିବ। ଅର୍ଥାତ୍‌ ହୋଟେଲ ତିଆରି କରିବା ପରେ ସଂସ୍ଥା ୬୦ ପ୍ରତିଶତ ନେଇଯିବ। ବାକି ୪୦ ପ୍ରତିଶତ ଘରୁ ଆଦାୟ ହେବାକୁ ଥିବା ରାଜସ୍ବ ବିଏମ୍‌ସି ଭାଗରେ ପଡ଼ିବ। ଏହି ୪୦ ପ୍ରତିଶତରେ ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ମଧ୍ୟ ବିଏମ୍‌ସି ବହନ କରିବ। ୬୦ପ୍ରତିଶତ ମାଲିକାନା ଘରୋଇ ସଂସ୍ଥା ହାତରେ ରହୁଥିବାରୁ ବିଏମ୍‌ସିର କୌଣସି କର୍ତ୍ତୃତ୍ବ ରହିବ ନାହିଁ। ଆସନ୍ତା ୨୩ ତାରିଖରେ କର୍ପୋରେସନ୍‌ ବୈଠକ ରହିଛି। ଏହା ଉପରେ ପ୍ରଶ୍ନ ନ ଉଠାଇବା ପାଇଁ କେତେକଙ୍କ ଉପରେ ଚାପ ପଡ଼ିଥିବା କୁହାଯାଉଛି।

ସଚେତନ ନାଗରିକମାନଙ୍କ କହିବା କଥା ହେଲା, ଯଦି ହୋଟେଲ୍‌ ନିର୍ମାଣ କରି ବିଏମ୍‌ସିର ଆ‌ୟ ବଢ଼ାଇବାକୁ କର୍ତ୍ତୃପକ୍ଷ ଚାହୁଛନ୍ତି, ତେବେ ଅସୁବିଧା ନାହିଁ। କିନ୍ତୁ ସାଧାରଣ ଲୋକଙ୍କୁ ସ୍ବଳ୍ପ ମୂଲ୍ୟରେ ରହିବା ପାଇଁ ବିକଳ୍ପ ବ୍ୟବସ୍ଥା ବି ଗ୍ରହଣ କରାଯିବା କଥା। କିନ୍ତୁ ସେହି ଦିଗକୁ ବିଏମ୍‌ସି ଆଖି ବୁଜି ଦେଇ କେବଳ ବେପାର ମୁଡ୍‌ରେ ରହିବା ଆଦୌ ଗ୍ରହଣୀୟ ନୁହେଁ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହୋଟେଲ ପ୍ରସଙ୍ଗ କେବଳ ପ୍ରସ୍ତାବରେ ଅଟକିଛି। ନିଷ୍ପତ୍ତି ହୋଇ ନାହିଁ।

ସମ୍ବନ୍ଧିତ ଖବର