ଭୁବନେଶ୍ବର: ରାଜଧାନୀର ସ୍ବଚ୍ଛତା ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ୬୦୦ରୁ ଅଧିକ ଗାଡ଼ି କ୍ରୟ କରାଯାଇଥିଲା। କାହାକୁ ଘରକୁ ଘର ଅଳିଆ ସଂଗ୍ରହରେ ତ କାହାକୁ ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନରୁ ଅଳିଆ ସଂଗ୍ରହ ପାଇଁ ନିୟୋଜିତ କରାଯାଇଥିଲା। ଆଉ କେଉଁ ଗାଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ସବୁଜ ଅଳିଆ(ଗଛପତ୍ର ଆଦି) ଓ କୋଠାର ଭଗ୍ନାଂଶ ଉଠାରେ ନିୟୋଜିତ କରାଯାଇଥିଲା। ଏବେ ଏହି ସଂଖ୍ୟା ଅଧାକୁ ଖସି ଆସିଛି। ରକ୍ଷଣାବେକ୍ଷଣ ଓ ଦୂରଦୃଷ୍ଟି ଅଭାବରୁ ମାତ୍ର ୪/୫ ବର୍ଷ ଭିତରେ ନୂଆ ଗାଡ଼ି ସବୁ ଅଚଳ ହୋଇଗଲାଣି। ଯେଉଁ ଗାଡ଼ି ଭଲ ଅଛି, ତାକୁ ସଜାଡ଼ିବାରେ ବିଏମ୍ସିକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସ୍ଥିତି ଏପରି ଯେ ଶେଷକୁ ବିଏମ୍ସି ଏଜେନ୍ସି ଉପରେ ନିର୍ଭରଶୀଳ ହେବାକୁ ଯାଉଛି। ସେପଟେ ଗାଡ଼ି ଅଚଳ କାରଣରୁ ଯେଉଁ ଠିକାସଂସ୍ଥାମାନେ ରାସ୍ତାଘାଟ ସଫେଇ ଓ ଘରକୁ ଘର ଅଳିଆ ସଂଗ୍ରହରେ ନିୟୋଜିତ ଅଛନ୍ତି, ସେମାନେ ଠକିବା ଆରମ୍ଭ କରି ଦେଇଛନ୍ତି। ଅଳିଆ ଠିକ୍ରେ ଉଠାଉନାହାନ୍ତି। ଗାଡ଼ି ଅଭାବ ଦର୍ଶାଇ ଯେତିକି ଗାଡ଼ି ୱାର୍ଡୱାରି ନିୟୋଜିତ ହେବା କଥା, ହେଉନି।
୨୦୧୫ ମସିହାରେ କଠିନ ବର୍ଜ୍ୟ ପରିଚାଳନା ନେଇ ସଂଶୋଧିତ ଆସିବା ପରେ ବିଏମ୍ସି ପକ୍ଷରୁ ରାଜଧାନୀରେ ଘରକୁ ଘର ଆବର୍ଜନା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରଲିରେ ଘରକୁ ଘର ଆବର୍ଜନା ସଂଗ୍ରହ ହେଲା। ଟ୍ରଲି ପିଛା ପ୍ରାୟ ୧୫୦ ଘରୁ ଆବର୍ଜନା ସଂଗ୍ରହ ହେଉଥିଲା। ପରେ ୨୦୧୯ରେ ଡଷ୍ଟବିନ୍ମୁକ୍ତ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ୍ଜନିତ କଟକଣା କାରଣରୁ ୨୦୨୧ ମସିହାରୁ ଏହାକୁ ବିଏମ୍ସି କଡ଼ାକଡ଼ି ଅନୁପାଳନ କଲା। ପ୍ରତି ଘରେ ଓଦା ଓ ଶୁଖିଲା ଆବର୍ଜନା ଅଲଗା ରଖିବା ପାଇଁ ଡଷ୍ଟବିନ୍ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଘରର ଅଳିଆ ସଂଗ୍ରହ ପାଇଁ ୫୦୦ରୁ ଅଧିକ ନୂଆ ଗାଡ଼ି କିଣାଯାଇଥିଲା। ସେ ସମୟରେ ପ୍ରେମଚାନ୍ଦ ଚୌଧୁରୀ ବିଏମ୍ସି କମିସନର୍ ଥିଲେ। ପରେ ସଂଜୟ ସିଂହ ଓ ବିଜୟ ଅମୃତ କୁଲାଙ୍ଗେ କମିସନର୍ ଥିବା ସମୟରେ ଆଉ କିଛି ନୂଆ ଗାଡ଼ି କିଣାଯାଇଥିଲା।
ମିଳିଥିବା ତଥ୍ୟ ମୁତାବକ, ୨୦୨୨ ମସିହାରେ ମାର୍କେଟ୍ ଓ ବାଣିଜ୍ୟିକ ପ୍ରତିଷ୍ଠାନରୁ ଅଳିଆ ସଂଗ୍ରହ ପାଇଁ ୬୦ଟି ଓ ଘରକୁ ଘର ଅଳିଆ ସଂଗ୍ରହ ପାଇଁ ୭୫ଟି ହାଲୁକା ଯାନ କ୍ରୟ କରାଯାଇଥିଲା। ପରେ ୨୦୨୩ ମସିହାରେ ଘରକୁ ଘର ଆବର୍ଜନା ସଂଗ୍ରହ ପାଇଁ ଆଉ ୪୦ଟି ହାଲୁକା ଯାନ କ୍ରୟ କରାଯାଇଥିଲା। ୨୦୨୪ ମସିହାରେ ସବୁଜ ଆବର୍ଜନା ଓ କୋଠା ଭଗ୍ନାଂଶ ଉଠାଇବା ପାଇଁ ଟ୍ରକ୍ ସହ ୧୨ଟି ବଡ଼ ଗାଡ଼ି କ୍ରୟ କରାଯାଇଥିଲା। ଘରକୁ ଘର ଅଳିଆ ସଂଗ୍ରହ କଥା ଦେଖିଲେ, ବର୍ତ୍ତମାନ ୩ଟି ଠିକାସଂସ୍ଥାକୁ ୬୭ଟି ୱାର୍ଡ ଦାୟିତ୍ବ ଦିଆଯାଇଥିବାବେଳେ ଏମାନଙ୍କ ପାଇଁ ବିଏମ୍ସି ୪୩୫ଟି ଅଳିଆ ଉଠା ଗାଡ଼ି ନିୟୋଜିତ କରିଥିଲା। ସେହି ଅନୁସାରେ ୪୩୫ଜଣ ଚାଳକ ଓ ହେଲ୍ପର୍ ପିଛା ବି ଠିକାସଂସ୍ଥାକୁ ଟଙ୍କା ଗଣୁଛି ବିଏମ୍ସି। କିନ୍ତୁ ଏଥିରୁ ୭୦ଟି ଗାଡ଼ି ଅଚଳ ଅବସ୍ଥାରେ ଥିବା ବିଏମ୍ସି କହିଛି।
ଏହା ଖରାପ ହୋଇଯାଇଥିବାରୁ ଏହାକୁ କବାଡ଼ି ଦରରେ ବି ବିକ୍ରି କରିବାକୁ ଯୋଜନା କରୁଛି। ପ୍ରଥମ ପର୍ଯ୍ୟାୟରେ ୨୮ଟି ଗାଡ଼ିକୁ କବାଡ଼ିଆ ଦରରେ ବିକ୍ରି ପାଇଁ ନିଷ୍ପତ୍ତି ନେଇଛି। ହିସାବ କଲେ, ମାତ୍ର ୩୬୫ଟି ଗାଡ଼ିରେ ଘରକୁ ଘର ଅଳିଆ ସଂଗ୍ରହ କରାଯାଉଛି। ୪୪ ନମ୍ବର କର୍ପୋରେଟର୍ ଅଜିତ ବେହେରା କହିଛନ୍ତି, ଘରକୁ ଘର ଅଳିଆ ସଂଗ୍ରହରେ ବ୍ୟାପକ ଦୁର୍ନୀତି କରାଯାଉଛି। ଅଳିଆ ଠିକ୍ରେ ୱାର୍ଡରୁ ଉଠୁନି। ଯେଉଁ ୬ଶହରୁ ଅଧିକ ଗାଡ଼ି କ୍ରୟ କରାଯାଇଥିଲା, ତାର ହିସାବ କାହାରି ପାଖରେ ନାହିଁ। ସେପଟେ ଗାଡ଼ି ମରାମତିରେ ବ୍ୟାପକ ଦୁର୍ନୀତି କରାଯାଉଛି। ଅଡିଟ୍ ହେଲେ, ଏହା ନିଶ୍ଚିତ ଧରାପଡ଼ିବ। କର୍ପୋରେସନ୍ ବୈଠକରେ ବି ଏ ସଂପର୍କରେ ବହୁବାର ତଥ୍ୟ ମାଗିଛି। କେତେ ଗାଡ଼ି ଅଛି, ଗାଡ଼ି ମରାମତି ବାବଦରେ କେତେ ଖର୍ଚ୍ଚ କରାଯାଇଛି, ସବୁର ବିବରଣୀ ମଗାଯାଉଛି। କିନ୍ତୁ ବିଏମ୍ସି ଏହି ତଥ୍ୟ ଦେଉନି। ନୂଆ ଗାଡ଼ିଗୁଡ଼ିକ ଏତେ ଶୀଘ୍ର ଖରାପ ହେବା ପଛର କାରଣ କ’ଣ? ନୂଆ ବେଳେ ଏହାର ମାନ ଖରାପ ନା ରକ୍ଷଣାବେକ୍ଷଣର ଅଭାବ? ଯଦି ମାନ ଖରାପ, ଏହାକୁ କ୍ରୟ କରାଯାଉଛି କାହିଁକି? ମରାମତି ଆଳରେ ଦୁର୍ନୀତିର ବାଟ ଖୋଲି ଦିଆଯାଇନି ତ? ଏଭଳି ପ୍ରଶ୍ନ ଏବେ ମନରେ ଉଠିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/25/fshfhfhfhfs-2025-10-25-04-06-15.jpg)