ଭୁବନେଶ୍ୱର: ବଦଳିବ ଭୁବନେଶ୍ବରର ପରିମଳ ମାର୍ଗଦର୍ଶିକା ବା ଏସ୍ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟୋର)। ପୁଣିଥରେ ଟେଣ୍ଡର ଡାକିବ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ୬ଟି ପ୍ୟାକେଜ୍‌ରେ ୬୭ ୱାର୍ଡ ସଫେଇ ପାଇଁ ଟେଣ୍ଡର ଡକାଯିବ। ଯେଉଁ ଏଜେନ୍ସି ରାସ୍ତାଘାଟ ସଫେଇ ଦାୟିତ୍ବ ନେବ, ସେହି ଏଜେନ୍ସିକୁ ଘରକୁ ଘର ଅଳିଆ ସଂଗ୍ରହ ଦାୟିତ୍ବ ଦିଆଯିବ। ରାସ୍ତାଘାଟଠାରୁ ଆରମ୍ଭ କରି ଘରକୁ ଘର ଅଳିଆ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ପରେ ବିଏମ୍‌ସି ଏଭଳି ନିଷ୍ପତ୍ତି ନେଇଛି। ଆଜିର କର୍ପୋରେସନ୍ ବୈଠକରେ ଏହି ନୂଆ ଏସ୍ଓପି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। କର୍ପୋରେଟର୍‌ଙ୍କ ମତ ଗ୍ରହଣ କରାଯାଇଛି। କର୍ପୋରେଟର୍‌ମାନେ ପୂର୍ବର କମ୍ପୋଜିଟ୍ ଟେଣ୍ଡର ଜିଦ୍‌ରେ ଅଟଳ ଅଛନ୍ତି। ଯଦ୍ବାରା ବିଏମ୍‌ସିର ଖର୍ଚ୍ଚ ଭାର କମିବ ବୋଲି କହିଛନ୍ତି। ବିଏମ୍‌ସିର ୩୫ତମ ସାଧାରଣ ପରିଷଦ ବୈଠକ ଆଜି ବିଏମ୍‌ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର୍ ଚଞ୍ଚଳ ରାଣାଙ୍କ ସମେତ କର୍ପୋରେଟର୍‌, ବରି‌ଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରୁ ସହରର ପରିମଳ ବ୍ୟବସ୍ଥାକୁ ନେଇ କର୍ପୋରେଟର୍‌ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସହରର ପ୍ରମୁଖ ରାସ୍ତାଘାଟ, ଗଳିକନ୍ଦି ସଫା ହେଉ ନଥିବା ଓ ଠିକାସଂସ୍ଥାମାନେ କାମରେ ଠକୁଥିବା ଅଭିଯୋଗ କରିଥିଲେ। ଘରକୁ ଘର ଅଳିଆ ସଂଗ୍ରହ ବି ଠିକ୍‌ ଭାବେ ହେଉନଥିବା ଅଭିଯୋଗ କରିଥିଲେ।

Advertisment

୬ଟି ପ୍ୟାକେଜ୍ ହେବ ଟେଣ୍ଡର
ବିଏମ୍‌ସି ଅଧୀନକୁ ଆସିବ ପୂର୍ତ୍ତ ବିଭାଗର ୩୧୬ କିମି ଡ୍ରେନ୍
କୁବେରପୁରୀରେ ଟ୍ରକ ପାଇଁ ହେବ ପାର୍କିଂ ବ୍ୟବସ୍ଥା
ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ ୩ ଜୋନ୍‌ରେ ରହିବେ ୩ ଏଜେନ୍ସି

ପୂର୍ବରୁ ଯେବେ ବିଏମ୍‌ସି ବର୍ଜ୍ୟ ପରିଚାଳନା କଥା ବୁଝୁଥିଲା, କମ୍ପୋଜିଟ୍ ଟେଣ୍ଡର ହେଉଥିଲା। ସେତେବେଳେ ପରିମଳ ପାଇଁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା।  କିନ୍ତୁ ଏବେ ଏଜେନ୍ସିକୁ ୧୫୦ରୁ ୧୬୦ କୋଟି ଟଙ୍କା ଗଣିବାକୁ ପଡ଼ୁଛି। ଏଣୁ ବିଏମ୍‌ସି ନିଜେ ଏକଥା ବୁଝୁ ବୋଲି କର୍ପୋରେଟର୍‌ମାନେ ମତ ଦେଇଛନ୍ତି। ମେୟର ଶ୍ରୀମତୀ ଦାସ କହିଛନ୍ତି, ପରିମଳରେ ଯେଉଁ ସମସ୍ୟା ରହିଥିଲା, ତାର ସମାଧାନ କରିବାକୁ ନୂ୍ଆ ଏସ୍ଓପି ଅଣାଯାଉଛି। ନୂଆ ଟେଣ୍ଡର ଡାକିବୁ ଓ ନୂଆ ଏଜେନ୍ସି ଜରିଆରେ କାମ କରିବୁ। ଶେଷଥର ଯେବେ ଏଜେନ୍ସିମାନେ ସଫେଇ କାମ ନେଇଥିଲେ, ସେତେବେଳେ କର୍ପୋରେସନ୍ ନ ଥିଲା। ପରିମଳ କ୍ଷେତ୍ରରେ ଅସୁବିଧା ହେଉଥିଲା। ଟେଣ୍ଡର ପୂର୍ବରୁ କର୍ପୋରେସନ୍‌ରେ ଏସ୍ଓପିର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ୱାର୍ଡଗୁଡ଼ିକ ସଫା ହେବା ଉପରେ କର୍ପୋରେଟରମାନଙ୍କର ଯାହା ବି ପ୍ରସ୍ତାବ ରହିଥିଲା, ସେ ନେଇ ଆଲୋଚନା କରାଯାଇ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି ଓ ଏହାକୁ ଆମେ ସରକାରଙ୍କ ପାଖକୁ ପଠାଇବୁ ବୋଲି ମେୟର କହିଛନ୍ତି। ଜଳବନ୍ଦି ସମସ୍ୟାକୁ ନେଇ ଧନ୍ଦି ହେବା ପରେ ବିଏମ୍‌ସି ନିଜ ଅଞ୍ଚଳରେ ଥିବା ସମସ୍ତ ଡ୍ରେନ୍‌କୁ ନିଜ ଅଧୀନକୁ ଆଣିବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ପୂର୍ତ୍ତ ବିଭାଗର ୩୧୬ କିମି ଡ୍ରେନ୍ ନିଜ ଅଧୀନକୁ ଆଣିବ। ମେୟର କହିଛନ୍ତି, ପୂର୍ତ୍ତ ବିଭାଗର ଡ୍ରେନ୍ ବିଏମ୍‌ସି ଅଧୀନକୁ ଆସିବା ପରେ ବିଏମ୍‌ସି ଏହି କାମ କରିବ ଓ ରକ୍ଷଣାବେକ୍ଷଣରେ ସୁବିଧା ହେବ। ଆଉ ନାଳ ସମସ୍ୟା ରହିବନି। ପରବର୍ତ୍ତୀ ସମୟରେ ଇଡ୍‌କୋ ଓ ଏନ୍ଏଚ୍ଏଆଇ ଡ୍ରେନ୍ ଆଣିବା ପାଇଁ ପଦକ୍ଷେପ ନେବୁ। ବିଡିଏ ଅଧୀନ ପଞ୍ଚାୟତ ରାସ୍ତା ଓ ଡ୍ରେନ୍ ବି ବିଏମ୍‌ସି ଅଧୀନକୁ ଆଣିବାକୁ ଯୋଜନା କରୁଛୁ।

ଅପରପକ୍ଷେ ଆଇଗିଣିଆ ଆଳୁଗଦି ବା କୁବେରପୁରୀଠାରେ ଟ୍ରକ ରହିବା ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମ୍‌ସିର ତିନି ଜୋନ୍‌ରେ ତିନି ଭିନ୍ନ ଏଜେନ୍ସିଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ। ମେୟର କହିଛନ୍ତି, ବିଦ୍ୟୁତ୍‌କୁ ନେଇ କିଛିଦିନ ହେଲା ଅସୁବିଧା ଲାଗି ରହିଛି। ଯେହେତୁ ୨ଟି ଠିକାସଂସ୍ଥା ୬୭ ୱାର୍ଡର ଦାୟିତ୍ବ ନେଇଛନ୍ତି, ସବୁ ସମସ୍ୟାର ସମାଧାନ ହୋଇପାରୁନି। ଏଣୁ ଏଥର ଟେଣ୍ଡରକୁ ଆମେ ଜୋନ୍‌ୱାରି କରିବାକୁ ନିଷ୍ପତ୍ତି ନେଇଛୁ। ଆଉ ଠିକାସଂସ୍ଥାମାନେ କେଉଁ ୱାର୍ଡର କେଉଁ ଅଞ୍ଚଳର ଟେଣ୍ଡର ନେଇଛନ୍ତି, ଦ୍ବନ୍ଦ୍ବ ରହିବନି। ତତ୍କାଳ ବିଦ୍ୟୁତ୍ ସମସ୍ୟା ସମାଧାନ ହୋଇପାରିବ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି।

ବିଏମ୍‌ସି ଆପଣାଇବ ବାରଣାସୀ ଶୈଳୀ
ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ସଂଗୃହୀତ ଆବର୍ଜନାକୁ ଏସି ଓ ଏମ୍ଆରଏଫ୍କୁ ନେଇ ଅଲଗା ଅଲଗା ପ୍ରକ୍ରିୟାକୁ ବନ୍ଦ କରିବାକୁ ଯୋଜନା କରିଛି। ପ୍ରତି ବଦଳରେ ସଂଗୃହୀତ ଆବର୍ଜନାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଡ଼ିବାକୁ ଯୋଜନା କରୁଛି। ବାରଣାସୀର ଏଭଳି ଆବର୍ଜନା ପ୍ରକ୍ରିୟାକରଣକୁ ବିଏମ୍‌ସି ଆପଣାଇବାକୁ ଯାଉଛି। ଏଥିରୁ ନିର୍ଗତ କୋଲ୍‌ରୁ ପେଭର୍ ବ୍ଲକ୍ ତିଆରି କରି ରାସ୍ତା ନିର୍ମାଣରେ ବିନିଯୋଗ କରିବାକୁ ଯୋଜନା କରୁଛି। ବିଏମ୍‌ସି ପ୍ରାୟ ୩ ଏକର ଜାଗାରେ ଏହି ପ୍ରକଳ୍ପ କରିବାକୁ ଯୋଜନା କରୁଛି। ବାରଣାସୀରେ ସଂଗୃହୀତ ଆବର୍ଜନାକୁ ଅଲଗା କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇ ପୋଡ଼ାଯାଉଛି। ପୋଡ଼ିବା ପରେ ଏହାକୁ ରାସ୍ତା କାମରେ ବିନିଯୋଗ କରାଯାଉଛି। ନିକଟରେ ବିଏମ୍‌ସିର କିଛି ଅଧିକାରୀ ବାରଣାସୀ ଯାଇ ଏହି ପ୍ରକଳ୍ପ ଦେଖିଥିଲେ। ଯାହାକୁ ଏଠାରେ ଆପଣାଇବାକୁ ଯୋଜନା କରାଯାଉଛି।