ବିଏମ୍‌ସିକୁ ‘ସ୍କଚ୍‌’ ସମ୍ମାନ

ଭୁ‌ବନେଶ୍ବର : ପରିଚ୍ଛନ୍ନତା ଓ ପରିବେଶ ବନ୍ଧୁ ସହର ଭାବେ ଭୁବନେଶ୍ୱର ପୁଣିଥରେ ଜାତୀୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ଆଜି ନୂଆଦିଲ୍ଲୀ‌ରେ ସମ୍ମାନଜନକ ‘ସ୍କଚ୍‌’ର ରୌପ୍ୟ ଓ କାଂସ୍ୟ ସମ୍ମାନ ମିଳିଛି। ରାଜ୍ୟର ଅଗ୍ରଣୀ ତଥା ସର୍ବବୃହତ୍‌ ସ୍ବାୟତ୍ତ ସଂସ୍ଥା ଭାବେ ଉନ୍ନତ କଠିନ ବର୍ଜ୍ୟ ସଂଗ୍ରହ, ପରିବହନ ପାଇଁ ରୌପ୍ୟ ସମ୍ମାନ ମିଳିଥିବା ବେଳେ ସହରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଓ ପରିଚାଳନା ନିମନ୍ତେ ସ୍ବଚ୍ଛ ଭାରତ ପ୍ରକଳ୍ପର ଉଚ୍ଚସ୍ତରରେ ଥିବା ସହରଗୁଡ଼ିକ ମଧ୍ୟରେ ବିଏମ୍‌ସିକୁ କାଂସ୍ୟ ସମ୍ମାନ ମିଳିଛି।

ସହରରୁ ଦୈନିକ ହାରାହାରି ୫୫୦ ମେଟ୍ରିକ୍ ଟନ୍ କଠିନ ବର୍ଜ୍ୟବସ୍ତୁ ବାହାରୁଛି। ସ୍ବାୟତ୍ତ ସଂସ୍ଥାରେ ଏହି ବିରାଟ ଚାପକୁ ସମ୍ଭାଳିବା କଷ୍ଟକର ହୋଇଥାଏ। ତେବେ ଦକ୍ଷ ପରିଚାଳନା କୌଶଳ, ଦ୍ୱାରରୁ ଦ୍ୱାର ବର୍ଜ୍ୟ ସଂଗ୍ରହ, ଏହାର ପରିଚାଳନା, ଭୁବନେଶ୍ୱର ଅପରେସନ ସେଣ୍ଟର୍‌ ମାଧ୍ୟମରେ ବର୍ଜ୍ୟ ପରିବହନ ଯାନଗୁଡ଼ିକର ନିୟମିତ ଟ୍ରାକିଂ, ଆସୁଥିବା ଅଭିଯୋଗଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ସମାଧାନ, ହକି ବିଶ୍ୱକପ ସମୟରେ ଜିରୋ ୱେଷ୍ଟ ପଦକ୍ଷେପ, ଯାନ୍ତ୍ରିକ ସଫେଇର ପ୍ରବର୍ତନ, ମଳ ଉପଚାର ଓ ପରିଚାଳନାକୁ ବିଜ୍ଞାନ ସମ୍ମତ କରିବା, ସହରର ସବୁଜିମାକୁ ବଢ଼ାଇବା ପାଇଁ ବୃକ୍ଷ ରୋପଣ ଓ ପରିଷ୍କାର ପରିଚ୍ଛନ୍ନତାକୁ ନିୟମିତ ଦୃଷ୍ଟି ଦେବାରେ ବିଏମ୍‌ସି ଆଗରେ ରହିଛି।

ସେହିପରି ୧୬୪ଟି ଗୋଷ୍ଠୀ ଶୌଚାଳୟର ପ୍ରବର୍ତନ କରାଇ ପରିମଳ ବ୍ୟବସ୍ଥାରେ ଗୋଷ୍ଠୀର ଦକ୍ଷତା ବୃଦ୍ଧି କରିବା, ପୂର୍ବରୁ ଥିବା ପୁରୁଣା ଶୌଚାଳୟଗୁଡ଼ିକର ନବୀକରଣ, ଏହାକୁ ସମୟ ଉପଯୋଗୀ କରିବା କ୍ଷେତ୍ରରେ ବିଏମ୍‌ସିର ଭୂମିକା ପ୍ରଶଂସନୀୟ। ସମୁଦାୟ ୬୬୭ଟି ସିଟ୍‌ର ମରାମତି, ନବୀକରଣ ଓ ଉପଭୋକ୍ତା ଉପଯୋଗୀ କରାଯାଇଛି। ସମସ୍ତ ଶୌଚାଳୟକୁ ଗୁଗଲ୍ ଅନ୍ତର୍ଭୁକ୍ତ କରାଯାଇଛି। ପରିମଳ କମିଟି ସହିତ ସମନ୍ବୟ ରକ୍ଷା କରାଯାଇ ଏହି ସବୁ ଶୌଚାଳୟଗୁଡ଼ିକର ପରିଚ୍ଛନ୍ନତା ବଜାୟ ରଖିବାର ପ୍ରୟାସ ହୋଇଛି। ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ୍‌ ୨୦୧୬ ଅନୁସାରେ ୟୁଜର୍ସ ଫି’ ଆଦାୟ କରିବାର ବ୍ୟବସ୍ଥା ବି ରହିଛି।

ସମ୍ବନ୍ଧିତ ଖବର