ଭୁବନେଶ୍ବର : ବିଏମ୍ସିକୁ ଦାନ ସୂତ୍ରରେ ମିଳିଛି ଏକ୍ମୋ ମେସିନ୍। ଏଆର୍ଏସ୍ଏସ୍ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟସ୍ ଲିମିଟେଡ୍ ପକ୍ଷରୁ ଆଜି ଏହି ମେସିନ୍ ଦାନ କରାଯାଇଛି। ବିଡିଏ କନ୍ଫରେନ୍ସ ହଲ୍ରେ ସଂସ୍ଥାର ନିର୍ଦ୍ଦେଶକ ଅଙ୍କୁଶ ଅଗ୍ରୱାଲ ବିଏମ୍ସି କମିସନର ସଞ୍ଜୟ ସିଂହଙ୍କୁ ଏହି ମେସିନ୍ ହସ୍ତାନ୍ତର କରିଛନ୍ତି। ପ୍ରାୟ ୬୫ ଲକ୍ଷ ଟଙ୍କା ମୂଲ୍ୟର ଏହି ମେସିନ୍କୁ ସଂସ୍ଥା ନିଜର ସିଏସ୍ଆର କାର୍ଯ୍ୟକ୍ରମ ଜରିଆରେ ପ୍ରଦାନ କରିଛି। ତେବେ ଏହି ମେସିନ୍ କଟକ ଏସ୍ସିବି ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ସଂସ୍ଥାର ସଭାପତି ତଥା ସିଇଓ ସୁନୀଲ କୁମାର ଅଗ୍ରୱାଲ ରାଜ୍ୟ ସରକାରଙ୍କୁ ଆଉ ଏକ ଏକ୍ମୋ ମେସିନ୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଶ୍ରୀ ସିଂହ ସେ କହିଛନ୍ତି, କୋଭିଡ ମହାମାରୀ ସମୟରେ ଏହି ଜୀବନ ରକ୍ଷାକାରୀ ମେସିନ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏକ ସ୍ୱତନ୍ତ୍ର ବାଇ-ପାସ୍ ପମ୍ପ-ସର୍କିଟ ଜରିଆରେ ଏହି ମେସିନ୍ ଏକ କୃତ୍ରିମ ଫୁସ୍ଫୁସ୍ ଭାବରେ କାମ କରେ। ଏହି ମେସିନ୍ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର କାର୍ଡିଓଥୋରାସିକ୍ ଭାସ୍କୁଲାର ସର୍ଜରି ବିଭାଗକୁ ଦିଆଯିବ। ସେଠାରେ ସାରା ରାଜ୍ୟର ଗୁରୁତର କୋଭିଡ୍ ଆକ୍ରାନ୍ତ ଚିକିତ୍ସା ପାଇପାରିବେ।