କାର୍ତ୍ତିକ ମାସରେ ମନ୍ଦିର ଭିତରେ ‘କାର୍ତ୍ତିକ ବ୍ରତ ହବିଷ୍ୟାଳି’ ମନା

ଭୁବନେଶ୍ୱର: ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ବ୍ରତ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ  ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗାଇଡ଼ଲାଇନ୍‌ ଜାରି କରିଛି। କୋଭିଡ -୧୯ କଟକଣା ମଧ୍ୟରେ ମଣ୍ଡପରେ ପୂଜାର୍ଚ୍ଚନା ହେବ ।  ବିଏମ୍‌ସି ଅଧିନରେ ପୂଜା ପାଇଁ କମିସନରେଟ ପୁଲିସର ଅନୁମତି ଜରୁରୀ। ପୂଜା ସମୟରେ ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ ଜଣଙ୍କୁ ଅନୁମତି ମିଳିବ। ପୁଣି ମଣ୍ଡପରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଓ ସାନିଟାଇଜ କରାଯିବା ବାଧ୍ୟତାମୂଳକ।

ଘରେ ଯେମିତି ପୂଜା କରାଯାଇଥାଏ, ସେହିପରି ଭାବରେ ମଣ୍ଡପରେ ମଧ୍ୟ ପୂଚାର୍ଚ୍ଚନା ହେବ। କେବଳ ରୀତିନୀତିକୁ ଗୁରୁତ୍ୱ ଦିଆଯିବ। ପୂଜାରେ ଜନସାଧାରଣଙ୍କୁ ସାମିଲ କରାଯାଇପାରିବ ନାହିଁ। ପୂଜା ମଣ୍ଡପକୁ ୩ ପାର୍ଶ୍ୱରୁ ବନ୍ଦ କରାଯିବ। ସମ୍ମୁଖ ପାର୍ଶ୍ୱରେ ଏକ ପରଦା ରହିବ। ପୂଜା ମଣ୍ଡପକୁ ଭକ୍ତମାନେ ଯାଇପାରିବେ ନାହିଁ।

ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ ରହିବ। ପୂଜା ସମୟରେ ସାଧାରଣ ସମାରୋହକୁ ଅନୁମତି ନାହିଁ। ମୂର୍ତ୍ତି ବିସର୍ଜନ ବେଳେ ସର୍ବାଧିକ ୧୦ ଜଣ ସାମିଲ ହୋଇପାରିବେ। ପୂଜା କମିଟି ସୁନିଶ୍ଚିତ କରିବେ ଯେ, ଯେଉଁମାନେ ମୂର୍ତ୍ତି ବସର୍ଜନ କାର୍ଯ୍ୟକ୍ରମରେ ଯୋଗଦେବେ ସମସ୍ତେ କୋଭିଡ-୧୯ର ଉଭୟ ଡୋଜ୍‌ ନେଇଛନ୍ତି। ପୂଜା ସମୟରେ କୌଣସି ପ୍ରକାରର ଧାର୍ମିକ ଶୋଭାଯାତ୍ରାର ଆୟୋଜନ ହୋଇପାରିବ ନାହିଁ। ସେହିପରି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅଥବା ମନୋରାଂଜନ କାର୍ଯ୍ୟକ୍ରମର ଆୟୋଜନକୁ ଅନୁମତି ମିଳିବ ନାହିଁ।

ସମ୍ବନ୍ଧିତ ଖବର