ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ନିର୍ଦେଶାବଳୀ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ପୂଜାକୁ ନିରାପଦ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ପୂଜାମଣ୍ଡପକୁ ପ୍ଲାଷ୍ଟିକ୍ମୁକ୍ତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମୂର୍ତ୍ତିଠାରୁ ଆରମ୍ଭ କରି ସାଜସଜ୍ଜା, ପ୍ରସାଦ ସେବନ ବେଳେ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କୁହାଯାଇଛି। ଭୁବନେଶ୍ୱର ମହନଗରରେ ଚଳିତ ବର୍ଷ ୧୭୨ ପୂଜା ମଣ୍ଡମରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛି। ଏଣୁ ସବୁ ପୂଜାମଣ୍ଡପକୁ ଜାରି ନିର୍ଦେଶନାମାରେ ବିଏମସି କହିଛି, ପ୍ରସାଦ ଆଦି ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର କରିବେ। କଦଳୀପତ୍ର, ଶାଳପତ୍ର, କାଗଜପ୍ଲେଟ୍, କପ୍, ମାଟି ପାତ୍ର ଇଦ୍ୟାଦି ବ୍ୟବହାର କରିବେ। ପରିବେଶ ପ୍ରଦୂଷିତ ହେଲାଭଳି କୌଣସି ପ୍ରକାରେ ଥର୍ମକୁଲ୍, ଏକକ ବ୍ୟବହାର ବା ନିଷିଦ୍ଧ ପ୍ଲାଷ୍ଟିକ ପାତ୍ର ପ୍ରସାଦ ଆଦି ପାଇଁ ବ୍ୟବହାର କରିବେ ନାହିଁ। ମୂର୍ତ୍ତିରେ କୌଣସି ପ୍ରକାର ପ୍ଲାଷ୍ଟିକ୍ ଆଭୂଷଣର ବ୍ୟବହାର କରିବେ ନାହିଁ।
ବିସର୍ଜନ ପୂର୍ବରୁ ମୂର୍ତ୍ତିରେ ବ୍ୟବହୃତ ଫୁଲକୁ ବିଏମସିର ସ୍ବତନ୍ତ୍ର ଗାଡ଼ିରେ ଦେବାକୁ କୁହାଯାଇଛି। ପତ୍ର, ବସ୍ତ୍ର, ଆଦି ଆଭୂଷଣକୁ ବାହାର କରି ଅସ୍ଥାୟୀ ପୁଷ୍କରିଣୀ ନିକଟରେ ଚିହ୍ନିତ ସ୍ଥାନ ବା ପାତ୍ରରେ ପକାଇବେ। ଯେଉଁମାନେ ସାମୂହିକ ପୂଜା କରୁଛନ୍ତି, ସେହି ସ୍ଥାନର ୫ ମିଟର ଚତୁଃପାର୍ଶ୍ୱକୁ ନିଜେ ସଫା ରଖିବେ। ଏଥିପାଇଁ ପୂଜା ମଣ୍ଡପ ପାଖରେ ବଡ଼ ବଡ଼ ଡଷ୍ଟବିନ୍ ରଖିବାକୁ କୁହାଯାଇଛି। ସବୁଦିନ ସଂଗୃହୀତ ଆଳିଆକୁ ସଫେଇ ଗାଡିରେ ଦେବାକୁ କୁହାଯାଇଛି। ପୂଜାମଣ୍ଡପ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନହେବା ପାଇଁ ଆଖପାଖରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବେ। ଅସ୍ଥାୟୀ ପୂଜାମଣ୍ଡପଗୁଡ଼ିକ ଯେପରି ଲୋକଙ୍କ ଭିଡ ଯୋଗୁ ଭାଙ୍ଗି ନଯାଏ ସେଥିପାଇଁ ମଜବୁତ୍ ଭାବେ ନିର୍ମାଣ କରିବେ। ସମସ୍ତ ପ୍ରକାର ବିଦ୍ୟୁତ୍ ସଂଯୋଗର ବୈଧତା ଓ ନିରାପତ୍ତା ରକ୍ଷା କରିବାକୁ କୁହାଯାଇଛି।
ପ୍ରସାଦ ସେବନ ସମୟରେ ଏବଂ ପରେ ପରିଚ୍ଛନ୍ନତା ରଖିବାକୁ କୁହାଯାଇଛି। ପ୍ରତ୍ୟେକ ମଣ୍ଡପର ନିରାପତ୍ତା ଓ ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ସୁରକ୍ଷା କର୍ମୀ ମୁତୟନ କରିବେ। ବିଏମ୍ସି ଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବାକୁ କୁହାଯାଇଛି। ଅଗ୍ନି ନିରାପତ୍ତା ନିୟମ ଅନୁପାଳନ ପୂର୍ବକ ପୂଜା କରିବାକୁ କୁହାଯାଇଛି। ମେୟର ସୁଲୋଚନା ଦାସ କହିଛନ୍ତି, ଉପରୋକ୍ତ ପଦକ୍ଷେପ ଅନୁପାଳନ ଦ୍ୱାରା ସମସ୍ତ ଶ୍ରଦ୍ଧାଳୁ ଏକ ଶାନ୍ତିପୂର୍ଣ୍ଣ ଦୁର୍ଗାପୂଜାର ଆନନ୍ଦ ଉପଭୋଗ କରିବେ। ଜଣେ ଦାୟିତ୍ୱବାନ ନାଗରିକ ଭାବେ ପୂଜା କମିଟି, ସଂଘ, କ୍ଲବ୍ ଏହି ନିୟମଗୁଡିକର ଅନୁପାଳନ କରିବାକୁ ଶ୍ରୀମତୀ ଦାସ ନିବେଦନ କରିଛନ୍ତି।