ମାମଲାରେ ଛନ୍ଦି ହୋଇଛି ବିଏମ୍‌ସି

୨୦୦୯ରୁ ଗଡ଼ୁଛି, ପାଣି ଭଳି ଖର୍ଚ୍ଚ ହେଉଛି, ଉତ୍ତରଦାୟିତ୍ବ ‌କାହାରି ନାହିଁ, ବଡ଼ ପ୍ରକଳ୍ପ ବି ଅଟକିଛି

ଭୁବନେଶ୍ବର : କୋର୍ଟ ମାମଲାରେ ଛନ୍ଦି ହୋଇରହିଛି ବିଏମ୍‌ସି। କିଛି ଅପାରଗ ଅଧିକାରୀଙ୍କ ଯୋଗୁ ୨୦୦୯ ମସିହାରୁ ମାମଲା ଫଏସଲା ହୋଇ ନ ପାରି କୋର୍ଟରେ ଗଡ଼ୁଛି। ମାମଲା ପରିଚାଳନା ବାବଦରେ ବିଏମ୍‌ସି ପାଣ୍ଠିରୁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ବିଏମ୍‌ସି କମିସନର ହାଇକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେଉଛନ୍ତି। ଅଧିକାରୀ କେବଳ କୋର୍ଟଙ୍କ ଭର୍ତ୍ସନାର ଶିକାର ହେଉନାହାନ୍ତି ବରଂ ବଡ଼ବଡ଼ ପ୍ରକଳ୍ପ ଏହି ମାମଲା ଯୋଗୁ ଫସି ରହୁଛି। ଅଭିଯୁକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମାମଲା ଫଏସଲା ହାରରେ ପରିବର୍ତ୍ତନ ଆସୁନାହିଁ।

ବିଭିନ୍ନ କୋର୍ଟରେ ୧୭୧୮ ଟି ମାମଲା ହୋଇଥିବା ବେଳେ ସେଥିରୁ ୭୪୪ଟି ମାମଲା ଫଏସଲା ହୋଇଛି। ଏଥିରୁ ଅର୍ଦ୍ଧାଧିକ ମାମଲାରେ ବିଏମ୍‌ସି ହାରିଛି। ଏବେ ୯୪୪ଟି ମାମଲା ଗଡ଼ୁଛି। ଏଥିରେ ୨୦୦୯ ଓ ୨୦୧୧ ମସିହାର ମାମଲା ରହିଥିବା ଜଣାପଡ଼ିଛି। ହାଇକୋର୍ଟ‌ରେ ୩୨୮ ମାମଲା ଗଡ଼ୁଥିବା ବେଳେ ନିମ୍ନ ଅଦାଲତରେ ୫୨୨ ମାମଲା ଗଡ଼ୁଛି। ସୁପ୍ରିମକୋର୍ଟ, ଏନ୍‌ଜିଟି, ଲୋକାୟୁକ୍ତ ଏବଂ ଓଏଚ୍‌ଆରସିରେ ୯୪ଟି ମାମଲା ବିଚାର ପାଇଁ ରହିଛି। ମାମଲା ପରିଚାଳନା କରିବା ପାଇଁ ୩୧ ଜଣ ଓକିଲ ଅଛନ୍ତି। ଯଦିଓ ଏମାନେ ସ୍ଥାୟୀ କର୍ମଚାରୀ ନୁହନ୍ତି, କିନ୍ତୁ ତାରିଖ ପିଛା ଟଙ୍କା ନେଉଛନ୍ତି। ଏହା ବାଦ୍‌ ୪ ଜଣ ଲିଗାଲ୍‌ ରିଟେନର ଅଛନ୍ତି। ଏମାନେ ବିଏମ୍‌ସିରୁ ମାସିକ ବେତନ ନେଉଛନ୍ତି। ଏହି ଉପବିଭାଗ(ନ୍ୟାୟିକ) ଦାୟିତ୍ବରେ ଜଣେ ଡେପୁଟି କମିସନର ଅଛନ୍ତି। ସେ ମଧ୍ୟ ମାର୍କେଟ୍‌ ଦାୟିତ୍ବରେ ଅଛନ୍ତି। ସବୁଠାରୁ ଅଧିକ ମାମଲା ମାର୍କେଟ୍‌କୁ ନେଇ ରହିଛି। ଉଭୟ ଦାୟିତ୍ବରେ ଜଣେ ଅଧିକାରୀ ରହିଥିବାରୁ ଅନେକ ମାମଲାକୁ ସେ ଲୁଚାଇ ରଖୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ସମୟରେ କମିସନର ଓ ଉଚ୍ଚ କର୍ତ୍ତୃପକ୍ଷ କୋର୍ଟଙ୍କ ରୋଷର ଶିକାର ହେଉଛନ୍ତି କିମ୍ବା ବ୍ୟକ୍ତିଗତ ଭାବରେ ହାଜର ହେଉଛନ୍ତି।

କଳ୍ପନାରୁ ରାଜମହଲ ପର୍ଯ୍ୟନ୍ତ ଉଚ୍ଛେଦ ବେଳେ ଏକାଧିକ ବ୍ୟବସାୟୀ ଜୀବିକା ହରାଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ଜଣେ ବ୍ୟବସାୟୀଙ୍କୁ ଥଇଥାନ କରାଯାଇ ନଥିଲା। ସେ କୋର୍ଟରେ ପହଞ୍ଚିଥିଲେ। ତାଙ୍କୁ ଥଇଥାନ କରିବା ପାଇଁ କୋର୍ଟ ଆଦେଶ ଦେଇଥିଲେ। ହେଲେ ବିଏମ୍‌ସି ଥଇଥାନ କରିନାହିଁ। ଚଳିତ ମାସ ଗତ ୧୧ ତାରିଖ ଦିନ ଶୁଣାଣିରେ ବିଏମ୍‌ସି ଉତ୍ତର ଦେଇଛି କି ବିଏମ୍‌ସି ପାଖରେ ଜାଗା ନାହିଁ। ୨୦୧୧ ମସିହାରୁ ଏହି ମାମଲା ଗଡ଼ୁଛି। ଆଉ କେତେ ଦିନ ଗଡ଼ିବ ତାହାର କାହା ପାଖରେ ହିସାବ ନାହିଁ।

ଲକ୍ଷ୍ମୀବିହାର ଅଞ୍ଚଳବାସୀଙ୍କୁ ବିଏମ୍‌ସି ଏକ ରାସ୍ତା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବିଏମ୍‌ସି ରାସ୍ତା କଲା ନାହିଁ କିମ୍ବା କୋର୍ଟଙ୍କୁ କିଛି ଉତ୍ତର ମଧ୍ୟ ଦେଲା ନାହିଁ। ଯେଉଁଥିପାଇଁ ହାଇକୋର୍ଟ ବିଏମ୍‌ସି କମିସନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌ କାରିଥିଲେ। ଖୋଦ୍‌ କମିସନର କୋର୍ଟରେ ଛିଡ଼ା ହୋଇଥିଲେ। ଯାହାକୁ ନେଇ ବିଏମ୍‌ସିରେ ତୁମ୍ବିତୋଫାନ ହୋଇଥିଲା। ସମ୍ପୃକ୍ତ ଅଧିକାରୀ ଓ କିରାଣୀଙ୍କୁ ‌କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଆଉ ଏକ ବଡ଼ ଘଟଣା ହେଉଛି ବିଏମ୍‌ସି ଏକ ଜାଗାରେ ଏମ୍‌ସିସି ନିର୍ମାଣ ଆରମ୍ଭ କରିଥିଲା। କିନ୍ତୁ ତାହା ଘରୋଇ ଜାଗା ବୋଲି ଦାବି କରି ଜଣେ ବ୍ୟକ୍ତି କୋର୍ଟରେ ପହଞ୍ଚିଲେ। ମାମଲା ଏବେ କୋର୍ଟରେ ବିଚାରାରଧୀନ ରହିଛି। ଏଣେ ପ୍ରକଳ୍ପ ଝୁଲି ରହିଛି। ମେଗା ଏମ୍‌ସିସି କରି ଆବର୍ଜନା ପରିଚାଳନା କଲେ ଭୁଆସୁଣି ସମସ୍ୟା‌ ସମାଧାନ ହେବ। କିନ୍ତୁ ଏ ଯାବତ୍‌ ବିଏମ୍‌ସି ଗୋଟିଏ ହେଲେ ମେଗା ଏମ୍‌ସିସି ପାଇଁ ଇଟାଖଣ୍ଡିଏ ପକାଇ ପାରିନାହିଁ।

ଭଗବାନପୁରକୁ ଏକ ନମ୍ବର ହାଟରେ ଥିବା ହୋଲ୍‌ସେଲ୍‌ ମାର୍କେଟ୍‌କୁ ସ୍ଥାନାନ୍ତର ହେବାକୁ ଯୋଜନା ଥିଲା। ସେଠାରେ ଜାଗା ଚିହ୍ନଟ ହେବା ସହ ନିର୍ମାଣ ପାଇଁ ବିଏମ୍‌ସି ଟେଣ୍ଡର କରିଥିଲା। କିନ୍ତୁ ସେଠା‌ରେ ଘରୋଇ ଜାଗା ରହିବା ଓ ନିର୍ମାଣ ହେବାକୁ ଥିବା ମାର୍କେଟ୍‌ ମଝିରେ ରାସ୍ତା ନିର୍ମାଣ ଦାବିରେ ମାମଲା କୋର୍ଟକୁ ଗଲା। ଯାହା ଏବେ ବିଚାରାଧୀନ ରହିଛି। ଫଳରେ ପ୍ରକଳ୍ପ ଝୁଲିଛି। ଏହି ହୋଲ୍‌ସେଲ୍‌ ମାର୍କେଟ୍‌ ଏଠାରୁ ଉଠିଗଲେ ଟ୍ରାଫିକ୍‌ ସମସ୍ୟା ସହ ୧ ନମ୍ବର ଦୈନନ୍ଦିନ ବଜାର ପାଇଁ ଅଧିକ ଜାଗା ମିଳିବ ଓ ଶୃଙ୍ଖଳିତ ହୋଇ ପାରିବ।

ବିଭିନ୍ନ ପ୍ରକଳ୍ପକୁ ଛାଡ଼ିଦେଲେ ବ୍ୟକ୍ତିଗତ ଓ ଜମିବାଡ଼ିକୁ ନେଇ ଶହ ଶହ ମାମଲା ରହିଛି। ଯେଉଁଥିପାଇଁ ଅଧିକାରୀମାନଙ୍କୁ କୋର୍ଟରେ ଛିଡ଼ା ହେବାକୁ ପଡ଼ୁଛି। ଉପଯୁକ୍ତ ସମୟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ ହେଉନଥିବାରୁ ଅଧିକାରୀଙ୍କୁ କୋର୍ଟ ଭର୍ତ୍ସନା କରୁଛି। କିଭଳି ମାମଲାଗୁଡ଼ିକର ତ୍ବରିତ ସମାଧାନ ହେବ ସେ ନେଇ ଦାୟିତ୍ବରେ ଥିବା ଅଧିକାରୀ ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର