ଭୁବନେଶ୍ୱର: ବିଏମ୍‌ସିକୁ କୋଭିଡ୍‌ ଭୟ ଘାରିଛି। ଆସନ୍ତା ମେ’ କିମ୍ବା ଜୁନ୍ ବେଳକୁ ଭୁବନେଶ୍ବରରେ କୋଭିଡ୍‌ ବ୍ୟାପିବା ଆଶଙ୍କା ଥିବାରୁ ବିଏମ୍‌ସି ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ବିଏମ୍‌ସି ପକ୍ଷରୁ ଆଜି ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ବିଏମ୍‌ସି ଅଞ୍ଚଳରେ ରହିଥିବା ସମସ୍ତ ଘରୋଇ ଓ ସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଗତ ବର୍ଷଗୁଡ଼ିକରେ ଯେଭଳି ବିଏମ୍‌ସି ସଫଳତାର ସହ କୋଭିଡ୍‌ ମୁକାବିଲା କରିଥିଲା, ଠିକ୍‌ ସେହିଭଳି ମୁକାବିଲା ପାଇଁ ନିଜ ନିଜ ସ୍ତରରେ ପ୍ରସ୍ତୁତି କରିବାକୁ ସେ କହିଛନ୍ତି।

Advertisment

ଏହି ବୈଠକରେ ଯୋଗ ଦେଇଥିବା କ୍ୟାପିଟାଲ ହସପିଟାଲ ସୁପରିନ୍‌ଣ୍ଟେଣ୍ଡେଣ୍ଟ, ଏମ୍‌ସ୍‌ ସୁପରିନ୍‌ଣ୍ଡେଣ୍ଡେଣ୍ଟ, ବିଏମ୍‌ସିରେ ଥିବା ସମସ୍ତ ପିଏଚ୍‌ସି, ସିଏଚ୍‌ସି ମେଡିକାଲ ଅଫିସର ଓ ଘରୋଇ ଡାକ୍ତରଖାନା ପ୍ରତିନିଧିମାନଙ୍କୁ ଆସନ୍ତାକାଲି(ମଙ୍ଗଳବାର)ଠାରୁ ସମସ୍ତେ ପ୍ରସ୍ତୁତିର ମକଡ୍ରିଲ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଟେଷ୍ଟିଂ ବଢ଼ାଇବା ସହ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରିବାକୁ କୁହାଯାଇଛି। ପିଏଚ୍‌ସିଗୁଡ଼ିକରେ ଅତି କମ୍‌ରେ ୫ଟି ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା କରିବା ସହ ଅକ୍ସିଜେନ ସୁବିଧା ଥିବା ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସିଏଚ୍‌ସିଗୁଡ଼ିକରେ ଅତି କମ୍‌ରେ ୧୦ଟି ଅକ୍ସିଜେନ୍‌ ସହ ସଙ୍ଗରୋଧ ଶଯ୍ୟା ପ୍ରସ୍ତୁତ ରଖିବେ। କ୍ୟାପିଟାଲ୍‌ ହସ୍‌ପିଟାଲରେ ଅଧିକ ଆଇସିୟୁ ଓ ବେଡ୍ ପ୍ରସ୍ତୁତ ରହିବ।  ବିଏମସି ହସପିଟାଲଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିସନର୍‌।

ଆସନ୍ତାକାଲିଠାରୁ ପ୍ରତି ଡାକ୍ତରଖାନାରେ ଅଭ୍ୟାସ ହେବ। କୋଭିଡ୍‌ ଲକ୍ଷଣ ଥିବା ରୋଗୀଙ୍କୁ କେମିତି ଆଣିବେ, ତାଙ୍କୁ ବେଡ୍‌ ନିକଟକୁ କେମିତି ନେବେ, ଚିକିତ୍ସା କେମିତି କରାଯିବ ଆଦି ସଂପର୍କରେ ଅଭ୍ୟାସ କରିବେ। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ କେମିତି କାର୍ଯ୍ୟ କରିବେ, ସେ ସଂପର୍କରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ବିଏମ୍‌ସିକୁ ଅବଗତ କରିବାକୁ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି କୋଭିଡ ରୋଗୀ ଆସିଲେ, ସେ ସଂପର୍କରେ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। କ୍ୟାପିଟାଲ ହସ୍‌ପିଟାଲରେ ଟେଷ୍ଟିଂ ଚାଲିଛି। ପ୍ରାୟ ୨୦ ଜଣଙ୍କର ସାମାନ୍ୟ କୋଭିଡ୍‌ ପଜିଟିଭ୍‌ ଥିବା ଜଣାପଡ଼ିଛି।