ନିର୍ବାଚନ ପାଇଁ ପ୍ରସଙ୍ଗ ଦେଇଛି ବିଏମ୍‌ସି: ଠିକା ଦେଲେ, କାମ ଆରମ୍ଭ ହେଉନି

୧୯ ପ୍ରକଳ୍ପରେ ୫୭କୋଟି ଅନୁମୋଦନ

ଭୁବନେଶ୍ବର: ଭୁବନେଶ୍ବରର ତିନି ବିଧାନସଭାମଣ୍ଡଳୀରେ ପ୍ରମୁଖ ଦଳମାନଙ୍କର ପ୍ରାର୍ଥୀ ଘୋଷଣା ପରେ ନେତା ଏବେ ଜନତାଙ୍କ ପାଖରେ ପହଞ୍ଚିଛନ୍ତି। ଜନସାଧାରଣଙ୍କ ପାଇଁ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ଚିତ୍ର ଧରି ଶାସକ ଦଳ ଜନତାଙ୍କୁ ଭୋଟ ମାଗୁଥିବା ବେଳେ ବି‌ରୋଧୀ ମଧ୍ୟ ବିଭିନ୍ନ ‌ଯୋଜନାର ବିଫଳତା ଖୋଜୁଛନ୍ତି। ମଧ୍ୟ ନିର୍ବାଚନମଣ୍ଡଳୀର ସମସ୍ତ ୱାର୍ଡ ବିଏମ୍‌ସି ଅଧୀନରେ ରହିଛି। ଉତ୍ତର ଓ ଏକାମ୍ରର କେତୋଟି ହାତଗଣତି ଅଞ୍ଚଳ ବିଏମ୍‌ସି ପରିସୀମା ବାହାରେ ଅଛି। ଅର୍ଥାତ୍‌ ବିଏମ୍‌ସିର ସଫଳତା ଓ ବିଫଳତା ହିଁ ନିର୍ବାଚନ‌ରେ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛି। ବିଗତ ଦିନରେ ବିଭିନ୍ନ ଯୋଜନାର ବିଫଳତାକୁ ନେଇ ବିଏମ୍‌ସି ବିରୋଧରେ ଗଦା ଗଦା ଅଭିଯୋଗ ରହିଥିଲା। ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ତରବରିଆ ଭାବେ ଯେଉଁ କେତେକ ନିର୍ମାଣ କାର୍ଯ୍ୟର ଠିକା ଦିଆଯାଇଥିଲା ତାହା ମଧ୍ୟ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ଏ ସବୁ ଶାସକ ଦଳ ପ୍ରାର୍ଥୀଙ୍କ ପାଇଁ ଅଡ଼ୁଆ କଲାଣି।

ଜାଗା ମିସନକୁ ନେଇ ସବୁଠାରୁ ଅଧିକ ବିବାଦ ତଥା ଅଭିଯୋଗ ରହିଛି। ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟକାରୀ କଲା ବେଳେ ବିଏମ୍‌ସିର ଅବହେଳା ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି। ଇତିମଧ୍ୟରେ ବିଏମ୍‌ସି ୭ଟି ପର୍ଯ୍ୟାୟରେ ୭୨ ହଜାର ଭୂମି ଅଧିକାର ପ୍ରମାଣପତ୍ର(ଏଲ୍ ଆର୍‌ସି) ବଣ୍ଟି ସାରିଲାଣି। ହେଲେ ବିବାଦ ପିଛା ଛାଡ଼ୁନି। ଜାଗା ମିସନରେ ହୋଇଥିବା ସର୍ଭେ ତାଲିକାରୁ ବସ୍ତି ବାସିନ୍ଦା ସଂଘ(ଏସ୍‌ଡିଏ)ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ଦେବା ସହ ଅଯୋଗ୍ୟଙ୍କ ନାଁ ଯୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ବିଏମ୍‌ସି ୧୪ ଏସ୍‌ଡିଏଙ୍କୁ କୈଫିୟତ ତଲବ କରିଥିଲା। ହେଲେ ଗୋଟିଏ ସଂଘ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ଏହାବାଦ୍‌ ୧୪୦୦ରୁ ଊର୍ଦ୍ଧ୍ବ ଅଭିଯୋଗପତ୍ର ବିଏମ୍‌ସିରେ ପହଞ୍ଚିଥିଲା। ସମାଧାନ ପାଇଁ କେବଳ ପ୍ରତିଶ୍ରୁତି ମିଳିଛି। ଏହି ଯୋଜନା କେବଳ ବସ୍ତିବାସିନ୍ଦାଙ୍କ ପାଇଁ। ବସ୍ତିବାସିନ୍ଦାଙ୍କ ଭୋଟ୍‌ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ। ଏଣୁ ଏହା ନେତାଙ୍କୁ ଚିନ୍ତାରେ ପକାଇଛି।

ଏହାଠାରୁ ବଡ଼ ପ୍ରସଙ୍ଗ ହେଉଛି ପରିମଳ। ପରିମଳକୁ ନେଇ ହୋଇଥିବା ତ୍ରୁଟିପୂର୍ଣ୍ଣ ଟେଣ୍ଡର ସହରରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପରିମଳ ବାବଦରେ ଖର୍ଚ୍ଚ ୧୦୦ କୋଟି ଛୁଇଁଥିବା ‌ବେଳେ ସହର ସଫା ହେଉନାହିଁ। ଶତ ପ୍ରତିଶତ ସଫା ତ ଦୂରର କଥା, ଗଳି ମୁଣ୍ଡରେ ଆବର୍ଜନା ଗଦା ହୋଇ ରହିଛି। ସହର ସୀମାରେ ଯାଇଥିବା ରାସ୍ତା କଡ଼ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ବିଏମ୍‌ସି ଏନ୍‌ଜିଟିରେ ଦାଖଲ କରିଥିବା ସତ୍ୟପାଠ ମୁତାବକ, ଭୁବନେଶ୍ବରରୁ ଦୈନିକ ୮୦୦ ଟନ୍‌ ଆବର୍ଜନା ବାହାରୁଛି। ବିଏମ୍‌ସି ପାଖରେ ୫୧୦ ଟନ୍‌ ଆବର୍ଜନା‌ ପରିଚାଳନା କ୍ଷମତା ରହିଛି। ଅର୍ଥାତ୍‌ ଦିନକୁ ୨୯୦ ଟନ୍‌ ଆବର୍ଜନା ପରିଚାଳନା ନ ହୋଇ ଟିଟିଏସ୍‌ରେ ଗଦା ହୋଇ ରହୁଛି। ଫଳରେ ଆଗକୁ ଭୟଙ୍କର ସମସ୍ୟା ହେବା ଜଳଜଳ ଦିଶୁଛି। ଏହାକୁ ନେଇ ଭୋଟରଙ୍କ ଭିତରେ ପ୍ରବଳ ଅସନ୍ତୋଷ ରହିଛି।
ଅନ୍ୟପଟେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଥିବାରୁ ବିଏମ୍‌ସି ଏହା ପୂର୍ବରୁ ଅନେକ ଭିତ୍ତିଭୂମି ବିକାଶ କାର୍ଯ୍ୟ ରହିଥିଲା। ଏଥିରେ ବିଶେଷକରି ରାସ୍ତା, ନଳା ଓ ଶ୍ମଶାନକୁ ଗୁରୁତ୍ବ ଦିଆଯାଇଥିଲା। ଫେବ୍ରୁଆରି ମାସରେ ବସିଥିବା କର୍ପୋରେସନ ବୈଠକରେ ରାସ୍ତା, ଡ୍ରେନ୍‌ ଓ ଲେପ୍ରସି କାଲୋନି ଘର ସହ ରଘୁନାଥ ନଗର ଶ୍ମଶାନର ପୁନରୁଦ୍ଧାର ପାଇଁ ୫୭କୋଟିର ୧୯ଟି କାର୍ଯ୍ୟାଦେଶ ଅନୁମୋଦନ ଲାଭ କରିଥିଲା। ଯୋଜନା ଥିଲା ବର୍ଷା ପୂର୍ବରୁ କିଭଳି ସାରି ଦିଆଯିବ। କାରଣ ନିର୍ବାଚନ ଆଚରଣ ବିଧି ଉଠିବା ପରେ ଆଉ ସମୟ ନଥିବ। ଦୁଇ ମାସ ବିତିଥିଲେ ମଧ୍ୟ ଗୋଟିଏ ହେଲେ କାମ ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର