ଭୁବନେଶ୍ବର: ଏଥର ବିଏମ୍‌ସିରେ ମନଇଚ୍ଛା କେହି ଗାଡ଼ି ଲଗାଇ ପାରିବେ ନାହିଁ। ଦୀର୍ଘ ଦିନ ପରେ ବିଏମ୍‌ସି ଭାରୀ ଯାନ ଓ ହାଲୁକା ଯାନ ପାଇଁ ଏକକ ଟେଣ୍ଡର ଡାକିଛି। ଏଥର ଗୋଟିଏ ସଂସ୍ଥା ୧୫୧ ଗାଡ଼ି ଯୋଗାଇବ। ଆବଶ୍ୟକ ପଡ଼ିଲେ ଅଧିକା ଗାଡ଼ି ମଧ୍ୟ ‌ଯୋଗାଇବ। ଫଳରେ ଗାଡ଼ି ଯୋଗାଇବାରେ ଚାଲିଥିବା କେଳେଙ୍କାରୀର ସୁଯୋଗ ରହିବ ନାହିଁ। ଗୋଟିଏ ସଂସ୍ଥା ପରିଚାଳନା କରିବାକୁ ଥିବାରୁ ବିଏମ୍‌ସି ମଧ୍ୟ ଅଯଥା ଟେନ୍‌ସନ୍‌ରୁ ମୁକ୍ତି ପାଇବ ବୋଲି କୁହାଯାଉଛି।

Advertisment

ବିଏମ୍‌ସିରେ ଗାଡ଼ି ଲଗାଇବା ନେଇ କେଳେଙ୍କାରୀ ଚାଲିଥିବା ଏକ ବଡ଼ ଅଭିଯୋଗ ରହିଥିଲା। ଗୋଟିଏ ସଂସ୍ଥା ହାଲୁକା ଯାନ ଯୋଗାଉଥିବା ବେଳେ ଅନ୍ୟ ଏକ ସଂସ୍ଥା ଭାରୀ ଯାନ ଯୋଗାଉଥିଲା। ଆଉ ଏକ ସଂସ୍ଥା ଜେସିବି ଯୋଗାଉଥିଲା। ବଡ଼କଥା ହେଉଛି ଏହି ସଂସ୍ଥାମାନଙ୍କ ଜରିଆରେ କେତେକ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଗାଡ଼ି ଲଗାଇଥିଲେ। କାଗଜପତ୍ରରେ ସଂସ୍ଥା ନାଁ ରହୁଥିବା ବେଳେ ଏହି କର୍ମଚାରୀମାନେ ମାଲେମାଲ୍‌ ହେଉଥିଲେ। ଅନେକ ସମୟରେ ଅଧିକାରୀମା‌ନଙ୍କ ଚାହିଦା ମୁତାବକ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ି ମଧ୍ୟ ବେପାରରେ ଲଗାଇ ଦେଉଥିଲେ। ପୂବର୍ତନ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ଘରୋଇ ନମ୍ବର ପ୍ଲେଟ୍‌ ଥାଇ ଏକ ଗାଡ଼ି ଚଢ଼ୁଥିଲେ। ଏହା ଜଣାପଡ଼ିବା ପରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏହା ପରେ ଏହି ଗାଡ଼ିର ନମ୍ବର ବ୍ୟାବସାୟିକ କରିବାକୁ ଗାଡ଼ି ଯୋଗାଇଥିବା ସଂସ୍ଥା ବାଧ୍ୟ ହୋଇଥିଲା। ଏହି ଘଟଣା ପରେ ଖୋଳତାଡ଼ ବେଳେ ଏଭଳି ଅନେକ ଉଦାହରଣ ସାମ୍ନାକୁ ଆସିଥିଲା। ଏକାଧିକ କର୍ମଚାରୀ ଏକ ସଂସ୍ଥା ଜରିଆରେ ନିଜ ଗାଡ଼ି ବିଏମ୍‌ସିରେ ଭଡ଼ା ଲଗାଇଥିଲେ। ଏହା ବାଦ୍‌ ଟ୍ରକ୍‌, ଟ୍ରାକ୍ଟର, ଜେସିବି, ଟିପର, ହାଇୱା, ଡୋଜର ପ୍ରଭୃତି ଗାଡ଼ି ଭଡ଼ା ଲଗାଇବାରେ କେଳେଙ୍କାରୀ ରହିଥିଲା। ଜଣେ ଲୋକ ପ୍ରତିନିଧିଙ୍କ ଏକାନ୍ତ ସହଯୋଗୀ ଏଠାରେ ଏକାଧିକ ଗାଡ଼ି ଲଗାଇଥିଲେ। ସମ୍ପୃକ୍ତ ଲୋକ ପ୍ରତିନିଧିଙ୍କ ଚାପ ଥିବାରୁ ତାଙ୍କର ତୁରନ୍ତ ବିଲ୍‌ ପାସ୍‌ ହେଉଥିଲା। ଅନେକ ସମୟରେ କାମ ଯେତିକି ହେଉଥିଲା ତା’ ଠାରୁ ଅଧିକ ସମୟ ପକାଇ ଅଧିକ ବିଲ୍‌ ହେଉଥିଲା। ଯେତିକି ବାଟ ଗାଡ଼ି ଯାଉଥିଲା ତା ଠାରୁ ଅଧିକ ଦର୍ଶାଇ ବିଲ୍‌ ହେଉଥିଲା। ଏଭଳି ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ହଡପ ହେଉଥିବା ଅଭିଯୋଗ ରହିଥିଲା। ଯିଏ ଭାଗ ଦେବାକୁ ମନା କରୁଥିଲା ବା ବୋଲ ମାନୁନଥିଲା, ବିଭିନ୍ନ କାରଣ ‌ଦେଖାଇ ତା’ ଗାଡ଼ି ବାହାର କରି ଦିଆଯାଉଥିଲା। ନିଜ ଲୋକ ପାଖରୁ ଅନ୍ୟ ଏକ ଗାଡ଼ି ଅଣାଯାଉଥିଲା।

ପରିମଳ ଟେଣ୍ଡରରେ ରହିଥିବା ତ୍ରୁଟି ଯୋଗୁ ହାଟ ତଥା ଅନ୍ୟାନ୍ୟ ଜାଗାରୁ ଆବର୍ଜନା ଉଠି ନପାରିବାରୁ ବିଏମ୍‌ସି ଗାଡ଼ି ଯୋଗାଇ ସଂସ୍ଥାମାନଙ୍କୁ ସହଯୋଗ କରିଥିଲା। ନିଜେ ମଧ୍ୟ ଆବର୍ଜନା ଉଠାଉଥିଲା। ଏହି ସବୁ ଗାଡ଼ି ଭଡ଼ାରେ ଆଣିବା ଓ କେତେକ ଗାଡ଼ି ମଧ୍ୟ କିଣିବାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ଗାଡ଼ି‌ରେ ତେଲ ପକାଇବାରେ ଘୋଟାଲା ହେବାରୁ ବିଏମ୍‌ସି ପେଟ୍ରୋ କାର୍ଡ ପ୍ରଚଳନ ମଧ୍ୟ କରିଥିଲା। ନିକଟ ଅତୀତରେ ଚାଳକମାନେ ହଠାତ୍‌ କାର୍ଯ୍ୟବନ୍ଦ କରିଦେବାରୁ ଅଧିକାରୀମାନେ ଯିବା ଆସିବାରେ ଘୋର ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥିଲେ। ଏ ସବୁ ଘଟଣାର ତର୍ଜମା ପରେ ଏହି ଏକକ ଟେଣ୍ଡର ଯୋଗେ ଗାଡ଼ି ଭଡ଼ାରେ ଆଣିବାକୁ ଯୋଜନା ହୋଇଛି।