ବିଏମ୍‌ସିକୁ କରୋନା ଛାଟ: ତିନି ମାସ ହେଲା ଆୟ ନାହିଁ

କରୋନା ସତ୍ତ୍ବେ ଗତବର୍ଷ ୬୦କୋଟି ହୋଲଡିଂ ଟିକସ ଆଦାୟ ହୋଇଥିଲା

ମୋଟ୍ ଆୟ ୧୧୮କୋଟି ଥିଲା
ଏପ୍ରିଲ-ଜୁନ୍‌ରେ ୮ରୁ ୧୦କୋଟି ଆଦାୟ ହୁଏ

ଭୁବନେଶ୍ବର ରାଜଧାନୀରେ କରୋନା ଜନିତ ଲକ୍‌ଡାଉନ୍, ସଟ୍‌ଡାଉନ୍‌ରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। ଏହାର ପ୍ରଭାବ ବିଏମ୍‌ସିର ଆୟ ଉପରେ ପଡ଼ିଛି। ବିଏମ୍‌ସି କରୋନା ମୁକାବିଲାରେ ବ୍ୟସ୍ତ ଥିବାରୁ ରାଜସ୍ବ ଆଦାୟ ଭୁଶୁଡ଼ି ପଡ଼ିଛି। ଏପ୍ରିଲରୁ ଜୁନ୍‌ ଭିତରେ ୮ରୁ ୧୦କୋଟି ରାଜସ୍ବ ଆଦାୟ ହେଉଥିଲେ ହେଁ ଏହି ତିନି ମାସରେ ଆୟ କୋଟିଏ ବି ଛୁଇଁ ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଏଥର ହୋଲଡିଂ ଟିକସରୁ ଆରମ୍ଭ କରି ପାର୍କିଂସ୍ଥଳୀ ନିଲାମ, ଟ୍ରେଡ୍‌ ଲାଇସେନ୍ସ, ଫୁଡ୍‌ ଲାଇସେନ୍ସ, ବିଜ୍ଞାପନ ଫି’ ଆଦାୟ ଭଳି ପ୍ରମୁଖ ଉତ୍ସଗୁଡ଼ିକ ବନ୍ଦ ହୋଇଯାଇଛି। ଦୋକାନ ବଜାର ବନ୍ଦ ଥିବାରୁ ବ୍ୟବସାୟୀମାନେ ନୂଆ ଲାଇସେନ୍ସ କି ନବୀକରଣ ମଧ୍ୟ କରୁନାହାନ୍ତି। କେବଳ ଏତିକି ନୁହେଁ, ହୋଲଡିଂ ଟିକସରୁ ଅତି କମ୍‌ରେ ୫ରୁ ୬କୋଟି ଏହି ସମୟ‌େର ଆଦାୟ ହୋଇଯା‌ଏ। ହେଲେ ଏଥର ତାହା ବି ହେଉନି। ଯେଉଁଥିପାଇଁ ବିଏମ୍‌ସିର ଆୟ ଅପେକ୍ଷା ଏବେ ବ୍ୟୟ ବଢ଼ିବଢ଼ି ଚାଲିଛି। ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ହାଇକୋର୍ଟରେ ହୋଲଡିଂ ଟିକସ ନେଇ ମାମଲା ଚାଲିଥିବାରୁ ଏବଂ ନୂଆ ହିସାବରେ ଟିକସ ଆଦାୟ ହୋଇପାରିବନି ବୋଲି ସ୍ଥଗିତାଦେଶ ଥିବାରୁ ବହୁ ଲୋକ ହୋଲଡିଂ ଟିକସ ଦେଉନାହାନ୍ତି। ଏପରିକି ଏହି ତିନି ମାସରେ ଲୋକଙ୍କୁ ରିବେଟ୍ ମିଳିଥାଏ। ତଥାପି ବି ଲୋକ ହୋଲଡିଂ ଟିକସ ଦେଉନାହାନ୍ତି। ଖାସ୍‌ କରି ୱାର୍ଡ ଅଫିସରମାନେ ଏହି ସମୟରେ ଅଧିକ ହୋଲଡିଂ ଟିକସ ଆଦାୟ କରନ୍ତି। କିନ୍ତୁ ସେମାନେ ଏବେ ଟିକାକରଣ ଦାୟିତ୍ବରେ ଥିବାରୁ ଟିକସ ଆଦାୟକୁ ଫୋକସ୍ କରିପାରୁନାହାନ୍ତି। ଏହାବାଦ୍ ଟିକସ ଆ‌ଦାୟ ପାଇଁ ଆମେ ବର୍ଷ ଶେଷକୁ ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ କିନ୍ନରମାନଙ୍କୁ ନିୟୋଜିତ କରିଥାଉ। କିନ୍ତୁ ଏବେ ଲୋକ କାହାକୁ ଘରେ ପୂରାଉନାହାନ୍ତି କି କେହି ଟିକସ ଦେବାକୁ ରାଜି ହେଉନାହାନ୍ତି। ତେଣୁ ଆ‌ମର ହୋଲଡିଂ ଟିକସ ଆଦାୟ ବାଧାପ୍ରାପ୍ତ ହୋଇଛି। ଜୁଲାଇ ମାସରେ ଟିକାକରଣ ଶେଷ ହେବା ପରେ ଅଗ‌ଷ୍ଟରୁ ରାଜସ୍ବ ଆଦାୟକୁ ଫୋକସ୍‌ କରିବାକୁ ଯୋଜନା କରୁଛୁ। ସବୁ କରୋନା ପ୍ରଭାବ ଉପରେ ନିର୍ଭର କରୁଛି। ଯଦି ଗତ ବର୍ଷ ଭଳି କରୋନା କମିଲା ତେବେ ଆମେ ରାଜସ୍ବ ଆଦାୟ ଜୋର୍‌ଦାର କରିବୁ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତବର୍ଷ କରୋନା ପ୍ରଭାବ ସତ୍ତ୍ବେ ଆମେ ରେକର୍ଡ ହୋଲଡିଂ ଟିକସ ଆଦାୟ କରିଛୁ। ୨୦୨୦-୨୧‌‌ରେ ବିଏମ୍‌ସି ମୋଟ ୧୧୮କୋଟି ଟଙ୍କା ରାଜସ୍ବ ଆଦାୟ କରିଥିବାବେଳେ ଏଥିରୁ ୬୦କୋଟି ୭୩ଲକ୍ଷ ଟଙ୍କା କେବଳ ହୋଲଡିଂ ଟିକସ ବାବଦକୁ ହୋଇଥିଲା। ପୂର୍ବରୁ ୨୦୧୮-୧୯ରେ ହୋଲଡିଂ ଟିକସ ସର୍ବାଧିକ ୪୨କୋଟି ଟଙ୍କା ଆଦାୟ ହୋଇଥିଲା। ଏପରିକି ୨୦୨୦-୨୧ରେ ଟ୍ରେଡ୍ ଲାଇସେନ୍ସ ଏବଂ ଅନ୍ୟାନ୍ୟ ଫି’ ବାବଦକୁ ଭଲ ରାଜସ୍ବ ଆଦାୟ ହୋଇଥିଲା।

ଚଳିତବର୍ଷ ହୋଲଡିଂ ଟିକସକୁ ନେଇ ଚାଲିଥିବା ମାମଲା ଉପରୁ ଯେପରି ଶୀଘ୍ର ସ୍ଥଗିତାଦେଶ ଉଠିବ ସେନେଇ ପଦକ୍ଷେପ ନେବୁ। ଯଦି କୋର୍ଟରେ ମାମଲା ରହିବନି ତେବେ ହୋଲଡିଂ ଟିକସ ଆଦାୟ ସ୍ବାଭାବିକ ହୋଇଯିବ। ଏବେ ଯେଉଁ ଟିକସ ଆଦାୟ ହୋଇପାରିନି ସେଗୁଡ଼ିକୁ ବର୍ଷ ଶେଷରେ ଆଦାୟ କରାଯାଇପାରିବ। ସେହିପରି ଏଥର କରୋନାର ଦ୍ବିତୀୟ ଲହର ସରିବା ପରେ ଆମେ ବିଭିନ୍ନ ପାର୍କିଂସ୍ଥଳୀ, ହୋର୍ଡିଂ ନିଲାମ କରିଦେବୁ। ବିଭିନ୍ନ ପ୍ରକାରର ଟିକସ ଆଦାୟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ୱାର୍ଡ ଅଫିସର, ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଓ କିନ୍ନରମାନଙ୍କୁ ନିୟୋଜିତ କରିବୁ।

ସମ୍ବନ୍ଧିତ ଖବର