ଆର୍‌ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ନଥିଲେ ୭ଦିନ ବାଧ୍ୟତାମୂଳକ ସଙ୍ଗରୋଧ

ତିନି ହୋଟେଲରେ ସଙ୍ଗରୋଧ ବ୍ୟବସ୍ଥା‌ କଲା ବିଏମ୍‌ସି

ଭୁବନେଶ୍ବର: ଭୁବନେଶ୍ବରକୁ ବାହାର ରାଜ୍ୟରୁ ରେଳ, ବିମାନ, ବସ୍‌, ଘରୋଇ ଗାଡ଼ି ଯେଉଁଥିରେ ଆସୁଥିଲେ ବି ୭୨ଘଣ୍ଟା ଭିତରେ କରିଥିବା ଆର୍‌ଟିପିସିଆର୍‌ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ହେବ। ନଚେତ୍ ଦୁଇଟି ଡୋଜ୍ ଟିକା ନେଇଥିବାର ସାର୍ଟିଫିକେଟ୍ ଦେଖାଇବାକୁ ହେବ। ନହେଲେ ୭ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ବିମାନବନ୍ଦର ଓ ରେଳ ଷ୍ଟେସନରେ ଏଥିପାଇଁ ସ୍ବତନ୍ତ୍ର କାଉଣ୍ଟର ଖୋଲି ଚେକିଂ କରାଯାଉଛି। ଯେଉଁମାନେ ଏହି ଦୁଇଟି ରିପୋର୍ଟ/ସାର୍ଟିଫ‌ିକେଟ୍ ଦେଖାଉନାହାନ୍ତି ସେମାନଙ୍କ ନାମ ପଞ୍ଜୀକରଣ କରି ବାଧ୍ୟତାମୂଳକ ସଙ୍ଗରୋଧ ରହିବାକୁ କୁହାଯାଉଛି। ଏହାବାଦ୍ ଯେଉଁମାନଙ୍କର କିଛି କୋଭିଡ୍‌ ଲକ୍ଷଣ ଦେଖାଯାଉଛି ସେମାନଙ୍କର ବିମାନବନ୍ଦର ଓ ରେଳ ଷ୍ଟେସନରେ କୋଭିଡ୍‌ ପରୀକ୍ଷା କରିବା ବ୍ୟବସ୍ଥା କରାଯାଇଛି।

ବିମାନବନ୍ଦରରେ ଆଜି କଡ଼ାକଡ଼ି ଚେକିଂ ହୋଇଥିବାବେଳେ ଯାତ୍ରୀମାନଙ୍କୁ ଧାଡ଼ିରେ ଆସି ଆର୍‌ଟିପିସିଆର୍ ରିପୋର୍ଟ କିମ୍ବା ଟିକାର ଦ୍ବିତୀୟ ଡୋଜ୍ ନେଇଥିବା ସାର୍ଟିଫିକେଟ୍ ଦେଖାଇବାକୁ କୁହାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ବର ଆସିଥିବାବେଳେ ସେ ବି ଧାଡ଼ିରେ ଆସି ପ୍ରମାଣ ଦେଖାଇଥିଲେ।

ସେହିପରି ଭୁବନେଶ୍ବର ରେଳ ଷ୍ଟେସନରେ ଯାତ୍ରୀଙ୍କ ଯାଞ୍ଚ ପାଇଁ ୮ଟି କାଉଣ୍ଟର ଖୋଲାଯାଇଛି। ୧ରୁ ୩ନମ୍ବର କାଉଣ୍ଟରରେ ଟେଷ୍ଟିଂ ରିପୋର୍ଟ ଓ ଟିକା ସାର୍ଟିଫିକେଟ୍ ଦେଖାଇବା ବ୍ୟବସ୍ଥା ହୋଇଥିବାବେଳେ ୪ରୁ ୮ନମ୍ବର ପର୍ଯ୍ୟନ୍ତ କାଉଣ୍ଟରରେ ନାମ ପଞ୍ଜୀକରଣ କରି କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା। ଟ୍ରେନ୍‌ରେ ଆସିଥିବା ସମସ୍ତ ବାହାର ରାଜ୍ୟର ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା। କିଛି ଯାତ୍ରୀଙ୍କର ଆଜି ଷ୍ଟେସନରେ କୋଭିଡ୍‌ ପରୀକ୍ଷା ବି ହୋଇଥିଲା।

ଭୁବନେଶ୍ବର: ଯଦି କେହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବା ବାହାର ରାଜ୍ୟରୁ ବିନା କୋଭିଡ୍‌ ଟେଷ୍ଟରେ ଆସିଛନ୍ତି ତେବେ ସେମାନେ ହୋଟେଲରେ ଟଙ୍କା ଦେଇ ୭ଦିନ ସଙ୍ଗରୋଧରେ ରହିପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ତିନିଟି ଓୟୋ ହୋଟେଲ ବଛାଯାଇଛି। ଏଥିରେ ୩୦ଟି ନନ୍‌ଏସି ରୁମ୍ ଓ ୧୦ଟି ଏସି ରୁମ୍‌ ରହିଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଗଜପତି ନଗରସ୍ଥିତ ମା’ ଗେଷ୍ଟ ହାଉସ୍‌ରେ ୧୦ଟି ଏସି ରୁମ୍ ଥିବାବେଳେ ଏଠାରେ ଜଣେ ଲୋକ ଦୈନିକ ୧୪୯୯ ଟଙ୍କା ଦେଇ ରହିପାରିବେ। ସେହିପରି ସମ୍‌ ହସ୍ପିଟାଲ ନିକଟରେ କଳିଙ୍ଗ ନଗରରେ ଥିବା ମା’ ସମ୍‌ ପ୍ୟାଲେସ୍‌ରେ ୧୫ଟି ନନ୍‌ଏସି ରୁମ୍ ଓ କିମ୍‌ସ ହସ୍ପିଟାଲ ନିକଟରେ ମା’ଗେଷ୍ଟ ହାଉସ୍‌ରେ ୧୫ଟି ନନ୍‌ଏସି ରୁମ୍ ରହିଛି। ଏଥିପାଇଁ ଜଣେ ଦିନକୁ ୧୦୯୯ଟଙ୍କା ଦେଇ ରହିପାରିବ। ଏହି ଟଙ୍କାରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଓ ଦୁଇ ଲିଟର ପାଣି ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର