ଭୁବନେଶ୍ବର: ସର୍ବସାଧାରଣଙ୍କ ସୁବିଧା ପାଇଁ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟ ପରିସରରେ ଇ-ଶୌଚାଳୟର ବ୍ୟବସ୍ଥା ହୋଇଛି। କିନ୍ତୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଇ-ଶୌଚାଳୟ ଆରମ୍ଭରୁ ଅଚଳ ଅବସ୍ଥାରେ ପଡ଼ିଛି। ଏହାର ସ୍ବୟଂଚାଳିତ ବ୍ୟବସ୍ଥା ସଂପୂର୍ଣ୍ଣ ଅଚଳ ହୋଇଯାଇଥିବା ବେଳେ ଭିତର ଅନ୍ଧକାରମୟ। ଫ୍ଲସ୍ରେ ବି ପାଣି ଆସୁନି। ଫଳରେ ଯେଉଁ ଲକ୍ଷ୍ୟରେ ଏହି ଇ-ଶୌଚାଳୟ ସ୍ଥାପନ ହୋଇଥିଲା, ତାହା ଲକ୍ଷ୍ୟଚ୍ୟୂତ ହୋଇଛି। ଯେଉଁମାନେ ଭୁବନେଶ୍ବର ମୁଖ୍ୟାଳୟକୁ ଆସୁଛନ୍ତି, ସେମାନେ ଏଣେ ତେଣେ ବାହାରେ ପରିସ୍ରା କରୁଛନ୍ତି।
ଏବେ ଇ-ଶୌଚାଳୟ ନିର୍ମାଣକୁ ଭୁବନେଶ୍ବର ମହାନଗର ନିଗମ ଗୁରୁତ୍ବ ଦେଇଛି। ନିକଟରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମୁଖ୍ୟାଳୟ ପରିସରରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଦୁଇଟି ଇ-ଶୌଚାଳୟ ସ୍ଥାପନ ହୋଇଥିଲା। ଓଭରହେଡ୍ ପାଣି ଟାଙ୍କି ସାଙ୍ଗକୁ ଅତ୍ୟାଧୁନିକ ଆଲୁମିନିୟମ ଶୌଚାଳୟ, ଦାମୀ ପ୍ୟାନ୍, ଫ୍ଲସ୍ ଆଦି ବ୍ୟବସ୍ଥା ହୋଇଥିଲା। ସ୍ମାର୍ଟର ଓ ସ୍ବଚ୍ଛ ଭୁବନେଶ୍ବରର ଏହା ଅଂଶବିଶେଷ ଥିଲା। ଶୌଚାଳୟଟି ବିଦ୍ୟୁତ୍ଚାଳିତ ଥିଲା। ନୀଳ ଓ ଅନ୍ୟ ରଙ୍ଗର ବଟମ୍ ଜଳିବା ବ୍ୟବସ୍ଥା ହୋଇଥିଲା। ନୀଳ ବଟମ୍ ଜଳିଲେ, ଫ୍ଲସ୍ରେ ପାଣି ଅଛି ବୋଲି ଜଣାପଡ଼ିବାର ବ୍ୟବସ୍ଥା ହୋଇଥିଲା। ଭିତରେ ବିଜୁଳି ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିଥିଲା। ଏ ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ ବି କରାଗଲା। କିନ୍ତୁ ଆରମ୍ଭରୁ ଏହା ଅଚଳାବସ୍ଥାରେ ପଡ଼ିରହିଛି। ଫଳରେ ଭୁବନେଶ୍ବର ମହାନଗର ନିଗମର ଇ-ଶୌଚାଳୟ ବ୍ୟବସ୍ଥା ଦିଗହରା ହୋଇଛି। ଅପରପକ୍ଷେ ଯେଉଁମାନେ ଶୌଚାଳୟ ଯାଉଛନ୍ତି, ସେମାନେ ପାଣି ନ ଥିବାରୁ ସେହିଭଳି ପଳାଇ ଆସୁଛନ୍ତି। ଫଳରେ ଏହା ଅପରିଷ୍କାର ପରିବେଶ ଭିତରେ ପଡ଼ିଛି।