ସାଂସ୍କୃତିକ ଦୁନିଆକୁ ବିଏମ୍‌ସିର ପ୍ରହାର

ରବୀନ୍ଦ୍ର ମଣ୍ଡପ‌, ଜୟଦେବ ଭବନ ସାମ୍ନାରେ ହୋର୍ଡିଂ ମନା, କରୋନା ପରେ ଏବେ ଦାଉ ସାଧୁଛି ବିଏମ୍‌ସି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସାଂସ୍କୃତିକ ଦୁନିଆ ଚଳଚଞ୍ଚଳ ଥିଲା ବେଳେ କରୋନା ଦାଉ ସାଧିଥିଲା । କରୋନା କବଳରୁ ଏହି ଦୁନିଆ ମୁକୁଳୁଥିଲା ବେଳେ ଏବେ ବିଏମ୍‌ସି ଶକ୍ତ ପ୍ରହାର ଦେଇଛି। ଭୁବନେଶ୍ବରର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନ ସାମ୍ନାରେ କାର୍ଯ୍ୟକ୍ରମର ହୋର୍ଡିଂ ଲଗାଇବାକୁ ବାରଣ କରି ସାଂସ୍କୃତିକ ଆନ୍ଦୋଳନର ବାଟ ଓଗାଳିଛି ବିଏମ୍‌ସି। ବିଏମ୍‌ସିରେ ଅର୍ଥ ନ ଦେଲେ ହୋର୍ଡିଂ ଲଗାଯାଇପାରିବ ନାହିଁ ବୋଲି ବିଏମ୍‌ସିର ନିର୍ଦ୍ଦେଶକୁ ନେଇ ସାଂସ୍କୃତିକ ଜଗତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶାରେ ସାଂସ୍କୃତିକ ସଂଗଠନଗୁଡ଼ିକର ଆର୍ଥିକ ସ୍ଥିତି ଯାହା, ସେମାନେ ହୋର୍ଡିଂ ଲଗାଇବାକୁ ଟଙ୍କା ଦେବା ଏକପ୍ରକାର ଉଭଟ ପରିକଳ୍ପନା ବୋଲି ମତପ୍ରକାଶ ପାଇଛି। ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ବିଏମ୍‌ସି ଖୋଲା ଛାଡ଼ିଦେଇଥିଲା ବେଳେ ସାଂସ୍କୃତିକ ଅନୁଷ୍ଠାନ ପ୍ରତି ଏପରି କଠୋର ଆଭିମୁଖ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଭୁବନେଶ୍ବରରେ ଅଧିକାଂଶ ସାଂସ୍କୃତିକ, ସାରସ୍ବତ ଓ ବୌଦ୍ଧିକ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନରେ ଆୟୋଜନ କରାଯାଏ। ରାଜ୍ୟରେ ସାଂସ୍କୃତିକ ଓ ସାରସ୍ବତ ଅନୁଷ୍ଠାନକୁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଦେବା ପାଇଁ ବଜାର ଦର ତୁଳନାରେ ରବୀନ୍ଦ୍ର ମଣ୍ଡପର ଭଡ଼ା ମଧ୍ୟ କମ୍ ରଖାଯାଇଛି । ଏପରି ଅନୁଷ୍ଠାନଗୁଡ଼ିକର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ । ସାଧାରଣତଃ ଏହି ଅନୁଷ୍ଠାନଗୁଡ଼ିକ ବିଭିନ୍ନ ଆଡୁ ପ୍ରାୟୋଜକ ଯୋଗାଡ଼ କରି କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ଏହାର ପ୍ରଚାର ପ୍ରସାର ପାଇଁ ସେମାନଙ୍କ ଏକ ମାତ୍ର ମାଧ୍ୟମ ହେଉଛି ମଣ୍ଡପ ସାମ୍ନାରେ ଏକ ହୋର୍ଡିଂ ଲଗାଇବା । କିଛି ଦିନ ଆଗରୁ ଏହି ହୋର୍ଡିଂ ଲାଗିଲେ ଦର୍ଶକଙ୍କ ନଜର ପଡ଼େ ଓ ସେମାନେ କାର୍ଯ୍ୟକ୍ରମ ଦେଖିବାକୁ ଆସନ୍ତି। କାଁ ଭାଁ କିଛି କାର୍ଯ୍ୟକ୍ରମ ଛାଡ଼ିଦେଲେ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ପାଇଁ କୌଣସି ଟିକେଟ୍ ରଖାଯାଇ ନ ଥାଏ। ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଲୋକମାନଙ୍କୁ ମାଗଣାରେ ସୁଯୋଗ ମିଳେ। ଏହା ଦ୍ବାରା କଳାକାରମାନେ ପ୍ରୋତ୍ସାହନ ପାଇବା ସହ ରାଜ୍ୟର ସାଂସ୍କୃତିକ ଓ ସାରସ୍ୱତ ଜଗତ ଚଳଚଞ୍ଚଳ ହେଉଛି।

ସଂସ୍କୃତିର ପୃଷ୍ଠପୋଷକତା ବଦଳରେ ଜୁଲମ୍‌
ବ୍ୟାବସାୟିକ ସଂସ୍ଥାକୁ ଖୋଲା ଛାଡ଼ି ଦିଆଯାଇଛି

ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀର ସାଂସ୍କୃତିକ ଜଗତର ଏତିକି ସତ୍ୟକୁ ବୁଝିବାକୁ ପ୍ରସ୍ତୁତ ନାହାନ୍ତି। ସଂସ୍କୃତିର ସହରରେ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ବିଏମ୍‌ସିର ବି ଏକ ନୈତିକ ଦାୟିତ୍ବ। ଏଥି ପାଇଁ ବିଏମ୍‌ସି କେବେ କିଛି କରି ନାହିଁ। ବରଂ ଏବେ ଯେତିକି ହେଉଛି ତାହାର ବାଟ ଓଗାଳିବାକୁ ବିଏମ୍‌ସିର ଅଧିକାରୀମାନେ ତତ୍ପରତା ପ୍ରକାଶ କରିଛନ୍ତି। ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନ ସାମ୍ନାରେ କାର୍ଯ୍ୟକ୍ରମ ହୋର୍ଡିଂ ଲଗାଇବାକୁ ବିଏମ୍‌ସି ବାରଣ କରିଛି। ଏ ନେଇ ମଣ୍ଡପ କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ଚିଠି କରିଛି। ସେଠାରେ ହୋର୍ଡିଂ ଲାଗୁଥିବାରୁ ଟ୍ରାଫିକ୍ ସମସ୍ୟା ହେଉଥିବା ଆଳ ଦେଖାଇ ମଣ୍ଡପ ବାହାରେ କିମ୍ବା ପରିସର ଭିତରେ କୌଣସି ପ୍ରକାର ହୋର୍ଡିଂ ନ ଲଗାଇବାକୁ କୁହାଯାଇଛି। ଯେଉଁମାନେ ଲଗାଇବାକୁ ଚାହୁଁଛନ୍ତି ସେମାନେ ବିଏମ୍‌ସିରେ ଆବଶ୍ୟକ ଦେୟ ଦାଖଲ କରି ଅନୁମତି ଆଣିବାକୁ କୁହାଯାଇଛି।

ବିଏମ୍‌ସିର ଚିଠି ମିଳିଲା ପରେ ଆୟୋଜକମାନଙ୍କୁ ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନ କର୍ତ୍ତୃପକ୍ଷ ଜଣାଇଦେଇଛନ୍ତି। ସାଂସ୍କୃତିକ ଅନୁଷ୍ଠାନକୁ ବିଏମ୍‌ସିର ଏପରି ନାଲିଆଖିକୁ ଆୟୋଜକ, କଳାକାର ଓ ସଚେତନ ନାଗରିକମାନେ ନାପସନ୍ଦ କରିଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ଯଦି ହୋର୍ଡିଂ ପାଇଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲା, ତେବେ ତାହାକୁ ବ୍ୟବସ୍ଥିତ କରିବା ପାଇଁ ବିଏମ୍‌ସି କିଛି ବାଟ ବାହାର କରିପାରିଥା’ନ୍ତା। ହୋର୍ଡିଂର ନିର୍ଦ୍ଦିଷ୍ଟ ଆକାର ଓ କାର୍ଯ୍ୟକ୍ରମର କେତେ ଦିନ ଆଗରୁ ଲଗାଯିବ, ତାହାର ଏକ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇପାରନ୍ତା। ସେହି ଅନୁଯାୟୀ ଆୟୋଜକମାନେ ତାହାକୁ ଲଗାନ୍ତେ। କିନ୍ତୁ ସେପରି କିଛି ନ କରି ସମ୍ପୂର୍ଣ ଭାବେ ହୋର୍ଡିଂକୁ ବାରଣ କରିବା ଦ୍ବାରା କାର୍ଯ୍ୟକ୍ରମ ସମ୍ପର୍କରେ ଦର୍ଶକମାନେ ଜାଣିବା କଷ୍ଟକର ହୋଇପଡ଼ିବ। ଏହା ଦ୍ବାରା ରାଜଧାନୀର ସାଂସ୍କୃତିକ ଆନ୍ଦୋଳନ ବାଧାପ୍ରାପ୍ତ ହେବ। ବିଏମ୍‌ସି ଲାଭଖୋର୍ ମନୋବୃତ୍ତି ଛାଡ଼ି କଳା, ସଂସ୍କୃତିର ପୃଷ୍ଠପୋଷକତା କରିବାକୁ ସେମାନେ ଦାବି କରିଛନ୍ତି।

ତେବେ ବିଏମ୍‌ସିର ଏପରି ପଦକ୍ଷେପକୁ ନେଇ ସ୍ବାଭାବିକ ଭାବେ ସାଧାରଣରେ ସନ୍ଦେହ ଉପଜୁଛି। ରାଜଧାନୀର ବହୁ ପ୍ରମୁଖ ରାସ୍ତାରେ ଜବରଦଖଲ କରାଯାଇ ବେପାର ପସରା ମେଲାଯାଇଛି । ବଡ଼ ବଡ଼ ସରକାରୀ କାର୍ଯ୍ୟକ୍ରମର ବେଆଇନ ହୋର୍ଡିଂ ଅତ୍ୟନ୍ତ ଅରୁଚିକର ଭାବେ ସହରର ବିଭିନ୍ନ ସ୍ଥାନରେ ଶୋଭାପାଉଛି। ଅନେକ ବ୍ୟବସାୟିକ ସଂସ୍ଥା ବିନା ଅନୁମତିରେ ମନଇଚ୍ଛା ହୋର୍ଡିଂ ଲଗାଉଛନ୍ତି। ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କାର୍ଡ ସେସବୁ ଦେଖି ନ ଦେଖିଲା ପରି ରହୁଛନ୍ତି। ଏଥିରୁ ବିଏମ୍‌ସି କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ଏପରି କ୍ଷେତ୍ରରେ ସାଂସ୍କୃତିକ ଜଗତରେ ବେଡ଼ି ପକାଇବାକୁ ବିଏମ୍‌ସି କାହିଁକି ଏତେ ତତ୍ପରତା ପ୍ରକାଶ କରୁଛି ତାହା ବୁଝାପଡୁନି।

ଏ ସମ୍ପର୍କରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଜିରୁ ନନ୍ଦନକାନନ ପର୍ଯ୍ୟନ୍ତ ଭୁବନେଶ୍ବରର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତାରେ ଥିବା ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନ ଫାଟକ ସାମ୍ନାରେ ମେଞ୍ଚା ମେଞ୍ଚା ବେଆଇନ ହୋର୍ଡିଂ ଲାଗିବା ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲା। ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର