ହୋଲଡିଂ ଟିକସ ନ ଦେଲେ ଲାଇନ୍, ପାଣି ସଂଯୋଗ କଟାଯିବ

ଭୁବନେଶ୍ବର :ଏଥର ବିଏମ୍‌ସି କର୍ତ୍ତୃପକ୍ଷ କଳ-ବଳ-କୌଶଳ ଲଗାଇ ହୋଲଡିଂ ଟିକସ ଆଦାୟ କରିବାକୁ ଯୋଜନା କରିଛନ୍ତି। ଯେଉଁମାନେ ବର୍ଷ ବର୍ଷ ଧରି ହୋଲଡିଂ ଟିକସ ଦେଉନାହାନ୍ତି, ସେମାନଙ୍କଠାରୁ ହୋଲଡିଂ ଟିକସ ଆଦାୟ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଗୋଟିଏ ପରେ ଗୋଟିଏ ‌ପଦକ୍ଷେପ ନେଉଛନ୍ତି। ଆଜି ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଯେଉଁମାନଙ୍କର ୧୦ ହଜାର ଟଙ୍କାରୁ ଅଧିକ ‌େହାଲଡିଂ ଟିକସ ବାକି ଅଛି, ସେମାନେ ଯଦି ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଟିକସ ପୈଠ ନ କରିବେ, ତେବେ ସେମାନଙ୍କ ଘର/ପ୍ରତିଷ୍ଠାନରୁ ପାଣି ଓ ବିଦ୍ୟୁତ୍‌ ସଂଯୋଗ କଟାଯିବ। ଏନେଇ ପାଣି ଯୋଗାଣ କରୁଥିବା ୱାଟ୍‌କୋ ଏବଂ ବିଦ୍ୟୁତ୍‌ ସଂଯୋଗ ଦେଇଥିବା ସେସୁକୁ ଚିଠି କରାଯିବ।

ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ‌ପ୍ରାୟ ୩୦୦ଜଣ ବଡ଼ ଖିଲାପକାରୀଙ୍କୁ ରେଡ୍‌ ନୋଟିସ୍‌ ଜାରି କରାଯାଇଛି। ସେମାନଙ୍କ ନିକଟକୁ କିନ୍ନରମାନଙ୍କୁ ଟିକସ ଆଦାୟ କରିବାକୁ ପଠାଯାଇଛି। ହେଲେ କିଛି ଲୋକ ବିଏମ୍‌ସି ନୋଟିସ୍‌କୁ ଖାତିର କରୁନାହାନ୍ତି। ଏପରିକି କିଛି ୱାର୍ଡରେ ୱାର୍ଡ ଅଫିସର୍‌ମାନେ ବି ବିଭିନ୍ନ ଧମକ ସତ୍ତ୍ବେ ଟିକସ ଆଦାୟ ହୋଇପାରୁନି। ତେଣୁ ବିଏମ୍‌ସି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଟିକସ ନ ଦେଲେ, ସେମାନଙ୍କ ଘରୁ ପାଣି ଓ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯିବ। ଏହାସହ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ସିଲ୍‌ କରି ଦିଆଯିବ।

ସେହିପରି ରାଜଧାନୀରେ ବହୁ ଘରୋଇ ସ୍କୁଲ, କଲେଜ, ନର୍ସିଂହୋମ୍, ଲଜ୍, ହୋଟେଲ, ବ୍ୟାଙ୍କ ଆଦି ଖୋଲିଥିଲେ ହେଁ ସେମାନେ ଟିକସ ଫାଙ୍କୁଛନ୍ତି। ବିଶେଷକରି ରାଜଧାନୀରେ ଛତୁ ଫୁଟିଲା ଭଳି ସ୍କୁଲ ଖୋଲୁଥିଲେ ହେଁ ଅଧାରୁ ଅଧିକ ହୋଲଡିଂ ଟିକସ ଦେଉନାହାନ୍ତି। ଯେଉଁମାନେ ଶିକ୍ଷା ନାମରେ ବ୍ୟବସାୟ କରୁଛନ୍ତି, ସେମାନେ ବିଏମ୍‌ସିକୁ ହୋଲଡିଂ ଟିକସ ଦେବାକୁ ବାଧ୍ୟ। ଯଦି ବିଏମ୍‌ସି ସରକାରୀ କାର୍ଯ୍ୟାଳୟରୁ ହୋଲଡିଂ ଟିକସ ଆଦାୟ କରୁଛି, ତେବେ କାହିଁକି ଘରୋଇ ପ୍ରତିଷ୍ଠାନରୁ ହୋଲଡିଂ ଟିକସ ଆଦାୟ କରିବନି। ବିଏମ୍‌ସି ଅଞ୍ଚଳରେ ଯେଉଁମାନେ ଘର ନିର୍ମାଣ କରିବେ ସେମାନେ ହୋଲଡିଂ ଟିକସ ଦେବାକୁ ବାଧ୍ୟ। ହୋଲଡିଂ ଟିକସ ନଦେଲେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ-୧୯୬୨ ଅନୁଯାୟୀ ଟିକସ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋନାଲ ଡେପୁଟି କମିସନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର