ଟିକସ ଆଦାୟ ଲକ୍ଷ୍ୟ ପୂରଣ ନ କଲେ ଜିଲ୍ଲା ପାର୍ ବଦଳି : ହୋଲଡିଂ ଟିକସ ଟାର୍ଗେଟ୍ ୬୦କୋଟି, ଆଦାୟ ୧୬କୋଟି

ଭୁବନେଶ୍ବର : ଯେଉଁ ୱାର୍ଡ ଅଫିସର ତଥା ଟିକସ ଆଦାୟକାରୀ ଟାର୍ଗେଟ୍ (ଚଳିତ ଆର୍ଥିକ ବର୍ଷରେ ସେମାନଙ୍କୁ ଦିଆଯାଇଥିବା) ଅନୁଯାୟୀ ଟିକସ ଆଦାୟ ନ କରିବେ ସେମାନଙ୍କୁ ଜିଲ୍ଲା ପାର୍ ବଦଳି କରାଯିବ। ଏହିଭଳି ଏକ କଠୋର ନିଷ୍ପତ୍ତି ବିଏମ୍‌ସି କର୍ତ୍ତୃପକ୍ଷ ନେଇଛନ୍ତି।

ଏବେ ସମସ୍ତ ପୌରାଞ୍ଚଳ ମଧ୍ୟରେ ଟିକସ ଆଦାୟ ନେଇ ମ୍ୟୁନିସିପାଲ୍ ପ୍ରମିୟର ଲିଗ୍ ଚାଲିଥିବା ବେଳେ ବିଏମ୍‌ସି ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୧୧୪ଟି ପୌରାଞ୍ଚଳ ମଧ୍ୟରେ ବିଏମ୍‌ସି ସବୁଠୁ ଅଧିକ ଟିକସ ଆଦାୟ କରେ। ହେଲେ ଟିକସ ଆଦାୟକାରୀଙ୍କୁ ଯେତିକି ଟାର୍ଗେଟ୍ ଦିଆଯାଏ ତାହା ଅଧିକାଂଶ ସମୟରେ ହାସଲ ହୁଏନି। କେତେକ ସ୍ଥାନରେ ଟିକସ ଆଦାୟକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସଂସ୍ଥାରୁ ଓ ଘରୁ ଟିକସ ଆଦାୟ କରନ୍ତିନି। କିନ୍ତୁ ଏଥର ତାହା ଚଳିବନି। ସମସ୍ତଙ୍କୁ ଯେତିକି ଟାର୍ଗେଟ୍ ଦିଆଯାଇଛି ତାହାକୁ ପୂରଣ କରିବାକୁ ହେବ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ବିଏମ୍‌ସି କେବଳ ହୋଲଡିଂ ଟିକସ ବାବଦକୁ ୬୦କୋଟି ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୬କୋଟି ରାଜସ୍ବ ଆଦାୟ ହୋଇଛି। ଆଉ ଦୁଇମାସରେ ୪୪କୋଟି ଆଦାୟ କରିବାକୁ ପଡ଼ିବ। ଟିକସ ଆଦାୟକାରୀଙ୍କୁ ସାହାଯ୍ୟ କରିବାକୁ ସ୍ବୟଂସହାୟିକା ଗୋଷ୍ଠୀ ଓ କିନ୍ନରମାନଙ୍କୁ ନିୟୋଜିତ କରାଯିବ। ତେଣୁ ଏଥର ୬୦କୋଟିର ଟାର୍ଗେଟ୍‌ ପୂରଣ ନ ହେଲେ ୱାର୍ଡ ଅଫିସର ତଥା ଟିକସଆଦାୟକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅପରପକ୍ଷେ ଏବେ ୱାର୍ଡ ଅଫିସର ତଥା ଟିକସ ଆଦାୟକାରୀମାନେ ମ୍ୟୁନିସିପାଲ କ୍ୟାଡରରେ ଥିବାରୁ ସେମାନେ ଯେଉଁ ପୌରାଞ୍ଚଳରେ ନିଯୁକ୍ତି ପାଉଛନ୍ତି ସେହିଠାରେ ହିଁ ଅବସର ପର୍ଯ୍ୟନ୍ତ ରହୁଛନ୍ତି। ପଦୋନ୍ନତି ବି ମିଳୁନି। ତେଣୁ ସେମାନେ ଅର୍ବାନ୍ କ୍ୟାଡରକୁ ଆସିବାକୁ ବହୁ ଦିନରୁ ଦାବି କରି ଆସୁଛନ୍ତି। ସେମାନଙ୍କର ଦାବି ଖୁବ୍ ଶୀଘ୍ର ପୂରଣ ହେବ ବୋଲି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି। ୱାର୍ଡ ଅଫିସର ତଥା ଟିକସ ଆଦାୟକାରୀଙ୍କୁ ଚଳିତ ମାସରେ ଅର୍ବାନ୍ କ୍ୟାଡରକୁ ଅଣାଯିବ। ଆଉ ଅର୍ବାନ୍ କ୍ୟାଡରକୁ ଆସିଲେ ଅନ୍ୟ ପୌରସଂସ୍ଥାକୁ ବଦଳି କରିବାରେ କିଛି ଅସୁବିଧା ହେବନି। ଏପରିକି ଯେଉଁମାନେ ଟିକସ ଆଦାୟରେ ଟାର୍ଗେଟ୍‌ ପୂରଣ କରିବେ ସେମାନଙ୍କୁ ପଦୋନ୍ନତି ମଧ୍ୟ ଦିଆଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ଏବେ କିଛି ୱାର୍ଡ ଅଫିସର ଭଲ କାମ ନ କଲେ ସେମାନଙ୍କୁ ବିଏମ୍‌ସି ଭିତରେ ବିଭିନ୍ନ ୱାର୍ଡକୁ ବଦଳି କରାଯାଉଛି କିମ୍ବା କାର୍ଯ୍ୟାଳୟରେ ଅନ୍ୟ ଦାୟିତ୍ବ ଦିଆଯାଉଛି। କିନ୍ତୁ ଏବେ ଟାର୍ଗେଟ୍ ଟିକସ ଆଦାୟ ନ କଲେ ସେମାନଙ୍କୁ ଜିଲ୍ଲା ପାର୍ ବଦଳି କରାଯିବ। ଯେଉଁମାନେ ଅନ୍ୟ ପୌରସଂସ୍ଥାରେ ଭଲ ଟିକସ ଆଦାୟ କରିଥିବେ ସେମାନଙ୍କୁ ବିଏମ୍‌ସିକୁ ଅଣାଯିବ।

ସମ୍ବନ୍ଧିତ ଖବର