ହୋଲଡିଂ ଟିକସ ନଦେବା ମହଙ୍ଗା ପଡ଼ିବ : ୧୮ଜଣଙ୍କର ଲାଇନ୍, ପାଣି ସଂଯୋଗ କଟିବ

ସେସୁ ଓ ୱାଟ୍‌କୋକୁ ଚିଠି ଲେଖିଲା ବିଏମ୍‌ସି

ଭୁବନେଶ୍ବର : ବାରମ୍ବାର ନୋଟିସ୍ ଦେବା ସତ୍ତ୍ବେ ବି ହୋଲଡିଂ ଟିକସ ଦେଉନଥିବା ୧୩ଜଣଙ୍କ ଘରୁ ଏବଂ ୫ଟି ସଂସ୍ଥାର ପାଣି ଓ ବିଦ୍ୟୁତ ସଂଯୋଗ କଟାଯିବ। ଆଜି ଏନେଇ ବିଏମ୍‌ସି ଉତ୍ତର ଜୋନ୍ ଡେପୁଟି କମିସନର ସେସୁର ନୂଆପଲ୍ଲୀ ଓ ରସୁଲଗଡ଼ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଏବଂ ୱାଟ୍‌କୋ ଡିଭିଜନ-୧ର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି।

ଏହି ୧୮ଜଣଙ୍କର ୧କୋଟି ୮୩ଲକ୍ଷ ୯୪ହଜାର ୩୧୭ଟଙ୍କା ହୋଲଡିଂ ଟିକସ ବାକି ଅଛି। ପୂର୍ବରୁ ୧କୋଟି ୫୪ଲକ୍ଷ ୮୧ହଜାର ୯୧୧ଟଙ୍କା ବାକି ଥିବା ବେଳେ ଚଳିତ ବର୍ଷର ୨୯ଲକ୍ଷ ୧୨ହଜାର ୪୦୬ଟଙ୍କା ବାକି ଅଛି। ଏହି ୧୮ଜଣଙ୍କୁ ବିଏମ୍‌ସି ପକ୍ଷରୁ ବାରମ୍ବାର ନୋଟିସ୍‌ ଦିଆଯିବା ସହ କିନ୍ନରମାନଙ୍କୁ ବକେୟା ଟିକସ ଆଦାୟ ପାଇଁ ପଠାଯାଇଥିଲା। ଏପରିକି ୱାର୍ଡ ଅଫିସରମାନେ ଟିକସ ଖିଲାପକାରୀଙ୍କ ପାଖକୁ ଯାଇଥିଲେ ହେଁ ସେମାନେ ହୋଲଡିଂ ଟିକସ ଦେଇନାହାନ୍ତି। ତେଣୁ ପୂର୍ବ ଘୋଷଣା ଅନୁଯାୟୀ, ସେମାନଙ୍କ ଘରୁ ପାଣି ଓ ବିଦ୍ୟୁତ୍‌ ସଂଯୋଗ କାଟିବାକୁ ନିଷ୍ପତ୍ତି ହୋଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କର ୩୪,୪୬୮ଟଙ୍କା, ବଳରାମ ସ୍ବାଇଁଙ୍କର ୩ଲକ୍ଷ ୨୫ହଜାର ୩୨୬ଟଙ୍କା, ବିଶ୍ବଜିତ ପଟ୍ଟନାୟକଙ୍କର ୨ଲକ୍ଷ ୬୭ହଜାର ୨୮୮ଟଙ୍କା, ଏସ୍‌.ପଶୁପତି ପ୍ରାଇଭେଟ ଲିମିଟେଡ୍‌ ନାମରେ ୧ଲକ୍ଷ ୧୬ହଜାର ୯୩୯ଟଙ୍କା, ସାରଳା ଗୋସ୍ବାମୀଙ୍କର ୬,୬୮,୭୫୨ଟଙ୍କା, କ୍ଷିରୋଦ କୁମାର ସାହୁଙ୍କର ୩,୦୮,୪୬୮ଟଙ୍କା, ବିନୋଦ କୁମାର ସାହୁଙ୍କର ୨,୫୭,୫୬୮ଟଙ୍କା, ଜୟନ୍ତୀ ସାହୁଙ୍କର ୨,୫୪,୧୯୦ଟଙ୍କା, ଦ୍ବିଜବର ସାହୁଙ୍କର ୧,୧୯,୩୩୦ଟଙ୍କା, ବିଭୂତି ଭୂଷଣ କର ଗ୍ରିନ୍ ଫିଲ୍ଡ ହୋଟେଲ ନାମରେ ୯,୭୯,୬୬୮ଟଙ୍କା, ରାଧା ଦେବୀଙ୍କର ୨,୦୫,୪୦୫ଟଙ୍କା, ଚନ୍ଦନ ମହାନ୍ତିଙ୍କର ୧,୩୦,୩୦୦ଟଙ୍କା, ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟର ୫୪ଲକ୍ଷ ୫ହଜାର ୮ଟଙ୍କା, ଭୁବନେଶ୍ବର ଷ୍ଟକ୍ ଏକ୍ସଚେଞ୍ଜ୍ ଲିମିଟେଡର ୪୨ଲକ୍ଷ ୯୫ହଜାର ୯୫ଟଙ୍କା, ପୁରୁଷୋତ୍ତମ ବୁଢ଼ାରାଜ ନାରାୟଣୀ ମୋଟରର ୨୪ଲକ୍ଷ ୫୫ହଜାର ଟଙ୍କା, ଶାନ୍ତି ସ୍ବରୂପ ରଥଙ୍କର ୯ଲକ୍ଷ ୧୩ହଜାର ୫୨୪ଟଙ୍କା, ସୁରମା ପାଇକରାୟଙ୍କର ୪,୯୦,୧୪୮ଟଙ୍କା, ଅର୍ଣ୍ଣପୂର୍ଣ୍ଣା ଜେନାଙ୍କର ୧୧ଲ୪ ୬୭ହଜାର ୮୪୦ଟଙ୍କା‌ ବାକି ଅଛି। ଏହି ଲୋକମାନଙ୍କର ଠିକଣା ଏବଂ ସବିଶେଷ ତଥ୍ୟ ୱାଟ୍‌କୋ ଓ ସେସୁକୁ ଦିଆଯାଇଛି। ସେମାନେ ଉକ୍ତ ଘରକୁ ଯାଇ ପାଣି ଓ ବିଦ୍ୟୁତ ସଂଯୋଗ କାଟିବେ। ଯଦି କେହି ହୋଲଡିଂ ଟିକସ ଦେଇଥିବାର ରସିଦ୍‌ ଦେଖାଇ‌ବେ, ତେବେ ୱାଟ୍‌କୋ ଓ ସେସୁ ଅଧିକାରୀ ୯୪୩୭୪୬୫୪୯୭କୁ ଫୋନ୍‌ କରି ଏନେଇ ସବିଶେଷ ସୂଚନା ଦେବେ। ତା’ପରେ ସଂଯୋଗ କାଟିବା ନେଇ ନିଷ୍ପତ୍ତି ନେବେ।

କିନ୍ନର ଆଦାୟ କଲେଣି ଦେଢ଼ କୋଟି ‌ଟିକସ
ଭୁବନେଶ୍ବର : ହୋଲଡିଂ ଟିକସ ଖିଲାପକାରୀଙ୍କଠାରୁ ଟିକସ ଆଦାୟ ନେଇ ବିଏମ୍‌ସି କର୍ତ୍ତୃପକ୍ଷ କିନ୍ନରମାନଙ୍କୁ ନିୟୋଜିତ କରିବା ସଫଳ ହେଉଛି। ମାସକ ମଧ୍ୟରେ କିନ୍ନରମାନେ ‌୧କୋଟି ୫୨ଲକ୍ଷ ୭ହଜାର ୯୪୭ଟଙ୍କା ଆଦାୟ କରିସାରିଲେଣି। ଏପରିକି ଆଜି ଗୋଟିଏ ଦିନରେ ଟିଜି ସ୍ବୀକୃତି ସ୍ବୟଂ ସହାୟିକା ଗୋଷ୍ଠୀ ୫୦ଲକ୍ଷ ଟଙ୍କା ବକେୟା ହୋଲଡିଂ ଟିକସ ଆଦାୟ କରିଛି।

ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିଜି ସ୍ୱୀକୃତି ଗ୍ରୁପ୍‌ର ସଦସ୍ୟାମାନେ ଉତ୍ତର ଜୋନ୍‌, ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ଜୋନ୍‌ର ୱାର୍ଡ ନଂ-୪, ୮,୧୬,୨୨,୨୮,୩୦,୩୧, ୩୩,୩୫,୩୬, ୩୭,୩୮,୪୦,୪୧,୪୨,୪୩,୪୫,୪୬,୪୯,୫୩ , ୫୫, ୫୬, ୬୨, ୨୪,୫୮, ୫୯, ୬୧,୬୭, ରେ ୧୨୫ ଜଣ ଘର ମାଲିକଙ୍କଠାରୁ ବକେୟା ଟିକସ ଆଦାୟ କରିଛନ୍ତି। ଅପରପକ୍ଷେ ବିଏମ୍‌ସିର ହୋଲଡିଂ ଟିକସ ବାବଦକୁ ୧୧ କୋଟି ଟଙ୍କା ବକେୟା ପଡ଼ିଥିବା ବେଳେ ସବୁ ଟଙ୍କା ଆଦାୟ କରିବାକୁ କିନ୍ନରମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର