ହୋଲ୍‌ଡିଂ ଟିକସ ଆଦାୟ ଉପରେ ରୋକ୍‌, ବିଏମ୍‌ସିକୁ ଝଟ୍‌କା

ଭୁବନେଶ୍ବର : ବିଏମ୍‌ସି ଏବେ ନୂଆ ନିୟମରେ ହୋଲ୍‌ଡିଂ ଟିକସ ଆଦାୟ କରୁଥିବାବେଳେ ଏହା ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଫଳରେ ବିଏମ୍‌ସି ଚଳିତ ଆର୍ଥିକ ବର୍ଷରେ ୧୫୭କୋଟି ହୋଲ୍‌ଡିଂ ଟିକସ ଆଦାୟ ନେଇ ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ତାହା ଉପରେ ପ୍ରତିବନ୍ଧକ ଲାଗିଯାଇଛି।

ବିଏମ୍‌ସି ଜମିର ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟ ଉପରେ ହୋଲ୍‌ଡିଂ ଟିକସ ଆଦାୟ କରୁଥିବାରୁ ଏହାକୁ ଚାଲେଞ୍ଜ୍‌ କରି କନଫେଡେରେସନ୍ ଅଫ୍ ସିଟିଜେନ୍‌ସ ଆସୋସିଏସନ୍, ଭୁବନେଶ୍ବର ପକ୍ଷରୁ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଥିଲା। ଜୁନ୍‌ ୧୩ରେ ଏହାର ଶୁଣାଣି କରି ହାଇକୋର୍ଟ ନୂଆ ନିୟମରେ ହୋଲ୍‌ଡିଂ ଟିକସ ଆଦାୟ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ବିଏମ୍‌ସି ଚଳିତ ଆର୍ଥିକ ବର୍ଷରେ ୧୫୭କୋଟି ହୋଲ୍‌ଡିଂ ଟିକସ ଆଦାୟ କରିବା ନେଇ ଯେଉଁ ଯୋଜନା କରିଥିଲା ତାହା ଫସର ଫାଟି ଯାଇଛି।

ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ କରୋନା କଟକଣା ସତ୍ତ୍ବେ ବିଏମ୍‌ସି ଗତ ଆର୍ଥିକ ବର୍ଷରେ ୪୩କୋଟି ଟଙ୍କା ହୋଲ୍‌ଡିଂ ଟିକସ ଆଦା‌ୟ କରିଥିଲା। ନୂଆ ନିୟମ ଓ ପୂର୍ବ ବକେୟା ଅନୁଯାୟୀ ବିଏମ୍‌ସି ଆହୁରି ୮୭କୋଟି ପାଇବାର ଥିଲା। ତେଣୁ ଗତ ବର୍ଷର ବକେୟା ୮୭କୋଟି ଓ ଚଳିତ ଆର୍ଥିକ ବର୍ଷର ୭୦କୋଟିକୁ ମିଶାଇ ବିଏମ୍‌ସି ୧୫୭ କୋଟିର ହୋଲ୍‌ଡିଂ ଟିକସ ଆଦାୟ ଟାର୍ଗେଟ୍‌ ରଖିଛି। କିନ୍ତୁ ଏହି ସମୟରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଥିବାରୁ ବିଏମ୍‌ସି ଏନେଇ ଖୁବ୍‌ ଶୀଘ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପ୍ରସ୍ତୁତି କରିଛି।

କନଫେଡେରେସନ୍ ଅଫ୍ ସିଟିଜେନ୍‌ସ ଆସୋସିଏସନ୍ ପକ୍ଷରୁ ମାମଲା ଲଢ଼ିଥିବା ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ବିଏମ୍‌ସି ହଠାତ୍‌ ଜମିର ବର୍ତ୍ତମାନର ‌େବଞ୍ଚମାର୍କ ମୂଲ୍ୟକୁ ନେଇ ହୋଲ୍‌ଡିଂ ଟିକସ ଆଦାୟ କରୁଥିଲେ ହେଁ ଏନେଇ ମ୍ୟୁନିସପାଲ କର୍ପୋରେସନ ଆକ୍ଟରେ କିଛି ସଂଶୋଧନ ଆଣିନି। ଏପରିକି ନୂଆ ନିୟମରେ ଟିକସ ଆଦାୟ ହେବାକୁ ଥିଲେ ହେଁ ଏନେଇ କୌଣସି କମିଟି ଗଠନ କରିନି, ଟିକସ ମୂଲ୍ୟାୟନ ହୋଇନାହିଁ। ନିଜର ରାଜସ୍ବ ବଢ଼ାଇବା ପାଇଁ ବିଏମ୍‌ସି ମନଇଚ୍ଛା ନିୟମ ବଦଳାଇ ଦେଲା। ଏପରିକି ୨୦୧୧ରେ ବିଏମ୍‌ସି ଏହିଭଳି ପଦକ୍ଷେପ ନେଇଥିବାବେଳେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଥିଲେ। କିନ୍ତୁ ଏବେ ପୁଣି ସେହି ତ୍ରୁଟି ଦୋହରାଇବାରୁ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି।

ଅପରପକ୍ଷେ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବିଏମ୍‌ସିର ହୋଲଡିଂ ଟିକସ ନିୟମ ଅନୁଯାୟୀ, ଘର ଯେତିକି ଅଞ୍ଚଳ (ବର୍ଗମିଟର)ରେ ନିର୍ମାଣ ହୋଇଥିବ ସେଥିରେ ୧୩.୬୫ଟଙ୍କା ଗୁଣି ହିସାବ ହେବ। ଏଥିରୁ ୧୫% ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ କଟିବ। ପୁଣି ଏଥିରେ ହୋଲ୍‌ଡିଂ ଟିକସ ଆଦାୟ ହେଉଥିବା ଜମିର ବେଞ୍ଚ ମାର୍କ ମୂଲ୍ୟର ୦.୫% ମିଶାଯିବ। ଯେତିକି ‌ଟଙ୍କା ହେବ ତାହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଏହି ମୂଲ୍ୟର ୧୭.୫% ଜଣେ ବର୍ଷକୁ ହୋଲ୍‌ଡିଂ ଟିକସ ବାବଦକୁ ଦେଉଛନ୍ତି। ଏହି ନିୟମ ଥିଲେ ହେଁ ବିଏମ୍‌ସି ୧୯୯୮ ମସିହାର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ହୋଲ୍‌ଡିଂ ଟିକସ ଆଦାୟ କରୁଥିଲା। ଗତ ଅକ୍ଟୋବରରେ ଏନେଇ ସଂଶୋଧନ ହୋଇଥିଲା। ୨୨ ବର୍ଷ ହେଲା ଯେଉଁ ନିୟମ ବଦଳିନଥିଲା ତାହାକୁ ବଦଳାଯାଇଥିଲା। ଏହା ମଧ୍ୟରେ ଜମିର ବେଞ୍ଚମାର୍କ ମୂଲ୍ୟ ବହୁଗୁଣା ବଢ଼ି ଯାଇଥିଲେ ହେଁ ବିଏମ୍‌ସି ସଂଶୋଧନ ଆଣିପାରିନଥିଲା। ତେଣୁ ଏବେ ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଆମେ ହୋଲ୍‌ଡିଂ ଟିକସ ଆଦାୟ କରୁଛୁ। ଆମେ କୌଣସି ନୂଆ ନିୟମ କରିନୁ। ଯାହା ନିୟମ ଅଛି ସେହି ଅନୁଯାୟୀ ଟିକସ ଆଦାୟ କରୁଛୁ।

ହାଇକୋର୍ଟଙ୍କ ସ୍ଥଗିତାଦେଶକୁ ଉଠାଇବା ପାଇଁ ଆମେ ଖୁବ୍‌ ଶୀଘ୍ର ଆବେଦନ କରିବୁ। ଆମେ କୌଣସି ପ୍ରକାରର ବେଆଇନ ଭାବେ ପଦକ୍ଷେପ ନେଇନୁ। ତେଣୁ ଆମେ ଯାହା ନିଷ୍ପତ୍ତି ନେଇଛୁ ତାହାକୁ ହାଇକୋର୍ଟ ନିଶ୍ଚିତ ବିଚାର କରିବେ। ହାଇକୋର୍ଟ ସ୍ଥଗିତାଦେଶ ନଉଠାଇବା ପର୍ଯ୍ୟନ୍ତ ପୂର୍ବଭଳି ୧୯୯୮ ମସିହାର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଟିକସ ଆଦାୟ କରିବୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ୫ବର୍ଷ ତଳେ ବିଏମ୍‌ସି ଲାଗୁ କରିଥିବା ୟୁଜର୍ସ ଚାର୍ଜକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର ହେବା ପରେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କିନ୍ତୁ ବିଏମ୍‌ସି ଏହା ଉପରେ ନିଜର ମତ ରଖିବାକୁ ୪ବର୍ଷ ସମୟ ନେବାରୁ ଆଜି ଯାଏ ଏହାର ଶୁଣାଣି ହୋଇପାରିଲାନି। ବିଏମ୍‌ସି ଏବାବଦକୁ ବର୍ଷକୁ ପ୍ରାୟ ୧୦କୋଟି ରାଜସ୍ବ ହରାଉଛି। ଏବେ ହୋଲ୍‌ଡିଂ ଟିକସ ଆଦାୟ ଉପରେ ରୋକ୍‌ ଲାଗି ଯାଇଥିବାରୁ ବିଏମ୍‌ସିର ଅର୍ଥନୀତି ଭୁଶୁଡ଼ିବା ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର