ଭୁବନେଶ୍ବର: ହାଇକୋର୍ଟ ବିଏମ୍ସିର ହୋଲ୍ଡିଂ ଟିକସ ଆଦାୟ ଉପରେ ରୋକ୍ ଲଗାଇଥିଲେ ହେଁ ଏବେ ବିଏମ୍ସି କର୍ତ୍ତୃପକ୍ଷ ଅନଲାଇନ୍ରେ ହୋଲ୍ଡିଂ ଟିକସ ଆଦାୟ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ଭୁବନେଶ୍ବର ନାଗରିକ ମହାସଂଘ ପକ୍ଷରୁ କୁହାଯାଇଛି ଯେ, କୋର୍ଟରେ ମାମଲା ବିଚାରାଧୀନ ଥିଲେ ହେଁ ବିଏମ୍ସି କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅନଲାଇନ୍ରେ ହୋଲ୍ଡିଂ ଟିକସ ପଇଠ କରିବାକୁ କହୁଛନ୍ତି।
ବିଏମ୍ସି କର୍ତ୍ତୃପକ୍ଷ ହାଇକୋର୍ଟରେ ସେମାନଙ୍କ ପକ୍ଷ ନରଖି ଲୋକଙ୍କୁ ଶୋଷଣ କରୁଛନ୍ତି। ବିଏମ୍ସି ହଠାତ୍ ଜମିର ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟକୁ ନେଇ ହୋଲ୍ଡିଂ ଟିକସ ଆଦାୟ କରୁଥିଲେ ହେଁ ଏନେଇ ମ୍ୟୁନିସପାଲ କର୍ପୋରେସନ ଆକ୍ଟରେ କିଛି ସଂଶୋଧନ ଆଣିନି। ଏପରିକି ନୂଆ ନିୟମରେ ଟିକସ ଆଦାୟ କରୁଥିଲେ ହେଁ ଏନେଇ କୌଣସି କମିଟି ଗଠନ କରିନି, ଟିକସ ମୂଲ୍ୟାୟନ ବି ହୋଇନାହିଁ। ନିଜର ରାଜସ୍ବ ବଢ଼ାଇବା ପାଇଁ ବିଏମ୍ସି ମନଇଚ୍ଛା ନିୟମ ବଦଳାଇ ଦେଇଛି। ଏପରିକି ୨୦୧୧ରେ ବିଏମ୍ସି ଏହିଭଳି ପଦକ୍ଷେପ ନେଇଥିବାବେଳେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଥିଲେ। କିନ୍ତୁ ଏବେ ପୁଣି ସେହି ତ୍ରୁଟି ଦୋହରାଇବାରୁ ଜୁନ୍ ୧୦, ୨୦୨୦ରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି। ହେଲେ ବିଏମ୍ସି କର୍ତ୍ତୃପକ୍ଷ ଏହାକୁ ମାନୁନାହାନ୍ତି।
ଅପରପକ୍ଷେ ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ବିଏମ୍ସିର ହୋଲ୍ଡିଂ ଟିକସ ନିୟମ ଅନୁଯାୟୀ, ଘର ଯେତିକି ଅଞ୍ଚଳ (ବର୍ଗମିଟର) ରେ ନିର୍ମାଣ ହୋଇଥିବ ସେଥିରେ ୧୩.୬୫ଟଙ୍କା ଗୁଣି ହିସାବ ହେବ। ଏଥିରୁ ୧୫% ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ କଟିବ। ପୁଣି ଏଥିରେ ହୋଲ୍ଡିଂ ଟିକସ ଆଦାୟ ହେଉଥିବା ଜମିର ବେଞ୍ଚ ମାର୍କ ମୂଲ୍ୟର ୦.୫% ମିଶାଯିବ। ଯେତିକି ଟଙ୍କା ହେବ ତାହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଏହି ମୂଲ୍ୟର ୧୭.୫% ଜଣେ ବର୍ଷକୁ ହୋଲ୍ଡିଂ ଟିକସ ବାବଦକୁ ଦେଉଛନ୍ତି। ଏହି ନିୟମ ଥିଲେ ହେଁ ବିଏମ୍ସି ୧୯୯୮ ମସିହାର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ହୋଲ୍ଡିଂ ଟିକସ ଆଦାୟ କରୁଥିଲା। ଗତ ଅକ୍ଟୋବରରେ ଏନେଇ ସଂଶୋଧନ ହୋଇଥିଲା। ୨୨ ବର୍ଷ ହେଲା ଯେଉଁ ନିୟମ ବଦଳିନଥିଲା ତାହାକୁ ବଦଳାଯାଇଥିଲା। ଏହା ମଧ୍ୟରେ ଜମିର ବେଞ୍ଚମାର୍କ ମୂଲ୍ୟ ବହୁଗୁଣା ବଢ଼ି ଯାଇଥିଲେ ହେଁ ବିଏମ୍ସି ସଂଶୋଧନ ଆଣିପାରିନଥିଲା। ତେଣୁ ଏବେ ବର୍ତ୍ତମାନର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଆମେ ହୋଲ୍ଡିଂ ଟିକସ ଆଦାୟ କରୁଛୁ। ଆମେ କୌଣସି ନୂଆ ନିୟମ କରିନୁ। ଯାହା ନିୟମ ଅଛି ସେହି ଅନୁଯାୟୀ ଟିକସ ଆଦାୟ କରୁଛୁ।