ବିଏମ୍‌ସି ହୋଲ୍ଡିଂ ଟିକସ ଆଦାୟ ବେଆଇନ: ଭୁବନେଶ୍ବର ଜିଲ୍ଲା କଂଗ୍ରେସ

୯, ୧୦ ଓ ୧୨ରେ ଡେପୁଟି କମିସନରଙ୍କ ଅଫିସ ଆଗରେ ଧାରଣା, ୧୫ ତାରିଖରେ ବିଏମ୍‌ସି ଅଫିସ ଘେରାଉ କରିବ ଦଳ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସହରାଞ୍ଚଳରେ ବସବାସ କରୁଥିବା ଘର ମାଲିକମାନଙ୍କ ପାଖରୁ ଯେପରି ହୋଲ୍ଡିଂ ଟିକସ ଆଦାୟ କରୁଛି, ତାହା ସମ୍ପୂର୍ଣ୍ଣ ଭାବେ ବେଆଇନ। ଏହା ବିଏମ୍‌ସିର ଅଧିକାରୀମାନଙ୍କ ସ୍ବେଚ୍ଛାଚାରୀ ନିଷ୍ପତ୍ତି। ଏପରି ନିଷ୍ପତ୍ତି ଓଡ଼ିଶା ମ୍ୟୁନିସିପାଲ୍‌ ଆଇନ ୨୦୦୩ର ପରିପନ୍ଥୀ। ଆଜି କଂଗ୍ରେସ ଭବନରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛନ୍ତି ଦଳୀୟ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କରୋନା ପ୍ରଭାବରେ ଲୋକମାନଙ୍କର ଆୟ କମିଥିବା ବେଳେ ଏବେ ଭୁବନେଶ୍ବର ବାସିନ୍ଦାଙ୍କଠାରୁ ବେଆଇନ ଭାବରେ ଯେପରି ହୋଲ୍ଡିଂ ଟିକସ ଆଦାୟ କରାଯାଉଛି, ତାହା ସମ୍ପୂର୍ଣ୍ଣ ଅନ୍ୟାୟ। ଏହା ବିରୋଧରେ ଆସନ୍ତା ୧୫ ତାରିଖରେ ରାଜ୍ୟ କଂଗ୍ରେସ ବିଏମ୍‌ସି ଅଫିସ୍‌ ଘେରାଉ କରିବ। ଦରକାର ପଡ଼ିଲେ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଘର ବାହାରକୁ ଯିବାକୁ ଦିଆଯିବନି ବୋଲି ସେ ଚେତାବନୀ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଏହି ଟିକସ ଆଦୟ ଆଇନସମ୍ମତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏପରି ଟିକସ ପୈଠ ନ କରିବାକୁ ସହରବାସୀଙ୍କୁ ଦଳ ନିବେଦନ କରିଛି।

ଶ୍ରୀ କାନୁନ୍‌ଗୋ କହିଥିଲେ, ପୂର୍ବରୁ ବିଏମ୍‌ସି ହୋଲ୍ଡିଂ ଟିକସ ଆଦାୟ କରୁଥିଲା। ଏବେ ସେଥିରେ ୧୦ରୁ ୨୦ଗୁଣା ବୃଦ୍ଧି କରାଯାଇଛି। ଏଭଳି ବୃଦ୍ଧି ଘଟିବାର କାରଣ ହେଉଛି, କିଛି ଅଣଓଡ଼ିଆ ସରକାରୀ ବାବୁମାନେ ଆଇନକୁ କଣଠେସା କରି ଏପରି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆଇନ ୨୦୦୩ ଅନୁଯାୟୀ ଟିକସ ଆଦାୟ ପାଇଁ ସେହି ଅଞ୍ଚଳର ୟୁନିଟ୍‌ ଭାଲ୍ୟୁକୁ ହିସାବକୁ ନିଆଯାଇଥାଏ। କିନ୍ତୁ ଏହି ନିୟମକୁ ଅଣଦେଖା କରି ସହରର ବିଭିନ୍ନ ଅଞ୍ଚଳ ପାଇଁ ଧାର୍ଯ୍ୟ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ହୋଲ୍ଡିଂ ଟିକସ ଆଦାୟ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ବିଏମ୍‌ସିର ଏପରି ଅନ୍ୟାୟ ବିରୋଧରେ ଦଳ ଜୋରଦାର ସ୍ବର ଉଠାଇବ। ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଥିଲେ, ସମସ୍ତ ଆଇନକୁ ଉଲଂଘନ କରି ଲୋକଙ୍କ ଉପରେ ଜବରଦସ୍ତି କର ଆଦାୟ କରିବା ଏ ସରକାରଙ୍କ ପ୍ରଥମ ଓ ମୁଖ୍ୟ କାମ ହୋଇଛି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାସ କହିଥିଲେ, ବେଆଇନ ହୋଲ୍ଡିଂ ଟିକସ ଆଦାୟ ନେଇ ଓଡ଼ିଶା ହାଇକୋର୍ଟରେ ବହୁ ମାମଲା ଦାୟର ହୋଇଛି। ଯେ ପର୍ଯ୍ୟନ୍ତ ହାଇକୋର୍ଟ ଏହି ମାମଲାଗୁଡ଼ିକରେ ନିଷ୍ପତ୍ତି ଶୁଣାଇ ନାହାନ୍ତି, ସେ ପର୍ଯ୍ୟନ୍ତ ଭୁବନେଶ୍ବର ସହରର ଜମି ମାଲିକମାନେ ହୋଲ୍ଡିଂ ଟିକସ ନ ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ଏ ନେଇ ଆସନ୍ତା ୯ ତାରିଖରେ ଭୁବନେଶ୍ବର (ମଧ୍ୟ) ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ନେତୃବର୍ଗ ବିଏମ୍‌ସି ଡେପୁଟି କମିସନରଙ୍କ ଅଫିସ ଆଗରେ ବିକ୍ଷୋଭ କରିବେ। ପରେ ୧୦ ତାରିଖ ଦିନ ଉତ୍ତର ନିର୍ବାଚନମଣ୍ଡଳୀ ଓ ୧୨ ତାରିଖରେ ଏକାମ୍ର ଅଞ୍ଚଳର ବିଏମ୍‌ସି ଡେପୁଟି କମିସନରଙ୍କ ଅଫିସ ଆଗରେ ଜିଲ୍ଲା କଂଗ୍ରେସ ବିକ୍ଷୋଭ କରିବ ବୋଲି ଦଳ ନିଷ୍ପତ୍ତି ନେଇଛି।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରଜନୀ ମହାନ୍ତି, ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ର, ଯୁବ କଂଗ୍ରେସ ନେତା ରାଜୀବ ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଅଶୋକ ଦାଶ, ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଶତ୍ରୁଘ୍ନ ବେହେରା, ଇନ୍ଦ୍ରଜିତ୍‌ ପରିଡ଼ା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର