ପୁରୁଣା ଭୁବନେଶ୍ୱର: ବିଏମ୍‌ସି ହସ୍ପିଟାଲରେ ପୁରୁଣା ପାଥୋଲୋଜି ୱାର୍ଡ, କେବିନ୍‌କୁ ମରାମତି କରି ଲକ୍ଷାଧିକ ଟଙ୍କା ଖର୍ଚ କରିବା ପରେ ଏହାକୁ ଭାଙ୍ଗି ଦିଆଯାଇଛି। ସମନ୍ବୟ ଅଭାବରୁ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା ବୋଲି ଅଭିଯୋଗ ହୋଇଛି। ସେହିପରି ହସ୍ପିଟାଲର ହୃଦ୍‌ରୋଗ ବିଭାଗ ଖୋଲାଗଲା ନାହିଁ। ଅଥଚ ସେଠାରେ ଚର୍ମ, ଦାନ୍ତ, ନସା, ଗଳା ଏବଂ ପାଥୋଲେଜି ବିଭାଗ ଖୋଲାଯାଇଛି। ସୂଚନା ଅନୁଯାୟୀ ବିଏମ୍‌ସି ହସ୍ପିଟାଲରେ ପୁରୁଣା ପାଥୋଲୋଜି ୱାର୍ଡ, କେବିନ୍‌ର ମରାମତି କାମ ଦୀର୍ଘ ବର୍ଷେ ହେଲା ଚାଲିଥିଲା। ପ୍ରାୟ ଦେଢ଼ କୋଟି ଟଙ୍କା ଏଥିପାଇଁ ଖର୍ଚ କରାଯାଇଥିଲା। କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ରଙ୍ଗ କାମ ପରେ ଏହାକୁ ଉଦ୍‌ଘାଟନ କରାଯାଇଥାନ୍ତା। ମାତ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କୋଠାକୁ ବିପଦସଂକୁଳ ଘୋଷଣା କରାଗଲା। ଫଳରେ ଏହାକୁ ସଂପୂର୍ଣ୍ଣ ଭା‌ବେ ଭାଙ୍ଗି ଦିଆଯିବ। ନଗର ଉନ୍ନୟନ ବିଭାଗ ଓ ବିଏମ୍‌ସି ମଧ୍ୟରେ ସମନ୍ବୟ ନଥିବାରୁ ଏତେ ଟଙ୍କା ପାଣିରେ ପଡ଼ିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ହୃଦ୍‌ରୋଗ ବିଭାଗ ଖୋଲା ଯାଇନଥିବା ବେଳେ ସେଠାରେ ଚର୍ମ, ଦାନ୍ତ, ନସା, ଗଳା ଏବଂ ପାଥୋଲେଜି ବିଭାଗ ‌ଖୋଲା ଯାଇଛି। ଏ ସଂପର୍କରେ ବିଏମ୍‌ସି ଏସ୍‌ଡିଓ ଜଗନ୍ନାଥ ପଟ୍ଟନାୟକ କୁହନ୍ତି, ବିଲ୍‌ଡିଂର ମରାମତି କାମ ଚାଲିଥିଲା। ମାତ୍ର ଏହାକୁ ବିପଦସଂକୁଳ ଘୋଷଣା କରାଯାଇଥିବାରୁ ଏବେ ଭଙ୍ଗା ଚାଲିଛି।