ପୁରୁଣା ଭୁବନେଶ୍ୱର: ବିଏମ୍‌ସି ହସ୍ପିଟାଲର ଅପରେସନ୍‌ ଥିଏଟର୍‌ (ଓଟି) ଦୀର୍ଘ ୧୫ଦିନ ହେଲା ବନ୍ଦ ରହିଛି। ବିଏମ୍‌ସିର ଦୂରଦୃଷ୍ଟି ଅଭାବରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରି ପାର୍ଶ୍ବରୁ ଉଚ୍ଛେଦ କରୁଥିବା ବେଳେ ବିଭିନ୍ନ ରାସ୍ତା ଚଉଡ଼ା କରାଯାଉଛି। ତେବେ ଏହି ସୌନ୍ଦର୍ଯ୍ୟୀକରଣ ଅଭିଯାନ ପାଇଁ ରାସ୍ତାକଡ଼ରେ ଥିବା ବିଏମ୍‌ସି ହସ୍ପିଟାଲର ନୂତନ ଶୌଚାଳୟ, ଓଟି ଶୌଚାଳୟ ଓ ଡ୍ରେନେଜ୍‌ ଚାମ୍ବରକୁ ଭାଙ୍ଗି ଦିଆଯାଇଛି। ଫଳରେ ହସ୍ପିଟାଲରେ ଓଟି ଅନିର୍ଦ୍ଦି‌ଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି। ଏହାସହ ମେଡିସିନ୍‌ ୱାର୍ଡ ମଧ୍ୟ ବନ୍ଦ ରଖାଯାଇଛି। ସୂଚନାଯୋଗ୍ୟ, ହସ୍ପିଟାଲର ବହୁ ବିଭାଗ ବନ୍ଦ ରହିଥିଲେ ହେଁ ସର୍ଜରି ଓ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗର ବିଭିନ୍ନ ଅସ୍ତ୍ରୋପଚାର ଯୋଗୁଁ ସ୍ଥାନୀୟ ଲୋକ ଉପକୃତ ହେଉଥିଲେ। କିନ୍ତୁ ଦୀର୍ଘ ୧୫ ଦିନ ହେଲା ଏହି ସେବା ଆଉ ମିଳୁ ନାହିଁ। ପ୍ରତିଦିନ ୧୦ରୁ ୧୫ଟି ଅସ୍ତ୍ରୋପଚାର ହେଉଥିବା ବେଳେ ଏହା ଏବେ ପୂରାପୂରି ବନ୍ଦ ହୋଇଯାଇଛି। ଫଳରେ ପ୍ରତିଦିନ ରୋଗୀମାନଙ୍କୁ ଫେରାଇ ଦିଆଯାଉଛି।

Advertisment

ରାଜ୍ୟ ସରକାରଙ୍କ ‘୫-ଟି’ ମଧ୍ୟରେ ସ୍ୱାସ୍ଥ୍ୟସେବା ରହିଥିବା ବେଳେ ରାଜଧାନୀର ସର୍ବପୁରାତନ ଏହି ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଏମସିର ଦୂରଦୃଷ୍ଟି ଅଭାବରୁ ଏବେ ସ୍ଥାନୀୟ ଅଞ୍ଚଳର ଶତାଧିକ ରୋଗୀ ହନ୍ତସନ୍ତ ହେଉଛନ୍ତି। ହସ୍ପିଟାଲ ନିକଟ ରାସ୍ତା ଚଉଡ଼ା କରିବା ପୂର୍ବରୁ ବିଏମ୍‌ସି ପକ୍ଷରୁ ଏହାର ବିକଳ୍ପ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। ହସ୍ପିଟାଲର ନୂତନ ଶୌଚାଳୟ, ଓଟି ଶୌଚାଳୟ ଓ ଡ୍ରେନେଜ୍‌ ଚାମ୍ବରକୁ ଭାଙ୍ଗି ଦେଲେ ହସ୍ପିଟାଲରେ କ’ଣ ସମସ୍ୟା ହେବ, ଏନେଇ ଅନୁଧ୍ୟାନ କରିବାର ଥିଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି। ଅପରପକ୍ଷେ ଏହି ହସ୍ପିଟାଲଟି ଅନେକ ସମସ୍ୟା ଦେଇ ଗତି କରୁଛି। ଏକ ହୃଦ୍‌ରୋଗ ବିଭାଗ ଖୋଲିବାକୁ ୩ ବର୍ଷ ହେଲା ପ୍ରଚାର କରାଯାଉଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ଖୋଲି ପାରିନାହିଁ। ଦୀର୍ଘ ୭ ବର୍ଷ ହେଲା ଏଣ୍ଡୋସ୍କୋପି, ଲାପରା‌ସ୍କୋପି ମେସିନ୍‌ ଅଚଳ ହୋଇ ପଡ଼ିରହିଛି। ସେହିପରି ଅଲଟ୍ରାସାଉଣ୍ଡ ମେସିନ୍‌ ମଧ୍ୟ ଖରାପ ହୋଇଥିବାରୁ ସଂପୃକ୍ତ ବିଭାଗଟି ଏବେ ବନ୍ଦ ରହିଛି। ୩୫ରୁ ୪୦ବର୍ଷର ପୁରୁଣା ଆନା‌‌ସ୍ଥେସିଆ ମେସିନ୍‌କୁ ପରିବର୍ତ୍ତନ ପାଇଁ ବିଏମ୍‌ସି କମିସନର୍‌ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ହେଁ ଉକ୍ତ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଏ ସମ୍ପର୍କରେ ହସପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଗଣେଶ ପ୍ରସାଦ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ନିଶା ଡାକ୍ତର ୬ ମାସ ଛୁଟିରେ ରହିବା ପରେ ଅସ୍ଥାୟୀ ଭାବେ ଜଣେ ନିଶା ଡାକ୍ତର ଆସୁଛନ୍ତି। ଅପରେସନ୍‌ ପିଛା ତାଙ୍କୁ ଦେଢ଼ ହଜାର ଟଙ୍କା ଦିଆଯାଉଛି। ଅନ୍ୟପକ୍ଷରେ କମିସନରଙ୍କ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଯାଇଛି। ତେବେ ହସ୍ପିଟାଲର ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଅମିୟ ଦାଶ ଚେତାବନୀ ଦେଇଛନ୍ତି। ସେହିପରି ଚିକିତ୍ସାଳୟ ସୁରକ୍ଷା କମିଟି ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟ‌ରେ ଫେରାଦ ହେବ ବୋଲି କହିଛି।