କରୋନା ଜାଲରେ ବିଏମ୍ସି : ୬୦ରୁ ଅଧିକ କର୍ମଚାରୀ ଆକ୍ରାନ୍ତ, ୩ ଡେପୁଟି କମିସନର୍ ବି ସଂକ୍ରମିତ
ଭୁବନେଶ୍ୱର : ରାଜଧାନୀରେ ଲୋକଙ୍କୁ ଯେପରି କରୋନା ନହେବ, ସେଥିପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ କରାଯାଉଛି। କରୋନା ଯେପରି ନବ୍ୟାପିବ, ସେଥିପାଇଁ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କରୋନା ପରୀକ୍ଷା କରାଉଛି। ହସ୍ପିଟାଲରେ କିଏ କରୋନାରେ ମରିଗଲେ ଶ୍ମଶାନରେ ଶବ ସତ୍କାର ବି କରୁଛି। ଏତେ ସବୁ କାମ କରୁଥିବା ବିଏମ୍ସି ଏବେ କରୋନା ଜାଲରେ ଫସି ଯାଇଛି। ବିଏମ୍ସିର ୬୦ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଗଲେଣି। ଆଗଧାଡ଼ିରେ ରହି ଲୋକଙ୍କୁ ସେବା ଯୋଗାଉଥିବା ବିଏମ୍ସି ପାଇଁ ଏବେ କରୋନା ମୁଣ୍ଡବିନ୍ଧାର କାରଣ ପାଲଟିଛି। କରୋନା ମୁକାବିଲା ବ୍ୟତୀତ ଅନ୍ୟ କାମ କରିବାକୁ କୌଣସି ବିଭାଗରେ କର୍ମଚାରୀ ନାହାନ୍ତି। ୫୦୦ରୁ ଅଧିକ କାମ କରୁଥିବା ବିଏମ୍ସି କାର୍ଯ୍ୟାଳୟରେ ଏବେ କର୍ମଚାରୀ ମରୁଡ଼ି ପଡ଼ିଗଲାଣି। ବାବୁଙ୍କ ଚାମ୍ବର ସମ୍ମୁଖରେ ଦୁଇରୁ ତିନି ଜଣ ପିଅନ ଏପଟସେପଟ ହେଉଛନ୍ତି ହେଲେ ବାବୁ ଆସୁ ନାହାନ୍ତି। ପଚାରିଲେ ଉତ୍ତର ମିଳୁଛି ସାର୍ଙ୍କୁ କରୋନା ହୋଇଛି। ନହେଲେ ସାର୍ଙ୍କ ଘରେ କରୋନା ବାହାରିଥିବାରୁ ସାର୍ ଆସୁନାହାନ୍ତି।
ବିଏମ୍ସିର କଣ୍ଟ୍ରୋଲ ରୁମ୍ରୁ ଆରମ୍ଭ କରି ୱାର୍ଡ ସ୍ତରରେ କାମ କରୁଥିବା ୱାର୍ଡ ଅଫିସରଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ କର୍ମଚାରୀ ଆକ୍ରାନ୍ତ ହେଲେଣି। ସବୁଠୁ ଅଧିକ ଆକ୍ରାନ୍ତ ଇଞ୍ଜିନିୟରିଂ ବିଭାଗରେ ବାହାରିଥିବା ବେଳେ ବିତ୍ତରୁ ଆରମ୍ଭ କରି ରାଜସ୍ବ, ମାର୍କେଟ୍, ପାର୍କିଂ, ଏସ୍ବିଏ ସେଲ୍, ଏଷ୍ଟାବ୍ଲିସମେଣ୍ଟ, ପ୍ଲାନିଂ ସେକ୍ସନ ପର୍ଯ୍ୟନ୍ତ ସବୁଠି କରୋନା ଆକ୍ରାନ୍ତ ଛାଇଗଲେଣି। ଏପରିକି ବିଏମ୍ସିର ପ୍ରଶାସକଙ୍କଠାରୁ ଆରମ୍ଭ କରି ତିନି ଜଣ ଡେପୁଟି କମିସନରଙ୍କ ସମେତ ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ବିତ୍ତ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ଆକ୍ରାନ୍ତ ହୋଇଗଲେଣି। ଏବେ ସାଧାରଣ ଲୋକଙ୍କୁ ବିଏମ୍ସି ଅଫିସ ଆସିବାକୁ ମନା କରାଯାଇଛି। ଅତି ଗୁରୁତର କାମ ନଥିଲେ କେହି ବିଏମ୍ସି ଅଫିସ ଯାଉନାହାନ୍ତି।
ଏପଟେ ବିଏମ୍ସିର କର୍ମଚାରୀମାନେ ବି ଅତି ଜରୁରୀ କାମ ନଥିଲେ ନିଜ ଚାମ୍ବରରୁ ବାହାରୁନାହାନ୍ତି। ବିଏମ୍ସି ଅଫିସକୁ ବାରମ୍ବାର ବିଶୋଧନ କରିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି, ସାମାଜିକ ଦୂରତା ରଖି ସମସ୍ତେ କାମ କରୁଛନ୍ତି। ତଥାପି ବି ପ୍ରାୟ ସବୁ ବିଭାଗରେ କରୋନା ଆକ୍ରାନ୍ତ ଛାଇଗଲେଣି। ମୁଖ୍ୟାଳୟରୁ ଆରମ୍ଭ କରି ଜୋନ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି କରୋନା ଆକ୍ରାନ୍ତ। ସ୍ଥିତି ଏପରି ହେଉଛି ଯେ ଜୋନ୍ ଅଫିସଗୁଡ଼ିକ ଦୁଇରୁ ତିନି ଦିନ ବନ୍ଦ ରହୁଛି। ବିଶୋଧନ ହେବାର ୪୮ଘଣ୍ଟା ପରେ ଅଫିସ୍ ଖୋଲୁଛି। ଏହି ଦୁଇ ତିନି ଦିନ ଜୋନାଲ ଡେପୁଟି କମିସନରଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀମାନେ ବାହାରେ ବୁଲି କାମ କରୁଛନ୍ତି। କାମ ସରିଲେ ରାସ୍ତାରୁ ଘରକୁ ପଳାଉଛନ୍ତି। ଜୋନ୍ସ୍ତରରେ ଏବେ କେବଳ କରୋନା ମୁକାବିଲା ଓ କରୋନା ସଂକ୍ରାନ୍ତୀୟ କାର୍ଯ୍ୟ ହିଁ ହେଉଛି। ଅନ୍ୟ କିଛି କାମ ହେଉନି।
ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଯେଉଁ ଅଧିକାରୀମାନେ ୱାର୍ଡ ସ୍ତରରେ କାମ କରୁଛନ୍ତି, ସେମାନେ ବି ବିଭିନ୍ନ ବୈଠକରେ ଯୋଗଦେବା ପାଇଁ ମୁଖ୍ୟାଳୟକୁ ଆସୁଛନ୍ତି। ସେମାନେ ଯଦି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ତେବେ ଅନ୍ୟମାନଙ୍କୁ ବି କରୋନା ହେବାର ଭୟ ରହୁଛି। କେବଳ ଏତିକି ନୁହେଁ, ଆମେ ଯେତେ ସତର୍କ ହୋଇ ଅଫିସରେ କାମ କଲେ ବି ଆମ ଘର ଲୋକ କ’ଣ କାହା ସଂସ୍ପର୍ଶରେ ଆସୁନାହାନ୍ତି। ସେଥିରୁ ବି ଆକ୍ରାନ୍ତ ହେବାର ଭୟ ରହୁଛି। ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ହେଲେ ଆମକୁ ସବୁ କରିବାର ଅଛି, ତେଣୁ ଆମେ କରୁଛୁ।
ସୂଚନାଯୋଗ୍ୟ ଯେ ରେଳ ଷ୍ଟେସନ ଓ ବିମାନବନ୍ଦରକୁ ଆସୁଥିବା ପ୍ରବାସୀ ଓଡ଼ିଆ/ଭାରତୀୟଙ୍କୁ ୧୪ଦିନ ସଙ୍ଗରୋଧରେ ରଖିବା, ଖାଇବା ପିଇବାକୁ ଦେବା ଭଳି କାର୍ଯ୍ୟ ବିଏମ୍ସି କରୁଥିଲା। ଏହିଠାରୁ ହିଁ ବିଏମ୍ସି କର୍ମଚାରୀ କରୋନା ଆକ୍ରାନ୍ତ ହେବା ଆରମ୍ଭ ହୋଇଥିଲା।
ଫାଇଲ୍ ପାଇଁ ୨୪ଘଣ୍ଟା କ୍ବାରାଣ୍ଟିନ୍
ବିଏମ୍ସିରେ ଏବେ ବିଭିନ୍ନ ପ୍ରକାରର ଫାଇଲ୍ ଗୋଟିଏ ବାବୁଙ୍କ ପାଖରୁ ଆଉ ଏକ ବାବୁଙ୍କ ପାଖକୁ ଯାଉଛି। ଏହିପରି ଫାଇଲ୍ ପ୍ରସ୍ତୁତ ହେବା ସମୟରୁ କମିସନରଙ୍କ ଦସ୍ତଖତ ହେବା ପର୍ଯ୍ୟନ୍ତ ୮ରୁ ୧୦ଜଣଙ୍କ ସଂସ୍ପର୍ଶରେ ଆସୁଛି। ପିଅନ, କିରାଣୀଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଫାଇଲ୍ ସ୍ପର୍ଶ କରୁଛନ୍ତି। ତେଣୁ କମିସନରଙ୍କ ପାଖକୁ ଯେଉଁ ଫାଇଲ୍ ଆସୁଛି, ତାହା ୨୪ଘଣ୍ଟା କ୍ବାରାଣ୍ଟିନ୍ରେ ରହୁଛି। କମିସନର୍ ଆସିବା ପୂର୍ବରୁ ସବୁ ଫାଇଲ୍ ଉପରେ ବିଶୋଧକ ସ୍ପ୍ରେ’ ହେଉଛି। ଏହାପରେ କମିସନର୍ଙ୍କ
ଟେବୁଲ୍କୁ ଫାଇଲ୍ ଯାଉଛି।ଚାରି କର୍ମଚାରୀ ମଲେଣି
ବିଏମ୍ସିର ୬୦ରୁ ଅଧିକ କର୍ମଚାରୀ ଏବେ କରୋନା ଆକ୍ରାନ୍ତ ହୋଇଥିବାବେଳେ ଏଥିରୁ ୪ଜଣଙ୍କର କରୋନାରେ ମୃତ୍ୟୁବରଣ କଲେଣି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ବିଏମ୍ସିର ଜଣେ ଏନଫୋର୍ସମେଣ୍ଟ ଇନ୍ସପେକ୍ଟରଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଦକ୍ଷିଣ-ପଶ୍ଚିମ ଜୋନ୍ର ଜଣେ କମ୍ୟୁନିଟି ଅର୍ଗାନାଇଜର, ନିକଟରେ ୱାର୍ଡ-୪୫ର ୱାର୍ଡ ଅଫିସରଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଏହି ତିନି ଜଣଙ୍କୁ ବିଏମ୍ସି ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରି ଶେଷକୃତ୍ୟ କରାଯାଇଥିଲା। ଏହାବାଦ୍ ବିଏମ୍ସିର ଜଣେ ଗେଟ୍କିପରଙ୍କର ବି କରୋନାରେ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।କର୍ମଚାରୀଙ୍କୁ ଉତ୍ସାହିତ କରାଯାଉଛି
ବିଏମ୍ସିରେ ବହୁ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଥିବାରୁ ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ତେଣୁ ସେମାନେ ଯେପରି ହତୋତ୍ସାହିତ ନହେବେ, ସେଥିପାଇଁ ସେମାନଙ୍କୁ କାଉନସେଲିଂ କରାଯାଉଛି। ବିଭିନ୍ନପ୍ରକାରର ପ୍ରେରଣାଦାୟୀ କଥା କୁହାଯାଉଛି। ସେମାନଙ୍କୁ ବିଭିନ୍ନପ୍ରକାରର ଭିଟାମିନ୍ ଔଷଧ, ଜ୍ବର, ଥଣ୍ଡା ଔଷଧ ଆଦି ଯୋଗାଇ ଦିଆଯାଇଛି। ଏହାବାଦ୍ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସମସ୍ତ କର୍ମଚାରୀଙ୍କର ନିୟମିତ ବ୍ୟବଧାନରେ କରୋନା ପରୀକ୍ଷା କରାଯାଉଛି। କେହି ଯେପରି ସୁପରସ୍ପ୍ରେଡର୍ ନ ହେବେ, ସେଥିପ୍ରତି ଧ୍ୟାନ ଦିଆଯାଉଛି।୧୦% କର୍ମଚାରୀଙ୍କ ଆଣ୍ଟିବଡି ବିକଶିତ ହୋଇଛି
ବିଏମ୍ସିର କେତେ କର୍ମଚାରୀ ପ୍ରକୃତରେ କରୋନା ଆକ୍ରାନ୍ତ ହୋଇସାରିଲେଣି ଅଥଚ ବିନା ଚିକିତ୍ସାରେ ସୁସ୍ଥ ହୋଇଯାଇଛନ୍ତି ତାହା ଜାଣିବାକୁ ଆର୍ଏମ୍ଆର୍ସି ପକ୍ଷରୁ କର୍ମଚାରୀଙ୍କର ଆଣ୍ଟିବଡି ଟେଷ୍ଟ ହୋଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ୧୦% କର୍ମଚାରୀଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ଅର୍ଥାତ୍ ଏବେ ବି ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇନାହାନ୍ତି ବୋଲି ବିଏମ୍ସି କମିସନର କହିଛନ୍ତି। ଆମ କର୍ମଚାରୀମାନେ ଯେପରି ସୁସ୍ଥ ରହିବେ, ସେନେଇ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ନିଆଯାଉଛି ବୋଲି କମିସନର କହିଛନ୍ତି।