ପୁଣି ମାର୍କେଟ୍‌କୁ ନେଇ ଚର୍ଚ୍ଚାରେ ବିଏମ୍‌ସି, ୫୦୭ଜଣଙ୍କ ନାଁରେ ବେଆଇନ ମ୍ୟୁଟେସନ

୧୦ ବର୍ଷ ହେଲା ଅଧିକାରୀ ଗାଦି ମାଡ଼ି ବସିଛନ୍ତି, ଲୋକାୟୁକ୍ତକୁ ଯିବ ମାମଲା

ଭୁବନେଶ୍ବର: ଅଫିସରମାନେ ଚାହିଲେ ବେଆଇନକୁ କିଭଳି ଆଇନ ସମ୍ମତ କରିପାରନ୍ତି ତାହା ବିଏମ୍‌ସିରେ ଦେଖିବାକୁ ମିଳିଛି। ସମସ୍ତ ଆଇନ କାନୁନ୍‌ ଓ ବିଭାଗୀୟ ସର୍ତ୍ତକୁ ଦଳିମକଚି ଅଧିକାରୀମାନେ ନିଜର ଇଚ୍ଛାକୁ ଚରିତାର୍ଥ କରିଛନ୍ତି। ୟୁନିଟ୍‌-୧ ହାଟରେ ଦୋକାନଗୁଡ଼ିକୁ ବ୍ୟକ୍ତିଗତ ମାଲିକାନାକୁ ନ ଦେବା ପାଇଁ ସର୍ତ୍ତ ରହିଥିଲେ ମଧ୍ୟ ଅଧିକାରୀମାନେ ଏଠାରେ ୫୦୭ ଦୋକାନକୁ ଦୋକାନୀଙ୍କ ନାମରେ କରି ଦେଇଛନ୍ତି। ପୂର୍ବରୁ ଦୋକାନୀମାନେ କେବଳ ସମ୍ପୃକ୍ତ ଜାଗାର ଲାଇସେନ୍ସ ହୋଲ୍ଡର ରହିଥିବା ବେଳେ ଏବେ ଅଧିକାରୀମାନେ ଦୋକାନୀଙ୍କ ନାମରେ ଚୁକ୍ତି କଲା ବେଳେ ଏହି ‘ଲାଇସେନ୍ସ ହୋଲ୍ଡର’ ଶବ୍ଦକୁ ହଟାଇ ‘ଆଲଟି’ ଶବ୍ଦ ଅତି ଚତୁରତାର ସହ ବ୍ୟବହାର କରିଛନ୍ତି।

ତେବେ ଏହା ବେଆଇନ ଓ ଏଭଳି କରିବା ବେଳେ ଅଧିକାରୀମାନେ ଆର୍ଥିକ ଲାଭବାନ୍‌ ହୋଇଥିବା ଅଭିଯୋଗ କରି ମାମଲାକୁ ଲୋକାୟୁକ୍ତଙ୍କ ପାଖକୁ ନେବାକୁ ଯୋଜନା ହୋଇଛି। ପୂର୍ବରୁ ଇଞ୍ଜିନିୟରିଂ ସେକ୍ସନରେ ୫୪ କୋଟି ଖର୍ଚ୍ଚର ଭାଉଚର ନ ମିଳିବା ଘଟଣା ଲୋକାୟୁକ୍ତଙ୍କ ପାଖରେ ବିଚାରାଧୀନ ରହିଛି। ଆବର୍ଜନା ପକାଉଠାରେ ୧୧ କୋଟି ଟଙ୍କା ହେରଫେର ମାମଲା ମଧ୍ୟ ଲୋକାୟୁକ୍ତରେ ବିଚାର ଚାଲିଛି। ଏବେ ଏହି ମାମଲା ଲୋକାୟୁକ୍ତଙ୍କ ପାଖକୁ ଯିବା ଖବର ମିଳିବା ପରେ ଅଧିକାରୀମାନେ ଛାନିଆ ହୋଇଥିବା ଜଣାପଡ଼ିଛି।

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ମୁତାବକ, ୧ ନମ୍ବର ହାଟ ରହିଥିବା ଜମି ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ(ଜିଏ ଆଣ୍ଡ ପିଜି) ବିଭାଗ ଅଧୀନରେ ରହିଛି। ବିଭାଗ ଅନୁମତି ବିନା ଏଠାରେ ଦିଆଯାଇଥିବା ଦୋକାନୀଙ୍କ ନାମ କାଟି ଅନ୍ୟ ଜଣଙ୍କ ନାମରେ କରାଯାଇ ପାରିବ ନାହିଁ। କିନ୍ତୁ ୨୦୧୯ରୁ ୨୦୨୧ ମଧ୍ୟରେ ତିନି ଦଫାରେ ବିଏମ୍‌ସି ୧ ନମ୍ବର ହାଟରେ ଥିବା ଦୋକାନୀଙ୍କ ମଧ୍ୟରୁ ୫୦୭ ଜଣଙ୍କ ନାମରେ ମ୍ୟୁଟେସନ କରିଛି। ଅର୍ଥାତ୍‌ ଜଣଙ୍କ ନାମରେ ଦୋକାନ ଆଲଟ୍‌ କରାଯାଇଥିବା ବେଳେ ମୂଳ ନାମକୁ କାଟି ଅନ୍ୟ ଜଣଙ୍କ ନାମରେ କରି ଦିଆଯାଇଛି। ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ ହୋଇଛି। ସିକ୍ୟୁରିଟି ଡିପୋଜିଟ୍‌ ବାବଦକୁ ସେମାନଙ୍କ ଠାରୁ ୧୬ ଲକ୍ଷ ୯୩ ହଜାର ଟଙ୍କା ଆଦାୟ କରାଯାଇଛି। ଏହି ମ୍ୟୁଟେସନ ବଳରେ ସେମାନେ ନିୟମିତ ହୋଇଛନ୍ତି। ହଜାରରୁ ଊର୍ଦ୍ଧ୍ବ ଆବେଦନ ଆସିଥିଲେ ମଧ୍ୟ କାଗଜପତ୍ର ବୈଧ ନଥିବା ଦର୍ଶାଇ ବିଏମ୍‌ସି ପାଖାପାଖି ୫ଶହ ଜଣଙ୍କ ଆବେଦନ ଖାରଜ କରିଥିବା କହିଛି।

ବିଏମ୍‌ସିର କହିବା ମୁତାବକ, ଯାହାଙ୍କ ନାମରେ ଦୋକାନ ରହିଥିଲା ସେମାନେ ନଥିଲେ ବରଂ ଅନ୍ୟମାନେ ବ୍ୟବସାୟ କରୁଥିଲେ। ଫଳରେ ଦୀର୍ଘ ଦିନ ହେବ ଭଡ଼ା ଧାର୍ଯ୍ୟ କରିବା ସମ୍ଭବ ହେଉନଥିଲା। ଏଣୁ ବ୍ୟବସ୍ଥିତ କରିବା ପାଇଁ ଏହି ମ୍ୟୁଟେସନ ହୋଇଛି। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପୂର୍ବ ଲାଇସେନ୍ସ ହୋଲ୍ଡରଙ୍କୁ ଅଭିଯୋଗ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି। ଏଣୁ ଏଥିରେ କିଛି ସମସ୍ୟା ନାହିଁ କିମ୍ବା ଏହା ବେଆଇନ ନୁହେଁ।

ମିଳିଥିବା ତଥ୍ୟ ମୁତାବକ, ଅନେକ ଜାଗାରେ ମୂଳ ଲାଇସେନ୍ସଧାରୀଙ୍କ ସହ ନୂଆ ବ୍ୟବସାୟୀଙ୍କର କୌଣସି ସମ୍ପର୍କ ନାହିଁ। ଅର୍ଥାତ୍‌ ନୂଆ ଲାଇସେନ୍ସ ପାଇଥିବା ବ୍ୟକ୍ତି ମୂଳ ଲାଇସେନ୍ସଧାରୀଙ୍କର ପାରିବାରିକ ସମ୍ପର୍କୀୟ ନୁହନ୍ତି। କିନ୍ତୁ ମ୍ୟୁଟେସନ ଜରିଆରେ ବିଏମ୍‌ସି ଅନ୍ୟ ଲୋକନାମରେ ଦୋକାନ କରିଦେଇଛି। ଯଥ‌ା, ପୁର୍ବରୁ ଆର୍‌ ଏନ୍‌ ଚାନ୍ଦଙ୍କ ନାମରେ ଏକ ଦୋକାନ ଥିବା ବେଳେ ସେହି ଦୋକାନକୁ ପରୀକ୍ଷିତ ସାହୁଙ୍କ ନାମରେ କରି ଆଯାଇଛି। ଦୈତାରୀ ଦୀକ୍ଷିତଙ୍କ ନାମରେ ଥିବା ଦୋକାନ ସର୍ବେଶ୍ବର ପାତ୍ରଙ୍କୁ ଦେଇ ଦିଆଯାଇଛି। ଏଭଳି ଶତାଧିକ ଉଦାହରଣ ରହିଛି। ଏଭଳି ଲାଇସେନ୍ସ ସ୍ଥାନାନ୍ତର ବେଆଇନ ବୋଲି ଅଭିଯୋଗ ହୋଇଛି।

ସୂଚନା ଅଧିକାର କର୍ମୀ ଜୟନ୍ତ ଦାଶଙ୍କ ଅଭିଯୋଗ ମୁତାବକ, ମାର୍କେଟ୍‌ ଦାୟିତ୍ବରେ ଡେପୁଟି କମିସନର ପ୍ରମୋଦ ପୃଷ୍ଟି ରହିଛନ୍ତି। ତାଙ୍କ ନାମରେ ନାବାଳିକା ଅସଦାଚରଣ ମାମଲା ଥାନାରେ ପହଞ୍ଚିବା ପରେ ତାଙ୍କୁ ଜୋନ୍‌ରୁ ହଟାଇ ମୁଖ୍ୟାଳୟ ଅଣାଯାଇଛି। ମୁଖ୍ୟାଳୟ ଆସିବା ପରେ ମାର୍କେଟ୍‌ ସହ ବିଧି ଉପବିଭାଗ ମଧ୍ୟ ତାଙ୍କ ହାତରେ ରହିଛି। ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ସେ ବିଏମ୍‌ସିରେ ରହିଛନ୍ତି। ବିଭିନ୍ନ ବଜାର‌ରେ ବେପାରୀଙ୍କ ସଂଖ୍ୟା ବଢ଼ାଇବା ନେଇ ଜାଲିଆତି ଚାଲିଥିବା ନେଇ ଅଭିଯୋଗ ମଧ୍ୟ ରହିଛି। ହେଲେ ତାଙ୍କୁ କାହିଁକି ଏତେ ଦିନ ଧରି ବିଏମ୍‌ସିରେ ରଖାଯାଇଛି ତାହା ବୁଝାପଡ଼ୁ ନାହିଁ ବୋଲି ସେ କହିଛନ୍ତି। ତେବେ ଏ ନେଇ ପ୍ରମୋଦ ପୃଷ୍ଟି କିଛି କହିବାକୁ ଚାହିନାହାନ୍ତି।

ସମ୍ବନ୍ଧିତ ଖବର