ବିଏମସି ରାତ୍ରି ଆଶ୍ରୟସ୍ଥଳୀରେ ବଢ଼ିଲା ଶଯ୍ୟାସଂଖ୍ୟା, ରାସ୍ତାକଡ଼ ବାସହୀନଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯିବ

ଭୁବନେଶ୍ବର: ଶୀତର ପ୍ରକୋପରୁ ସମସ୍ତଙ୍କୁ ସୁରକ୍ଷିତ ରଖାଯିବ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବାସହୀନଙ୍କୁ ଆଶ୍ରୟ ଦେବାର ବୈଠକ । ରାସ୍ତା କଡ଼ରେ ରହୁଥିବା ବ୍ୟକ୍ତିମାନଙ୍କୁ ଶୀତର ପ୍ରକୋପରୁ ରକ୍ଷା କରିବା ପାଇଁ ସହରାଂଚଳ ଆଶ୍ରୟସ୍ଥଳୀର ସମ୍ପ୍ରସାରଣ ତଥା ଭିତ୍ତିଭୂମି ଜନିତ ସୁବିଧା ସୁଯୋଗ କରାଯିବ । ସହରାଂଚଳ ଆଶ୍ରୟସ୍ଥଳୀର ଦାୟିତ୍ୱରେ ରହିଥିବା ଦୁଇଗୋଟି ସାମାଜିକ ଅନୁଷ୍ଠାନ ଓଡ଼ିଶା ପତିତାଉଦ୍ଧାର ସମିତି  ଏବଂ ବିକାଶ ସଂସ୍ଥାଙ୍କୁ ଏ ଦିଗରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଥଣ୍ଡା କାକରରେ ବାହାରେ ବା ରାସ୍ତା କଡ଼ରେ ଶୋଇ ପଡ଼ୁଥିବା ଭିକାରି କିମ୍ବା ବାସହୀନଙ୍କୁ ନିୟମିତ ଭାବେ ଅଣାଯିବ,ସମୟକୁ ସମୟ ବିଭିନ୍ନ ସ୍ଥାନ ବୁଲି ବାହାରେ ଶୋଇଥିବା ବ୍ୟକ୍ତିଙ୍କୁ ବୁଝାଇ ନିକଟସ୍ଥ ସହରଂଚଳ ଆଶ୍ରୟସ୍ଥଳୀକୁ ନେଇ ରଖାଯିବ ।

ସୂଚନାଯୋଗ୍ୟ କି, ୟୁନିଟ୍-୩ ରେ ଥିବା ସୋସିଆଲ୍ ଇକ୍ୟୁଟି  ସେଂଟରର କ୍ଷମତା ୫୦ ଗୋଟି ଶଯ୍ୟା ଥିବାବେଳେ ଏହାକୁ ୧୦୦ ଶଯ୍ୟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି; ଯାହାକି ଶୀତ ରାତିରେ ବାହାରେ ଶୋଇଥିବା ବ୍ୟକ୍ତିଙ୍କୁ ଆଣି ଏଠାରେ ରଖିବା ସୁବିଧାଜନକ ହେବ । ବୈଠକ ପରେ ଏହି ତୁରନ୍ତ ପଦକ୍ଷେପ ନିଆଯାଇ ସୋସିଆଲ୍ ଇକ୍ୟୁଟି  ସେଂଟରରେ ବାସହୀନମାନଙ୍କୁ ରଖାଯିବାର କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ବର୍ତମାନ ଏଠାରେ ପାଖାପାଖି  ୭୦ ଜଣ ଅନ୍ତେବାସୀ ରହିଥିବାର ଜଣାପଡ଼ିଛି । ଭୁବନେଶ୍ୱର ମହାନଗର ନିଗମାଂଚଳର ସମସ୍ତ ଏସୟୁଏଚରେ ରହିଥିବା ଖାଲି ସ୍ଥାନର ଉପଯୋଗ କରି ବାସହୀନଙ୍କୁ ରଖାଯିବାର ଦୃଢ ପଦକ୍ଷେପ ନିଆଯାଇଛି ।

ତେବେ ବାସହୀନମାନଙ୍କୁ ଆଣି ସମସ୍ତ ଆଶ୍ରୟସ୍ଥଳୀରେ ରଖିବା ପରେ ଅଧିକ ଶଯ୍ୟାର ଆବଶ୍ୟକତା ହେଲେ ୫୦ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଏସୟୁଏଚ୍ ସୋସିଆଲ୍ ଇକ୍ୟୁଟି ସେଂଟର୍ ନିକଟରେ କରାଯିବ ଏବଂ ବାସହୀନମାନଙ୍କୁ ରଖାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ବି ଏମ୍ ସି କର୍ତୃପକ୍ଷ । ରାସ୍ତା କଡ଼ରେ ଶୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରାୟ ଏକ ସପ୍ତାହ ମଧ୍ୟରେ ଆଣି ଏସୟୁଏଚ୍ ମାନଙ୍କରେ ରଖିବା ଏବଂ ଏଥିରେ କମିଶନରେଟ୍ ପୁଲିସର ସହଯୋଗ ନେବାପାଇଁ କୁହାଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସମୁଦାୟ ୮ ଗୋଟି ଏସୟୁଏଚ୍ ରହିଛି। ଏଗୁଡ଼ିକ ଚନ୍ଦ୍ରଶେଖରପୁର, ଅଶୋକ ନଗର, ଘାଟିକିଆ,ଗଙ୍ଗନଗର, ଭୀମପୁର,ମାଳିସାହି ଏବଂ ବରମୁଣ୍ଡା ବସଷ୍ଟାଣ୍ଡରେ ରହିଥିବା ବେଳେ ଏଥିରେ ସମୁଦାୟ ୩୨୫ରୁ ଅଧିକ ଅନ୍ତେବାସୀ ରହିବାର ସୁବିଧା ରହିଛି ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର କମଳା କାନ୍ତ ବେହେରା। । କୋଭିଡ଼୍ କଟକଣା ହେତୁ ଏସୟୁଏଚରେ ରହିଥିବା ସମସ୍ତ ଅନ୍ତେବାସୀଙ୍କୁ ଦିନ ଏବଂ ରାତିରେ ମାଗଣା ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସମ୍ବନ୍ଧିତ ଖବର