ଭୁବନେଶ୍ୱର : ଯେତେ ବୁଝାଇଲେ ବି ଲୋକ ବୁଝୁନାହାନ୍ତି। ସଫେଇ ଗାଡ଼ିରେ ବର୍ଜ୍ୟବସ୍ତୁ ଦେଉନାହାନ୍ତି। ନିଜ ସୁବିଧା ଦେଖି ରାସ୍ତାକଡ଼ରେ ଫିଙ୍ଗି ଦେଉଛନ୍ତି। କିଛି ଲୋକ ବର୍ଜ୍ୟବସ୍ତୁ ଦେଉଛନ୍ତି, ହେଲେ ତାହାକୁ (ଶୁଖିଲା ଓ ଓଦା ଭିତ୍ତିରେ) ପୃଥକ୍‌ କରୁନାହାନ୍ତି। ଫଳରେ ବର୍ଜ୍ୟ ପରିଚାଳନାରେ ବିଏମ୍‌ସିକୁ ଅଡ଼ୁଆ ହେଉଛି। ତେଣୁ ଏ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ବିଏମ୍‌ସି ଉଦ୍ୟମ ଆରମ୍ଭ କରିଛି। ଯେଉଁମାନେ ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ୍‌ ପୃଥକ୍‌ କରି ଦେଉଛନ୍ତି, ସେମାନଙ୍କ ଘର ଆଗରେ ଧନ୍ୟବାଦର ପୋଷ୍ଟର୍‌ ମାରୁଛି ବିଏମ୍‌ସି। ଯେଉଁମାନେ କରୁନାହାନ୍ତି, ସେମାନଙ୍କ ଘର ଆଗରେ ପୃଥକ୍‌ କରିବା ଲାଗି ସଚେତନତା ପୋଷ୍ଟର୍‌ ଲଗାଯାଉଛି। ଆଜିଠାରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି ବିଏମ୍‌ସି।

Advertisment

ରବିବାର ସକାଳେ ବିଏମ୍‌ସିର ସ୍ବତନ୍ତ୍ର ଦଳ ଘରକୁ ଘର ବୁଲି କିଛି ଲୋକଙ୍କ ଘର ଆଗରେ ପୋଷ୍ଟର୍‌ ମାରିଛନ୍ତି। ପୃଥକ୍‌ ବର୍ଜ୍ୟ ଦେଉଥିବା ପରିବାର ପାଇଁ ସବୁଜ ରଙ୍ଗ, ମିଶ୍ରିତ ବର୍ଜ୍ୟ ଦେଉଥିବା ପରିବାର ପାଇଁ କମଳା ରଙ୍ଗ ଓ ବର୍ଜ୍ୟ ଦେଉନଥିବା ପରିବାର ପାଇଁ ନାଲି ରଙ୍ଗର ପୋଷ୍ଟର ଲଗାଯାଇଛି। ପ୍ରଥମ ଦିନରେ ପ୍ରତ୍ୟେକ ଜୋନ୍‌ରୁ ଗୋଟିଏ ଲେଖାଁଏ ୱାର୍ଡ ଚୟନ କରାଯାଇ ପୋଷ୍ଟର୍ ଲଗା ଯାଇଛି। ଦକ୍ଷିଣ-ପୂର୍ବ ଜୋନ୍‌ର ୫୭ନମ୍ବର ୱାର୍ଡରେ ଥିବା ବଡ଼ଗଡ଼ ବ୍ରିଟ୍‌ କଲୋନି, ଦକ୍ଷିଣ-ପଶ୍ଚିମ ଜୋନ୍‌ ୫୧ ନମ୍ବର ୱାର୍ଡର ସୌଭାଗ୍ୟନଗର, ଉତ୍ତର ଜୋନ୍‌ର ୧୨ ନମ୍ବର ୱାର୍ଡର ଗଜପତିନଗରରେ ପୋଷ୍ଟର୍‌ ଲଗା ଯାଇଛି। ପ୍ରତ୍ୟେକ ୱାର୍ଡରୁ ପ୍ରାୟ ୨୦୦ ପରିବାରରେ ଏହି ପୋଷ୍ଟର୍‌ ଲାଗିଛି। ଆଗକୁ ପ୍ରତ୍ୟେକ ୱାର୍ଡରେ ଏଭଳି ପୋଷ୍ଟର୍‌ ଲାଗିବାକୁ ଯୋଜନା ହୋଇଛି।

publive-image

ପୃଥକୀକୃତ ବର୍ଜ୍ୟ ସଂଗ୍ରହ ପାଇଁ ବିଭିନ୍ନ ୱାର୍ଡରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର୍‌, ସାନିଟାରି ଇନ୍‌ସପେକ୍ଟର୍‌, ସାନିଟେସନ୍‌ ଏକ୍ସପର୍ଟମାନେ ନିୟମିତ ୱାର୍ଡ ବୁଲି ସଚେତନ କରାଉଛନ୍ତି। ଏବେ ଏହି ପୋଷ୍ଟର୍‌ ସାଧାରଣ ଲୋକଙ୍କୁ ଆହୁରି ସଚେତନ କରାଇବ। ସମସ୍ତେ ନିଜ ଘର ଆଗରେ କିଭଳି ସବୁଜ ରଙ୍ଗ(ନିୟମିତ ପୃଥକ୍‌ କରି ବର୍ଜ୍ୟ ଦେଉଥିବା ପରିବାର ପାଇଁ ଉଦ୍ଦିଷ୍ଟ) ପୋଷ୍ଟର ଲଗାଇବେ, ସେ ନେଇ ତତ୍ପର ହେବେ। ଏଥିରେ ଜନସାଧାରଣଙ୍କ ସହଯୋଗ ଲୋଡ଼ା ବୋଲି କହିଛନ୍ତି ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂହ।

ରବିବାରର ଏହି ଅଭିଯାନରେ ମୁଖ୍ୟଯନ୍ତ୍ରୀ (ପରିମଳ) ପ୍ରଶାନ୍ତ ମହାପାତ୍ର, ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ ସାହୁ ସାମିଲ୍‌ ହୋଇ ଘରକୁ ଘର ବୁଲିଥିଲେ। ନିଜ ନିଜ ଜୋନ୍‌ରେ ଜେଡ୍‌ଡିସି ପୁରନ୍ଦର ନନ୍ଦ(ଉତ୍ତର), ମହେନ୍ଦ୍ର ବଢ଼େଇ(ଦକ୍ଷିଣ ପୂର୍ବ) ଓ ରବି ନାରାୟଣ ଜେଠୀ (ଦକ୍ଷିଣ ପଶ୍ଚିମ) ବୁଲି ସଚେତନ କରିଥିଲେ।