ଦୋଷ ଲୁଚାଇବାକୁ ଭୁଲ୍‌ କରୁଛି ବିଏମ୍‌ସି: ଧରାପଡ଼ିଲା ପରିମଳ ପ୍ୟାକେଜ୍‌ ଟେଣ୍ଡରରେ ତ୍ରୁଟି

ଆଜି ଆଲୋଚନା, ଅଧିକ ଗାଡ଼ି ଯୋଗାଇବାକୁ ମସୁଧା

ଭୁବନେଶ୍ବର : ନୂଆ ପରିମଳ ପ୍ୟାକେଜ୍‌ରେ ହୋଇଥିବା ବ୍ୟାପକ ତ୍ରୁଟି ଧରାପଡ଼ିଛି। ଏଥିରେ ଥିବା ଗୋଟିଏ ଭୁଲ୍‌ ଲୁଚାଇବାକୁ ଯାଇ ଦ୍ବିତୀୟ ଭୁଲ୍‌ କରିବାକୁ ବସିଛି ବିଏମ୍‌ସି। ପ୍ୟାକେଜ୍‌ ଟେଣ୍ଡରରେ ଗୋଟିଏ ପ୍ୟାକେଜ୍‌ରେ ଗୋଟିଏ ଲେଖାଏଁ ଗାଡ଼ି ଦିଆଯାଇଛି। ଗୋଟିଏ ପ୍ୟାକେଜ୍‌ରେ ୬ରୁ ଅଧିକ ୱାର୍ଡ ରହିଛି। ଏଣୁ ଗୋଟିଏ ୱାର୍ଡକୁ ଗୋଟିଏ ହିସାବରେ ଗୋଟିଏ ପ୍ୟାକେଜ୍‌ ପାଇଁ ୬ଟି ଗାଡ଼ିର ଆବଶ୍ୟକତା ଅଛି। କିନ୍ତୁ ଗୋଟିଏ ଗାଡ଼ି ଥିବାରୁ ସଫା କରିବା ସମ୍ଭବ ହେଉନାହିଁ। ଏକଥା ବିଏମ୍‌ସି ଜାଣିବା ପରେ ଏହି ସବୁ ନୂଆ ଜୋନ୍‌କୁ ଅଧିକ ଗାଡ଼ି ଯୋ‌ଗାଇବା ପାଇଁ ମସୁଧା କରିଛି। କିନ୍ତୁ ଟେଣ୍ଡରରେ ବ୍ୟବସ୍ଥା ନାହିଁ। ଏଥିପାଇଁ ଆଜି ପରିମଳ ମୁଖ୍ୟଯନ୍ତ୍ରୀ ପ୍ରଶାନ୍ତ କୁମାର ମାହପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଛି। ବୈଠକରେ ଏହି ମସୁଧା ଉପରେ ମୋହର ବାଜିବ। ଏହା ପରେ ସରକାରଙ୍କ ଠାରୁ ସ୍ବୀକୃତି ମଗାଯିବ।

ମୁଖ୍ୟଯନ୍ତ୍ରୀ ଯେତେବେଳେ ଏହି ପ୍ୟାକେଜ୍‌ ଟେଣ୍ଡର ପାଇଁ ‘ମିନିମମ୍‌ ଡେପ୍ଲୟେମେଣ୍ଟ ପ୍ଲାନ୍‌’ ପ୍ରସ୍ତୁତ କରିଥିଲେ, ସେତେବେଳେ ଗୋଟିଏ ଜୋନ୍‌କୁ ଗୋଟିଏ ଗାଡ଼ି ଆବଶ୍ୟକ ବୋଲି ଲେଖିଥିଲେ। ଥରେ ଚୁକ୍ତି ହେଲେ ପରେ ପରିବର୍ତ୍ତନ ହେବନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏବେ ଏହି ସର୍ତ୍ତକୁ ପରିବର୍ତ୍ତନ କରିବାକୁ ଯୋଜନା ହୋଇଛି। ଅଧିକ ଗାଡ଼ି ଆବଶ୍ୟକ ବୋଲି ମୁଖ୍ୟଯନ୍ତ୍ରୀ ସେତେବେଳେ ଜାଣି ପାରିନଥିଲେ ନା ଜାଣି ଜାଣିଶୁଣି ଭୁଲ୍‌ କରିଥିଲେ? ମିନିମମ୍‌ ଡେପ୍ଲୟେମେଣ୍ଟ ପ୍ଲାନ୍‌ ଅନୁସାରେ ସଂସ୍ଥାମାନେ ନ ଯାଇ ନିଜେ ସର୍ବେକ୍ଷଣ କରି ନିଜର ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଯଦି ସଂସ୍ଥାମାନେ ସର୍ଭେ କରି ଅଟକଳ ପ୍ରସ୍ତୁତ କରିଥିଲେ ଓ ଗୋଟିଏ ଜୋନ୍‌କୁ ଗୋଟିଏ ଗାଡ଼ି ଦେବା ସର୍ତ୍ତରେ ରାଜି ହୋଇଥିଲେ ତେବେ ଏବେ ଅସୁବିଧା କଣ ହେଲା? ଟେଣ୍ଡର ସର୍ତ୍ତ ପୂରଣ ହୋଇନଥିବାରୁ ନୂଆ ସଂସ୍ଥାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ବିଏମ୍‌ସି ସେମାନଙ୍କ ଦାବି ପୂରଣ କରିବାକୁ ଏତେ ତତ୍ପର କାହିଁକି? ଏ ସବୁ ପ୍ରଶ୍ନ ଏବେ ବିଏମ୍‌ସି ମୁଖ୍ୟଯନ୍ତ୍ରୀ (ପରିମଳ)ଙ୍କୁ ବିବାଦକୁ ଟାଣିଛି। ଆସନ୍ତାକାଲି ସନ୍ଧ୍ୟାରେ ଏହି ବୈଠକ ରହିଛି। ଏହି ମସୁଧା ସଫଳ ହେଲେ ସରକାରଙ୍କ ଠାରୁ ସ୍ବୀକୃତି ମଗାଯିବ। ଅଧିକାରୀଙ୍କ ଏତେ ସବୁ ମସୁଧା ଜାଣିବା ପରେ ବି ସରକାର ସ୍ବୀକୃତି ଦେଲେ ଏହି ଟେଣ୍ଡର କେଳେଙ୍କାରୀରେ କେଉଁ ବରିଷ୍ଠ ସରକାରୀ ଅଧିକାରୀଙ୍କ ହାତ ଅଛି ତାହା ମଧ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପୂର୍ବରୁ ରାମ୍‌କି, ଜାଗୃତି ଓ ପିଏମ୍‌ଆର ସଫେଇ ଦାୟିତ୍ବ ନେଇଥିଲେ। କେତେକ ୱାର୍ଡକୁ ବିଏମ୍‌ସି ନିଜେ ସଫା କରୁଥିଲା। ତେବେ ସମସ୍ତ ୱାର୍ଡରେ ସଫେଇ ଘରୋଇକରଣ କରିବାକୁ ବିଏମ୍‌ସି ସମସ୍ତ ୱାର୍ଡକୁ ୧୦ଟି ପ୍ୟାକେଜ୍‌ କରି ଟେଣ୍ଡର ଡାକିଥିଲା। ଏହି ଟେଣ୍ଡର ପ୍ରକ୍ରିୟାର ମୁଖ୍ୟ ଥିଲେ ମୁଖ୍ୟଯନ୍ତ୍ରୀ(ପରିମଳ)। ଏଥିରେ ଗୁରୁଚଣ୍ଡାଳ ଦୋଷ ରହିଥିଲା। ପୂର୍ବରୁ ଗୋଟିଏ ୱାର୍ଡରେ ଗୋଟିଏ ଗାଡ଼ି ଲାଗୁଥିବା ବେଳେ ଏଥିରେ ଗୋଟିଏ ଜୋନ୍‌ ବା ୬ଟି ୱାର୍ଡ ପାଇଁ ଗୋଟିଏ ଗାଡ଼ି ଲାଗିବାକୁ ଚୁକ୍ତି ହୋଇଥିଲା। ଏହାକୁ କର୍ପୋରେଟରମାନେ ମଧ୍ୟ ଘୋର ବିରୋଧ କରିଥିଲେ। ଏହି ଟେଣ୍ଡର ହେବା ପୂର୍ବରୁ ଏକ ପ୍ରି ବିଡ୍‌ ବୈଠକ ବସିଥିଲା। ଏଥିରେ ସଂସ୍ଥାମାନଙ୍କୁ କୁହାଯାଇଥିଲା କି ପ୍ରତ୍ୟେକ ୱାର୍ଡରେ ନିଜେ ନିଜେ ସର୍ଭେକରି ଅଟକଳ ତିଆରି କର। ସଂସ୍ଥାମ‌ାନେ ସର୍ଭେ କରି ବିଏମ୍‌ସି ଅଟକଳ ଅନୁସାରେ ରାଜି ହୋଇଯାଇଥିଲେ। ବରଂ ବିଏମ୍‌ସିର ଅଟକଳ ମୂଲ୍ୟ ଠାରୁ ୯ ପ୍ରତିଶତ କମ୍‌ କରି ଟେଣ୍ଡର ନେଇ ଯାଇଥିଲେ। କିନ୍ତୁ ଫିଲ୍ଡରେ ଏହା ସମ୍ଭବ ନ ହେବାରୁ ଏବେ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର